୧୨ ଦିନରେ ୫୬କୋଟିର ଚୋରା ଗଞ୍ଜେଇ ଚାଷ ନଷ୍ଟ, ଏତେ କୋଟି ଟଙ୍କାର ଚାଷକୁ ପୋଡାଯାଉଛି,ହେଲେ କେହି ଗିରଫ ହେଉ ନାହାଁନ୍ତି କିପରି

0 68

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଡବା ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ୧୧କୋଟି ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟକରି ଦିଆଯାଇଛି । ଘଟଣାରୁ ପ୍ରକାଶ ମୋହନା ବ୍ଲକର ରାଇପଙ୍କା ପଞ୍ଚାୟତର ଗେରଙ୍ଗା ଓ ତଳଡକରପଙ୍କା ଗ୍ରାମ ନିକଟରେ ଥିବା ଜଙ୍ଗଲ ଓ ପର୍ବତ କିସମ ଜମିରେ ବିସ୍ତିର୍ଣ୍ଣ ଅଞ୍ଚଳରେ ଚୋରା ଗଞ୍ଜେଇ ଚାଷ ହୋଇଥିବା ଖବର ମିଲିଥିଲା । ମିଳିତ ଚଢାଉରେ ଏଠାରେ ୫୫ ଏକରରୁ ଉର୍ଦ୍ଧ ପାହାଡିଆ ଜମିରୁ ଏକ ଲକ୍ଷ ଦଶ ହଜାର ଟଙ୍କାର ଚୋରା ଗଞ୍ଜେଇ ଗଛକୁ କଟାଯାଇ ନିଆଁ ଲଗାଇ ପୋଡି ପାଉଁଶ କରିଦିଆଯାଇଛି । ଏହି ଘଟଣାରେ କେହି ଗିରଫ ହୋଇ ନ ଥିବା ଅଡବା ଆଇଆଇସି ଅନନ୍ଦ ଚନ୍ଦ୍ର ପାତ୍ର ସୁଚନା ଦେଇଛନ୍ତି । ଏଥି ଅନୁଯାଇ ଅଡବା ଥାନାରେ ଏନଡିପିଏସ ଆଇନ ଅନୁଯାଇ କେସ ନଂ ୧୨୯/୨୦ରେ ମକଦ୍ଦମା ରୁଜୁ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ ଘେରା ଗଜପତି ଜିଲ୍ଲା ଚୋରା ଗଞ୍ଜେଇ କାରବାରର ଭୂସ୍ୱର୍ଗ ପାଲଟିଛି । ଏହି କାରବାରରେ ଚୋରା ଗଞ୍ଜେଇ ମାଫିଆମାନେ କୋଟି କୋଟି ଟଙ୍କା ଅର୍ଜନ କରୁଥିବା ବେଳେ ନାମକୁ ମାତ୍ର ପାରିଶ୍ରମିକରେ ସମ୍ପୃକ୍ତ ଅଞ୍ଚଳର ଗରୀବ ନିରୀହ ଆଦିବାସୀ ମାନଙ୍କୁ ଏଥିରେ ନିୟୋଜିତ କରାଯାଉଛି । ଗତ ନଭେମ୍ବର ୨୨ ତାରିଖ ଠାରୁ ଡିସେମ୍ବର ୩ତାରିଖ ମଧ୍ୟରେ ଗଜପତି ଜିଲ୍ଲାରେ ୫ଥରରେ ମୋଟ ୫୬ କୋଟିରୁ ଉର୍ଦ୍ଧ ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରି ଦିଆଯାଇଥିବା ଜଣାଯାଇଛି । କୋଟି କୋଟି ଟଙ୍କାର ଏହି ଚୋରା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି । ହେଲେ ଏହି ଘଟଣାରେ ଜଣେ ବି ଧରାପଡିନଥିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ସମସ୍ତ ଘଟଣା କେବଳ ମୋହନା ଓ ଆର.ଉଦୟଗିରି ବ୍ଲକରେ ହୋଇଛି । ଗତ ୨୨ ତାରିଖ ଦିନ ମୋହନା ବ୍ଲକର ଅଡବା ଗ୍ରାମ ପଞ୍ଚାୟତର ହାତୀପଙ୍କା ଗ୍ରାମ ନିକଟରେ ବିସ୍ତିର୍ଣ୍ଣ ଜଙ୍ଗଲ କିସମ ଜମିରେ ଚୋରାରେ ଚାଷ କରାଯାଇଥିବା ୫୨.୪ଏକର ଚୋରା ଗଞ୍ଜେଇକୁ ଚଢାଉ କରି ପୋଡି ଦିଆଯାଇଥିଲା । ଏହାର ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ପୋଲିସ ଜଣାଇଥିଲେ । ପରେ ୨୯ ତାରିଖ ଦିନ ମୋହନା ଥାନା ଅଧିନସ୍ଥ ଯୁବ ଗ୍ରାମ ପଞ୍ଚାୟତର ବୋମ୍ ନାମକ ଏକ ଗ୍ରାମ ନିକଟସ୍ଥ ପାହାଡର ଜଙ୍ଗଲ କିସମ ଜମିରୁ ପୁଣି ୫୨ଏକର ଜମିରେ ଚାଷ କରାଯାଇଥିôବା ଗଞ୍ଜେଇ ଗଛକୁ ପୋଡାଗଲା । ଠିକ୍ ଏହାର ମୂଲ୍ୟ ମଧ୍ୟ ୧୦ କୋଟି ଟଙ୍କା ବୋଲି ପୋଲିସ ସୂଚନା ଦେଇଥିଲେ । ସେହିପରି ଗତ ୧ ତାରିଖ ଯୁବ ଗ୍ରାମ ପଞ୍ଚାୟତର ଗୁମେରା ସଂରକ୍ଷିତ ଜଙ୍ଗଲରେ ମୋଟ ୬୭.୩୨୪ ଏକର ଜଙ୍ଗଲ କିସମ ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛ ଗୁଡିକୁ ପୋଡି ନଷ୍ଟ କରିଦିଆଯାଇଥିଲା । ଏହାର ମୂଲ୍ୟ ୧୩.୪୦ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଗତ ୨ତାରିଖ ଦିନ ମଧ୍ୟ ଆର.ଉଦୟଗିରି ଥାନା ଅଞ୍ଚଳରେ ଏଭଳି ମିଳିତ ଚଢାଉରେ ଅନୁଗୁର ପଞ୍ଚାୟତର ଉମା ଗ୍ରାମ ନିକଟରେ ଥିବା ପର୍ବତ କିସମ ଜମିରୁ ୬୦ ଏକରରୁ ଉଦ୍ଧ୍ୱର୍ ଜମିରେ ଚୋରାରେ ଚାଷ କରାଯାଇଥିବା ୧୨କୋଟି ଟଙ୍କାର ଗଛକୁ ପୋଡା ଯାଇଥିବା ସୁଚନା ମିଳିଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା,ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲାରେ ଚୋରା ଗଞ୍ଜେଇ ଚାଷ ଓ କାରବାରକୁ ସମ୍ପୁର୍ଣ୍ଣ ରୁପେ ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଜିଲ୍ଲା ପୋଲିସ,ରାଜସ୍ୱ,ବନ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ଗଜପତି ଜିଲ୍ଲାର ଏକ ଦୁର୍ଗମ ବନପାହାଡ ଘେରା ଅଞ୍ଚଳରୁ ଏଭଳି ଭାବେ ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଉଛି । ହେଲେ ଏହି ୫ଗୋଟି ଘଟଣାରେ ଜଣେ ହେଲେ ଗିରଫ ହୋଇନଥିବା ସୂଚନା ମିଳିଛି । ମୋହନା ଓ ଆର.ଉଦୟଗିରି ବ୍ଲକରେ ଗତ ୧୨ଦିନ ମଧ୍ୟରେ ୨୭୯ ଏକରରୁ ଉର୍ଦ୍ଧ ବଣ ପାହାଡ ଘେରା ଜମିରେ ଚୋରାରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରିଦିଆଯାଇଛି । ଚୋରା ଗଞ୍ଜେଇ ମାଫିଆଙ୍କ ଦ୍ୱାରା ଏହି ବିସ୍ତିର୍ଣ୍ଣ ବଣ ପାହାଡ ଘେରା ଅଞ୍ଚଳରେ ଗଞ୍ଜେଇ ଚାଷ ଏକ ନିତି ଦିନିଆ ବ୍ୟବସାୟରେ ପରିଣତ ହୋଇ ଗଜପତି ଜିଲ୍ଲା ଚୋରା ଗଞ୍ଜେଇ କାରବାରର ଭୂସ୍ୱର୍ଗ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କେତେକ ଦୁର୍ନିତୀ ଗ୍ରସ୍ତ ବିଭିନ୍ନ କର୍ମଚାରୀ, ସ୍ୱାର୍ଥନ୍ୱେଷୀ ରାଜନେତା ଓ ଦଲାଲ ମାନଙ୍କ ସମ୍ପୂର୍ଣ୍ଣ ସହାୟତାରେ ଚୋରା ଗଞ୍ଜେଇ ଚାଷ ଓ କାରବାର ଗତ ବହୁ ବର୍ଷ ଧରି ଚାଲି ଆସିଛି । ଏହି ଚୋରା ଗଞ୍ଜେଇ ବ୍ୟବସାୟ କରି ଗତମାତ୍ର କିଛି ବର୍ଷ ମଧ୍ୟରେ ଗଜପତି ଜିଲ୍ଲାର କେତେକ ସାମ।।ନ୍ୟ ବ୍ୟକ୍ତି ବର୍ତ୍ତମାନ କୋଟିପତି ସାଜିଛନ୍ତି । ଏମାନଙ୍କୁ ନେଇ ମଧ୍ୟ ତଦନ୍ତ ଆବଶ୍ୟକ ରହିଛି । ବିଭିନ୍ନ ଚଢାଉ ପୂର୍ବରୁ ମାଫିଆ ମାନଙ୍କ ନିକଟରେ ଏହାର ଖବର ପହଞ୍ଚୁଥିବା ଯୋଗୁଁ ଘଟଣାସ୍ଥଳରେ କେହି ଗିରଫ ହୋଇପାରୁ ନାହାନ୍ତି । ଜିଲ୍ଲା ପ୍ରଶାସନ ଓ ପୋଲିସ ଏଥିନେଇ ଆବଶ୍ୟକ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରି ମାଫିଆ ମାନଙ୍କ ସହ ସେମାନଙ୍କୁ ଦଲାଲଗିରି କରୁଥିବା ଲୋକଙ୍କୁ ଜବତ କଲେ ଗଜପତିରେ ଗଞ୍ଜେଇର ଚୋରା କାରବାରକୁ ରୋକାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.