ଜାନୁଆରୀରେ ଦଳ ଗଢ଼ିବେ ରଜନୀକାନ୍ତ

0 51

ଚେନ୍ନାଇ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ସାଉଥ ସୁପରଷ୍ଟାର ରଜନୀକାନ୍ତ ଆସନ୍ତା ଜାନୁଆରୀ ମାସରେ ନିଜର ରାଜନୀତିକ ଇନିଂସ ଆରମ୍ଭ କରିବେ । ଏନେଇ ନିଜେ ରଜନୀକାନ୍ତ ଆଜି ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା ଜାନୁଆରୀ ମାସରେ ଆମ ରାଜନୀତିକ ଦଳର ଲୋକାର୍ପଣ ହେବ । ପାର୍ଟି ସମ୍ପର୍କରେ ଡିସେମ୍ବର ୩୧ରେ ଘୋଷଣା କରାଯିବ । ଆମ ଦଳ ଲୋକଙ୍କ ସମର୍ଥନ ହାସଲ କରି କ୍ଷମତା ଦଖଲ କରିବ ଓ ଦୁର୍ନୀତିମୁକ୍ତ ଶାସନ ସମସ୍ତଙ୍କୁ ଭେଟିଦେବ । ଆମେ ଏମିତି ଏକ ସ୍ୱଚ୍ଛ ସରକାର ଗଠନ କରିବୁ, ଯାହା ଧର୍ମ, ଜାତି ଓ ବର୍ଣ୍ଣ ବୈଷମ୍ୟ ଠାରୁ ଉପରେ ରହି କାର୍ଯ୍ୟ କରିବ । ଯଦି ଏବେ ପରିବର୍ତ୍ତନ ହେବନି, ତା’ହେଲେ କେବେ ବି ପରିବର୍ତ୍ତନ ହେବନାହିଁ ବୋଲି ସେ କହିଛନ୍ତି । ଏହି ଘୋଷଣା ପୂର୍ବରୁ ରଜନୀକାନ୍ତ ତାଙ୍କ ରଜନୀ ମକ୍କଲ ମାନନ୍ଦ୍ରମର ଜିଲ୍ଲା ସଚିବମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସେ ଖୁବଶୀଘ୍ର ରାଜନୀତିରେ ପ୍ରବେଶ କରିବେ ବୋଲି ସୂଚନା ଦେଇଥିଲେ । ନିଜର ପୋଜ ଗାର୍ଡେନ ସ୍ଥିତ ବାସଭବନରେ ସାମ୍ବାଦିକମାନଙ୍କୁ ରଜନୀକାନ୍ତ କହିଛନ୍ତି, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ମୁଁ ଆସିବି ବୋଲି ପୂର୍ବରୁ କହି ସାରିଥିଲି । ମୁଁ ଚାହୁଁଥିଲି ରାଜ୍ୟସାରା ବୁଲିବି । ହେଲେ କୋଭିଡ ଏଥିରେ ପ୍ରତିବନ୍ଧକ ସାଜିଥିଲା । ଆମେ ସରକାରରେ ପରିବର୍ତ୍ତନ କରିବୁ ଓ ରାଜନୀତିରେ ବି ପରିବର୍ତ୍ତନ କରିବୁ । ମୁଁ କେବଳ ଗୋଟିଏ ଛୋଟିଆ ମାଧ୍ୟମ । ଲୋକମାନେ ହିଁ ପରିବର୍ତ୍ତନ କରିବାର କ୍ଷମତା ରଖିଛନ୍ତି । ଯଦି ମୁଁ ଜିତିବି, ତା’ହେଲେ ତାହା ଲୋକଙ୍କ ବିଜୟ ହେବ । ଯଦି ହାରିବି, ତା’ହେଲେ ସେଥିପାଇଁ ଦାୟୀ ମୁଁ ରହିବି । ଲୋକମାନେ ହିଁ ମୋତେ ହରାଇବେ । ମୁଁ ସମର୍ଥନ ପାଇଁ ଲୋକଙ୍କୁ ଅନୁରୋଧ କରୁଛି । ଯଦି ମୋ ଜୀବନ ତାମିଲନାଡୁବାସୀଙ୍କ ପାଇଁ ଚାଲିଯିବ, ତା’ହେଲେ ମୁଁ ବହୁତ ଖୁସି ହେବି ବୋଲି ରଜନୀକାନ୍ତ କହିଛନ୍ତି ।

Leave A Reply

Your email address will not be published.