ବ୍ୟବହୃତ ପିପିଇ କିଟ୍ ପଡିଛି ରାସ୍ତା ଉପରେ, କୋଭିଡ୍-୧୯ ନିୟମକୁ ବେଖାତିର

0 67

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମହେନ୍ଦ୍ରତନୟା ନଦୀ ତଟରେ ବ୍ୟବହୃତ ପିପିଇ କିଟ୍ ପଡିଥିବାର ଦେଖିବାକୁ ମିଳୁଛି । କୋଭିଡ୍-୧୯ରେ ବ୍ୟବହୃତ ହୋଇଥିବା ପିପିଇ କିଟ୍, ଗ୍ଲୋଭସ୍ ଓ ମାସ୍କ ଗୁଡିକ ଏଣେ ତେଣେ ଫପାଡୁଥିବାର ନଜିର ରହିଥିଲେ ମଧ୍ୟ ଆଜି ଶନିବାର ଦିନ ସହରର ନଦୀ ତଟରେ ପଡିରହିଥିବାର ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ମହେନ୍ଦ୍ରତନୟା ନଦୀ ପାଶ୍ୱର୍ରେ ଥିବା ଶ୍ମଶାନ ଘାଟ ରହିଛି । ଏହା ଓଡିଶା ଏବଂ ଆନ୍ଧ୍ର ସୀମାରେ ରହିଅଛି । ଏହି ଶ୍ମଶାନଘାଟ ଠାରେ ଦୈନିକ ଶବ ସଂସ୍କାର କରାଯାଇଥାଏ । ତେବେ କୋଭିଡ୍ କିମ୍ବା ସାଧାରଣ ଭାବେ ମୃତ୍ୟୁ ହେଲେ ମଧ୍ୟ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବା ଯୋଗୁଁ ପ୍ରାୟତଃ ସବୁ ଶବ ଏଠାରେହିଁ ଶକ୍ରାର ହୋଇଥାଏ । କୋଭିଡ୍-୧୯ ଗାଇଡଲାଇନ ଅନୁଯାୟୀ କରୋନା ସଂକ୍ରମଣରୁ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିର ଶବଦାହ କଲାବେଳେ ତାଙ୍କ ପରିବାର କିମ୍ବା ଆତ୍ମିୟ ପରିଜନ ମାନେ ପିପିଇ କିଟ୍, ଗ୍ଲୋଭସ୍ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ଏହା ବ୍ୟତୀତ ଶବଦାହ ଶେଷ ହେବାପରେ ସେମାନେ ପିନ୍ଧିଥିବା ପିପିଇ କିଟ୍ ଗୁଡିକ ପ୍ରଶାସନର ଉପସ୍ଥିତିରେ ନଷ୍ଟ କରାଯିବାର ନିର୍ଦ୍ଦେଶନାମା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ ଆରମ୍ଭ କରି ଆଇସିଏମ୍ଆର, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଆଦିର ନିର୍ଦ୍ଦେଶନାମା ମୁତାବକ ସେଗୁଡିକ ନଷ୍ଟ ନକରାଯାଇ ଏଣେତେଣେ ପକାଇଦେଲେ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ । କୋରନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ଶେଷ କୃତ୍ୟ ସମ୍ପନ୍ନ ବେଳେ ଉପସ୍ଥିତଥିବା ପରିବାର ଓ ଆତ୍ମୀୟ ମାନେ ବ୍ୟବହାର କରିଥିବା ପିପିଇ କିଟ୍, ଗ୍ଲୋଭସ୍ ଓ ମାସ୍କ ଗୁଡିକ ଶ୍ମଶାନଘାଟ ଅଞ୍ଚଳ ଯଥା ଶ୍ମଶାନକୁ ଯିବା ପାହାଚ, ମହେନ୍ଦ୍ରତନୟା ବ୍ରିଜ ଉପରେ, ରାସ୍ତାଘାଟ ଓ ନଦୀ ତଟରେ ଫୋପାଡି ଦେଉଛନ୍ତି । ସେଠାରେ ଉପସ୍ଥିତ ଥିବା ଏଥିପ୍ରତି ଉପଯୁକ୍ତ ଧ୍ୟାନ ଦେଉନଥିବାରୁ ଏଭଲି ପରିସ୍ଥିତ ଉପୁଜିଛି । ଏଣେ ଜିଲ୍ଲା ପ୍ରଶାସନ କୋଭିଡ୍-୧୯ର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ, ସୁଚିନ୍ତିତ ଯୋଜନା ମାନ କରି ସଂକ୍ରମଣ ହ୍ରାସ କରିବାରେ ସଫଳ ହୋଇଛନ୍ତି । କିନ୍ତୁ କେତେ ଜଣଙ୍କର ଦାୟିତ୍ୱହୀନତା ଯୋଗୁଁ ପ୍ରଶାସନର ସମସ୍ତ ଉଦ୍ୟମକୁ ବୃଥା କରିଦେଉଛନ୍ତି । ଏହି କୋଭିଡ୍-୧୯ ଜନିତ ବର୍ଜ୍ୟବସ୍ତୁ ଗୁଡିକ ଏପରି ଭାବେ ପଡିଥିବାର ଦେଖି ଯାତାୟତ କରୁଥିବା ଲୋକେ ଭୟଭିତ ଓ ଆଶଙ୍କା ମଧ୍ୟରେ ରହୁଛନ୍ତି । ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ନିମନ୍ତେ ସାଧାରଣରେ ଦାବୀ ହୋଇଛି । ଯଦି ଏଥି ପ୍ରତି ତ୍ୱରିତ ପଦକ୍ଷେପ ନନିଆଯାଏ ତେବେ ଆଗକୁ ଏକ ବଡ ସମସ୍ୟା ଦେଖା ଦେଇପାରେ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.