ଚାଷୀମାନେ ବିଭ୍ରାନ୍ତିକର ପ୍ରଚାରରୁ ଦୂରେଇ ରୁହନ୍ତୁ: ତୋମାର

0 64

ନୂଆଦିଲ୍ଲୀ, ୮ ।୧୨: ବିଭିନ୍ନ ଫସଲର ସହାୟକ ମୂଲ୍ୟ ସରକାର ବନ୍ଦ କରିବେ ନାହିଁ କିମ୍ବା ମଣ୍ଡି ବ୍ୟବସ୍ଥାର ଉଚ୍ଛେଦ ହେବ ନାହିଁ । କେନ୍ଦ୍ର ସରକାର ଏହି ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏପରି ଅପପ୍ରଚାର କରୁଥିବାରୁ ଚାଷୀମାନେ ଏଥିରୁ ଦୂରେଇ ରହିବାକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପରାମର୍ଶ ଦେଇଛନ୍ତି । ଶ୍ରୀ ତୋମାର ଟ୍ୱିଟ୍ କରି କହିଛନ୍ତି ଯେ କେନ୍ଦ୍ର ସରକାର ଯେଉଁ କୃଷି ନିୟମ ପ୍ରଣୟନ କରିଛନ୍ତି ତାହାଦ୍ୱାରା ଚାଷୀଙ୍କ ଜୀବନରେ ସମୃଦ୍ଧି ଆସିବ । ତେଣୁ ବିଭ୍ରାନ୍ତିକର ପ୍ରଚାର ଓ ଅରାଜକବାଦୀ ଶକ୍ତି ଦ୍ୱାରା କରାଯାଉଥିବା ପ୍ରଚାରରୁ ଚାଷୀମାନେ ଦୂରେଇ ରୁହନ୍ତୁ । ଚାଷୀମାନେ ଭାରତ ବନ୍ଦ ଡ଼ାକରା ଦେବା ପରେ ଆସନ୍ତାକାଲି ପୁଣିଥରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଶ୍ରୀ ତୋମାର କହିଛନ୍ତି ଯେ ଚାଷୀମାନେ ଯେଉଁଠି ଚାହିଁବେ ସେଠାରେ ନିଜ ଫସଲ ବିକ୍ରି କରିପାରିବେ । ନୂତନ କୃଷି ସଂସ୍କାର ଆଇନ କୃଷକଙକ ଜୀବନକୁ ଅଧିକ ସ୍ୱାଚ୍ଛନ୍ଦ୍ୟ କରିବ । ଦେଶରେ ଶୀତଳ ଭଣ୍ଡାର ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିନିଯୋଗ ବୃଦ୍ଧି ପାଇବ ଏବଂ କୃଷକମାନେ ପର୍ଯ୍ୟାପ୍ତ ପରିମାଣର ସଂରକ୍ଷଣ ପାଇପାରିବେ । ତେଣୁ ସମାଜକୁ ବିଭାଜନ କରୁଥିବା ଶକ୍ତିଗୁଡିକ ଓ ରାଜନୈତିକ ପ୍ରଚାରରୁ ଚାଷୀମାନେ ଦୂରେଇ ରୁହନ୍ତୁ ।

Leave A Reply

Your email address will not be published.