ଆଉ କରୋନା ଆକ୍ରାନ୍ତଙ୍କ ଘର ବାହାରେ ଲାଗିବନି ପୋଷ୍ଟର

0 78

ନୂଆଦିଲ୍ଲୀ, ୯ ।୧୨: କରୋନା ରୋଗୀଙ୍କ ଘର ବାହାରେ ଆଉ ଲାଗିବନି ପୋଷ୍ଟର । ଏକ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଯଦି ଘର ବାହାରେ ପୋଷ୍ଟର ଲଗାଇବା ଅତି ଜରୁରୀ ଥାଏ, ତାହେଲେ ଏଥିପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ । ଘର ବାହାରେ ପୋଷ୍ଟର ମାରିବା ଦ୍ୱାରା ରୋଗୀଙ୍କ ସହ ଭେଦଭାବ ହେଉଥିବା ସୁପ୍ରିମକୋର୍ଟ କହିଛନ୍ତି । ଶୁଣାଣି ବେଳେ ସୁପ୍ରିମ୍କୋର୍ଟ କହିଥିଲେ, ଯେଉଁଠାରେ ଏଭଳି ପୋଷ୍ଟର ଲଗାଯାଇଛି, ସେଠାରେ ଲୋକଙ୍କର ବ୍ୟକ୍ତିତ୍ୱର ହନନ କରାଯାଉଛି । ଏହାସହ ପୋଷ୍ଟର ଲଗାଯିବା ଦ୍ୱାରା ରୋଗୀ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ପଡ଼ୋଶୀଙ୍କଠାରୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ପକ୍ଷ ରଖି ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର ସରକାର ଏଭଳି କୌଣସି ନିର୍ଦ୍ଦେଶାନାମା ଜାରି କରିନାହାନ୍ତି । ପୋଷ୍ଟର ଲଗାଇବା ନିଷ୍ପତ୍ତି ରାଜ୍ୟ ସରକାରଙ୍କର ଥିଲା । ପଡ଼ୋଶୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ସତର୍କ କରାଇବା ପାଇଁ ରାଜ୍ୟ ସରକାରମାନେ ଏଭଳି ନିର୍ଦ୍ଦେଶାନାମା ଜାରି କରିଥିଲେ । ଏହା ଉପରେ ସୁପ୍ରିମ୍କୋର୍ଟ କହିଛନ୍ତି, ବାସ୍ତବ ଚିତ୍ର ଅଲଗା କହୁଛି । ପୋଷ୍ଟର ଲଗାଯିବା ଦ୍ୱାରା ଲୋକେ ରୋଗୀଙ୍କୁ ଅଛୁଆଁ ଭାବୁଛନ୍ତି । ତେଣୁ ଏବେ କାହା ଘର ବାହାରେ ପୋଷ୍ଟର ଲାଗିବନି ବୋଲି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଭାରତରେ ଏବେ କରୋନା ପଜିଟିଭ୍ ମାମଲା ହ୍ରାସ ପାଇଛି । କରୋନା ଆକ୍ଟିଭ୍ ମାମଲାରେ ଭାରତ ଏବେ ସପ୍ତମରୁ ଅଷ୍ଟମ ସ୍ଥାନରେ ପହଞ୍ଚିଛି । ଆକ୍ଟିଭ୍ ମାମଲାରେ ସବୁଠାରୁ ଖରାପ ସ୍ଥିତି ଆମେରିକାରେ ରହିଛି । ଭାରତରେ ଏବେ ୩ଲକ୍ଷ ୭୮ହଜାର ୯୦୯ ରୋଗୀଙ୍କ ଚିକିତ୍ସା ଚାଲିଛି । ସେହି ତୁଳନାରେ ଆମେରିକାରେ ୬୦.୯୬ ଲକ୍ଷ ରୋଗୀଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.