ଗଣିତ ଓ ଗଣତିରେ ସବୁବେଳେ ଗଡ଼ବଡ଼

0 66

ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ସୃଷ୍ଟିର ଆବଶ୍ୟକତା ରହିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ବିଶ୍ୱ ସମୁଦାୟକୁ ଜୋର ଦେଇଆସିଛନ୍ତି । ଆମ ଦେଶ ତଥା ରାଜ୍ୟରେ ସବୁଜ ବନାନୀ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ୨୦୨୦-୨୧ ବର୍ଷରେ ୭୨୬ କୋଟି ଟଙ୍କା କେବଳ ବନୀକରଣରେ ଖର୍ଚ୍ଚ କରିବା ଲାଗି ଯୋଜନା ହୋଇଥିଲା । ୧୧ଟି ଯୋଜନାରେ ଏ ବାବଦ ଅର୍ଥ ବରାଦ ହୋଇଥିଲା କୁଆଡେ ? ହେଲେ ଏ ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି, କେତେ ଗଛ ଲାଗିଛି, କେତେ କୋଟିର ବିନିଯୋଗପତ୍ର ଏଯାଏ ବିଭାଗକୁ ମିଳିଛି ଏ ତଥ୍ୟ କିନ୍ତୁ ଜଣାଯାଇନି । ରାଜ୍ୟରେ ବନୀକରଣ ଦାୟିତ୍ୱରେ କୁଆଡେ ଥିଲେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ । ଏବେ ସିଏ ଜେଲ୍ର ଚାରିକାନ୍ଥ ଭିତରେ । ତାଙ୍କର ଏ କାରନାମା ଦିନକର ନୁହେଁ । ତେଣୁ କେତେ ଚାରା ସେ ଖାଇଥିବେ ତା’ର କଳନା ନାହିଁ । ତାଙ୍କ ଭଳି ଜଙ୍ଗଲ ଅଧିକାରୀ ଏବଂ ତାଙ୍କୁ ସାଥ୍ ଦେବା ପାଇଁ ପ୍ରଦୀପଙ୍କ ଭଳି ମନ୍ତ୍ରୀ-ବିଧାୟକ ଯଦି ରହିବେ, ତାହାହେଲେ ଆମ ରାଜ୍ୟରେ ଜଙ୍ଗଲ ବୋଧେ ଆଉ ରହିବ ନାହିଁ । ଗୋଟିଏ ଉଦାହରଣ ଦେଲେ ଆପଣ ସହଜରେ ବୁଝିପାରିବେ । ନବାବ ଆକବର ଥରେ ଚିନ୍ତା କଲେ କାଉ ଗଣନା କରିବା ପାଇଁ । ଏଥିପାଇଁ ଆରମ୍ଭ ହେଲା ବିଚାରବିମର୍ଶ । କିଭଳି ନିର୍ଭୂଲ ଗଣନା କରାଯାଇପାରିବ ସେ ସମ୍ପର୍କରେ ମନ୍ତ୍ରୀ-ପାରିଷଦ ଓ ଜ୍ଞାନୀଗୁଣିଙ୍କ ସହ ପରାମର୍ଶ ନେବାକୁ ନିଷ୍ପତ୍ତି ହେଲା । କେତେଟଙ୍କା ଏ ବାବଦରେ ଖର୍ଚ୍ଚ ହେବ, ତାର ଏକ ଅଟକଳ କରିବା ପାଇଁ ମନ୍ତ୍ରୀ ମହାଶୟଙ୍କୁ ଆକବର ନିର୍ଦ୍ଦେଶ ଥିଲେ । ଏ କଥା ବିରବଲ୍ ଶୁଣୁଥିଲେ । ସେ କହିଲେ- ଜାହାଁପନା, ଆପଣଙ୍କ ଏତେ କର୍ମଚାରୀ, ଏତେ ସମୟ ଆଉ ଏତେ ଟଙ୍କା କାହିଁକି ଖର୍ଚ୍ଚ କରିବେ ? ମୁଁ ତ ଏହି ସଙ୍ଗେ ସଙ୍ଗେ କହିଦେବି କେତେ କାଉ ଅଛନ୍ତି ଆମ ରାଜ୍ୟରେ ? ଆକବର ଆବାକ୍ ହେଲେ, ତଥାପି ବିରବଲ୍ଙ୍କ ବୁଦ୍ଧିମତା ଉପରେ ତାଙ୍କର ସନ୍ଦେହ ନଥିବାରୁ ପଚାରିଲେ- କହିଲେ କେତେ କାଉ ଅଛନ୍ତି ? ତତ୍କ୍ଷଣାତ୍ ବିରବଲ୍ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା କହିଲେ । ଆକବର କହିଲେ ଯଦି ଏ ସଂଖ୍ୟା ଭୁଲ ହୁଏ ? ତେବେ ଏଥିପାଇଁ କିଏ ଦାୟୀ ହେବ ? ବିରବଲ୍ ସଙ୍ଗେ ସଙ୍ଗେ କହିଲେ- ଜାହାଁପନା, ଯଦି କମ୍ ହୁଏ, ତାହାହେଲେ ଜଣାଯିବ ଆମ ରାଜ୍ୟର ସେହି ସଂଖ୍ୟକ କାଉ ବାହାର ପଡ଼ୋଶୀ ରାଜ୍ୟକୁ ଚାଲିଯାଇଛନ୍ତି । ଆଉ ଯଦି ବେଶୀ ହେଲା ଜାଣିବେ- ଅନ୍ୟ ରାଜ୍ୟରୁ ଆମ ରାଜ୍ୟକୁ ଆସିଛନ୍ତି । ଆକବରଙ୍କ ସେ ସମୟର କାଉ ଗଣନା ଆଉ ଆମ ରାଜ୍ୟର ଗଛ ଗଣନା ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି । ଗଛ ଲଗାଯାଏ, ଗଣତିରେ କମିଲେ କୁହାଯାଏ- ଚାରା ମରିଯାଇଛି କିମ୍ବା ଗୋରୁମୁହଁରେ ଯାଇଛି । କେତେ ଲଗାଯାଇଥିଲା କିଏ ଜାଣିଛି ? କେବଳ କାଗଜପତ୍ରରେ ଏହାର ହିସାବ ଥାଏ । ଯଦି ତାର ଅଧା ବି ବଞ୍ଚୁଥାନ୍ତା, ତାହାହେଲେ ଆମ ରାଜ୍ୟ କେବେଠୁ ସବୁଜ ହୋଇସାରନ୍ତାଣି । ଗଣିତ ଓ ଗଣତି ମଧ୍ୟରେ ସବୁବେଳେ ଗଡ଼ବଡ଼ ଆମ ରାଜ୍ୟରେ । କାଗଜପତ୍ରର ହିସାବ ଗୋଟାଏ କଥା କହୁଥିବା ବେଳେ ପ୍ରକୃତ ଚିତ୍ର କିନ୍ତୁ ଅଲଗା । ତାଳମେଳ ରୁହେନି ଉଭୟଙ୍କ ମଧ୍ୟରେ । ଯଦି ପଚରାଯାଏ ଏତେ ଟଙ୍କା ଖର୍ଚ୍ଚ ହେଲା ଗଛ କାହିଁ ? ଉତ୍ତର ଆସିବ ସବୁ ଗଛ କ’ଣ ବଞ୍ôଚବ ? ଖାଲି ବୃକ୍ଷରୋପଣ ନୁହେଁ, ପ୍ରତ୍ୟେକଟି କ୍ଷେତ୍ରରେ ଏଭଳି ଦୁର୍ନୀତି ଚାଲିଛି । କେତେବେଳେ କୂଅ ଚୋରି ହୋଇଯାଉଛି ତ ଆଉ କେତେକେଳେ ଭୂତ ନାଁରେ ଇନ୍ଦିରା ଆବାସ ଦିଆଯାଉଛି । ଯଦି ଟିକେ ବି ଦେଶପ୍ରେମ ରୁହନ୍ତା ତେବେ ସମ୍ପୂର୍ଣ୍ଣ ଚଳୁ କରିବା ପୂର୍ବରୁ ନିଜ ବିବେକ ଟିକେ ବାଧା ଦିଅନ୍ତା ।

Leave A Reply

Your email address will not be published.