ଅବହେଳିତ ଅନ୍ନଦାତା

0 80

ଆମ ଦେଶ ଏକ କୃଷିପ୍ରଧାନ ଦେଶ । ଦେଶରେ ୫୮ ପ୍ରତିଶତ ଲୋକ ସିଧାସଳଖ ଚାଷ ଉପରେ ନିର୍ଭର କରନ୍ତି । ୧୪ କୋଟି ଚାଷୀ ପରିବାର ଅଛନ୍ତି ଦେଶରେ । ଦେଶର ଗଣତନ୍ତ୍ରକୁ ଗାଁର କୃଷକମାନେ ନିୟନ୍ତ୍ରଣ କରନ୍ତି । କୃଷକଙ୍କ ଭୋଟରେ ଗଢା ହୁଅନ୍ତ୍ି ଶାସକ । ଦେଶର ମେରୁଦଣ୍ଡ କୁହାଯାଉଥିବା ଚାଷୀ ଆଜି ଅବହେଳିତ । ମୁଣ୍ଡ ଝାଳ ତୁଣ୍ଡରେ ମାରି ସାରା ଦୁନିଆକୁ ଆହର ଯୋଗାଉଥିବା ଚାଷୀ ପରିବାର ଏବେ ଉପାସରେ । କାରଣ ଚାଷୀ ତାର ପରିଶ୍ରମର ମୂଲ ପାଉନାହିଁ । ତେଣୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଚାଷୀକୁ ସମ୍ମାନ ଦେବାକୁ ଯାଇ କହିଛନ୍ତି ଯେ, ଜୟ ଯବାନ, ଜୟ କିଶାନ । ଏବେ ଏହି ସ୍ଲୋଗାନ କେବଳ ସ୍ଲୋଗାନ ହୋଇ ରହିଯାଇଛି । ନିର୍ବାଚନ ଆସିଲେ ରାଜନୈତିକ ଦଳମାନେ ଖୁବ ଦରଦି ହୋଇ ଉଠନ୍ତି । ଚାଷୀଙ୍କ ପାଇଁ କିଏ କେତେ ବ୍ୟଥିତ ଏଥି ପାଇଁ ପ୍ରତିଯୋଗୀତା ଆରମ୍ଭ ହୋଇଯାଏ । ଏବେ ଫସଲ ଅମଳର ସମୟ । ପନିପରିବା ଠାରୁ ଆରମ୍ଭ କରି ଧାନ , ଗହମ, ଡାଲିର ଅମଳ ସମୟ ଇଏ । ଚାଷ ବେଳେ ଯେତିକି ଚାଷୀକୁ ବ୍ୟସ୍ତ ରହିବାକୁ ପଡେ ଠିକ ସେହିପରି ଅମଳ ସମୟରେ ମଧ୍ୟ ତାକୁ ଜଗିବାକୁ ପଡେ । ଏ ବେଳରେ ଚାଷୀକୁ ନିଶ୍ୱାସ ମାରିବାକୁ ତର ନଥାଏ । ମନରେ ତାର ଭରି ରହିଥାନ୍ତା ଆନନ୍ଦ, ପାଚିଲା ଫସଲକୁ ଦେଖି । କିନ୍ତୁ ଚାଷୀ ଏବେ ଦିଲ୍ଲୀରେ, ସମଗ୍ର ଦେଶରେ ଆରମ୍ଭ ହୋଇଛି ଚାଷୀ ଆନ୍ଦୋଳନ । ନୂତନ କୃଷିନିତୀକୁ ବିରୋଧ କରି ଚାଷୀ ଏବେ ରାଜରାସ୍ତାରେ ବସିଥିବା ବେଳେ ସମାଧାନର ବାଟ କିନ୍ତୁ ବାହାରି ପାରୁନାହିଁ । ଥରେ ନୁହେଁ ପାଞ୍ଚ ପାଞ୍ଚ ଥର ଆଲୋଚନା ପରେ ବି କୌଣସି ନିସ୍କର୍ଷ ବାହାରି ପାରୁନାହିଁ । ସରକାର କହୁଛନ୍ତି- ନୂଆ କୃଷିନିତୀ କୃଷକଙ୍କ ପାଇଁ ଲାଭଦାୟକ । କୃଷକଙ୍କୁ ବିରୋଧି ଦଳ ବିଭ୍ରାନ୍ତ କରୁଛନ୍ତି । ଚାଷୀଙ୍କ ପାଇଁ ନୂଆ ନୀତି କରାଯାଇଛି, ଏଥିରେ ଏମିତି କଣ ଗୃଢ ତତ୍ୱ ଅଛି ଯେ, କୃଷକମାନେ ବୁଝିପାରୁନାହାଁନ୍ତି । ଏଇଟା ହିଁ ମୂଳ ପ୍ରଶ୍ନ । ଆମ ଦେଶରେ ଚାଷୀ ମାଟି କାଦୁଅରେ କାମ କରନ୍ତି ବୋଲି କଣ କେଉଁଟା ଭୂଲ ଏବଂ କେଉଁଟା ଠିକ ଏକଥା କ’ଣ ବୁଝିପାରିବେନି । ତେଣୁ କୃଷିନୀତି ସେମାନଙ୍କ ପାଇଁ ଲାଭଦାୟକ ହେବ କି କ୍ଷତିକାରକ ହେବ ଏକଥା କ’ଣ ସେମାନେ ବୁଝିପାରିବେନି । ସରକାର କହୁଛନ୍ତି- ବିରୋଧି ଦଳ ଚାଷୀଙ୍କୁ ପ୍ରଭାବିତ କରିବା ସହିତ ସେମାନଙ୍କୁ ବିପଥଗାମୀ କରୁଛନ୍ତି । ବିରୋଧୀଙ୍କ କଥାରେ ଚାଷୀମାନେ କୁଆଡେ ଦିଲ୍ଲୀ ଯାଏଁ ଚାଲି ଆସିଛନ୍ତି । ଯଦି ଏକଥା ସତ ତାହାଲେ ତ ବିରୋଧୀ ସାଧାରଣ ଲୋକଙ୍କୁ ପ୍ରଭାବିତ କରି ଭୋଟ ହାତେଇ ପାରନ୍ତି । ଏବେ ବିରୋଧୀ ଦଳରେ ଯେଉଁମାନେ ଅଛନ୍ତି ସେମାନେ ହିଁ ଶାସନ କରୁଥାନ୍ତେ । ସାଧାରଣ ଲୋକଙ୍କୁ ସରକାର ଏତେ ମୁର୍ଖ ବୋଲି ଭାବିବା ଉଚିତ ନୁହେଁ । ଏଇଠି ପ୍ରଶ୍ନ ଉଠିପାରେ, ଯଦି ଏ ଅନନ୍ୟ କୃଷିନୀତି ଚାଷୀଙ୍କ ହିତରେ କରାଯାଇଛି ତାହାଲେ ପାଞ୍ଚ ପାଞ୍ଚ ଥର ସରକାରଙ୍କ ସହ ବୈଠକ ବସି ସମାଧାନର ବାଟ ବାହାରି ପାରୁନାହିଁ କାହିିଁକି । ସରକାର ଚାଷୀଙ୍କୁ କାହିଁକି ବୁଝାଇ ପାରୁନାହାଁନ୍ତି । ଆଉ ଏକ ପ୍ରଶ୍ନ ହେଲା- ଏବେ ଚାଷୀଙ୍କ ସହ ଯେଉଭଳି ଭାବେ ଆଲୋଚନା ଚାଲିଛି ସେ ଆଲୋଚନା ନୂଆ କୃଷି ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ କରାଯାଇଥିଲେ ବୋଧେ ଚାଷୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିନଥାନ୍ତା ସରକାରଙ୍କୁ । ଏ କୃଷି ନୀତିରେ ଏମିତି କଣ ଲୁକାୟିତ ଲାଭଦାୟୀ ବ୍ୟବସ୍ଥା ଅଛି ଯେ, ଯାହାକୁ ଚାଷୀ ବୁଝି ପାରୁନାହାଁନ୍ତି । ଜିଏସଟିକୁ ମଧ୍ୟ ପ୍ରଥମେ ଲୋକ ବୁଝିପାରୁନଥିଲେ । ସେତେବେଳେ କୁହାଯାଉଥିଲା ଏହାର ସୁଦୁରପ୍ରସାରୀ ପ୍ରଭାବ ରହିଛି । ଆଗକୁ ଲୋକଙ୍କୁ ଲାଭ ମିଳିବ । ଏବେ ଜାର ଦରରୁ ଏହା ବେଶ ପ୍ରମାଣିତ ହେଉଛି ।

Leave A Reply

Your email address will not be published.