ଯୋଜନା ଠାରୁ ଯୋଜନ ଦୂରରେ କୁମ୍ଭୀଖାରି, ସମସ୍ୟାର ଅନ୍ତ କେବେ ?

0 69

ବୈପାରିଗୁଡା – ସରକାରଙ୍କ ପକ୍ଷରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ନୂତନ ଯୋଜନା ମାନ ହାତକୁ ନିଆଯାଇ ବର୍ଷକୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।ଏହି ଯୋଜନାର ସୁଫଳ ଅଧିକାଂଶ ଅଞ୍ଚଳରେ ମିଳି ପାରୁଥିବା ବେଳେ, ଭାଗ୍ୟର ବିଡ଼ମ୍ବନାରୁ କିଛି ଅଞ୍ଚଳ ଆଜିବି ସରକାରୀ ଯୋଜନାରୁ ଯୋଜନ ଦୂରରେ ରହିଛି ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ରାମଗିରି ପଞ୍ଚାୟତର କୁମ୍ଭୀଖାରି ଗ୍ରାମରେ ।ଯେଉଁଠି ଏଯାଏ ପହଂଚି ପାରିନି ସରକାରଙ୍କ ପ୍ରଦତ ମୌଳିକ ସୁବିଧା, ସରକାରୀ ଯୋଜନା ଏଠାକାର ବାସିନ୍ଦା ମାନଙ୍କ ପାଇଁ ସାତ ସପନ ପାଲଟିଛି ।ସ୍ୱାଧୀନତା ପରେବି ସର୍ବନିମ୍ନ  ମୌଳିକ ସୁବିଧାରୁ କୁମ୍ଭୀଖାରି ଗ୍ରାମବାସୀ ବଞ୍ଚିତ ହେଉଥିବା ଅଭିଯୋଗ ଉଠାଇଛନ୍ତି ।ବିକାଶର ଆଢୁଆଳରେ ରହିଛି ଏହି ଅଞ୍ଚଳ, ଯାହାକି ଏହାର ନଗ୍ନଚିତ୍ରକୁ ପ୍ରତିଫଳିତ କରୁଛି ।ଏହି ଗ୍ରାମରେ ମୋଟ ୨୦ଟି ଘର ରହିଛି । ଲୋକସଂଖ୍ୟା ପାଖାପାଖି ୮୦ରୁ ୧୦୦ ।ଏହି ଗ୍ରାମ ଆଜକୁ ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ଗଢି ଉଠିଛି ବୋଲି ଗ୍ରାମର ଶିକ୍ଷିତ ଯୁବକ ସୋମନାଥ ଗାଦବା ଦୁଃଖ ର ସହ ପ୍ରକାଶ କରିଛନ୍ତି ।ଏହି ଗ୍ରାମର ପ୍ରାୟ ସମସ୍ତ ବ୍ୟକ୍ତି ପ୍ରତ୍ୟକ୍ଷ ଭାବେ ଚାଷ ଉପରେ ନିର୍ଭର କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ।ଅନ୍ୟ କିଛି ବାହାରେ ମୂଲ ଲାଗି ଦୁଇ ପଇସା ରୋଜଗାର କଲେ ସେମାନଙ୍କ ତେଲଲୁଣ ସଂସାରର ରଥ ଆଗକୁ ବଢିଥାଏ କିନ୍ତୁ ପରିତାପର ବିଷୟ ଏହିକିଯେ, ଏଯାଏଁ କୁମ୍ଭୀଖାରି ଗ୍ରାମ  ବିକାଶର ଆଢୁଆଳରେ ରହିଛି । ପାନୀୟ ଜଳ, ବିଦ୍ୟୁତ, ଶିକ୍ଷା ବ୍ୟବସ୍ଥା ଏଠି ଏବେ ସୁଦ୍ଧା ପହଂଚି ପାରିନାହିଁ ।ଏହି ସବୁ ସମସ୍ୟାର ସମାଧାନ ପାଇଁ ବହୁବାର ଗ୍ରାମବାସୀ ମାନେ ପ୍ରଶାସନ ସମ୍ମୁଖରେ ଗୁହାରି ଜଣାଇଥିଲେ ସୁଦ୍ଧା ତାହା ନିଷ୍ପଳ ହୋଇଥିବା ଗ୍ରାମର ମଙ୍ଗଳା ଗାଦବା ପ୍ରକାଶ କରନ୍ତି ।ଏହି ବସ୍ତିରେ ପାନୀୟ ଜଳ ସମସ୍ୟା ଗୁରୁତର ରୂପ ଧାରଣ କରିଛି ।ଗ୍ରାମ ନିକଟରେ ଏକ ମାତ୍ର ଚୁଆ ରହିଛି ।ଯାହାକି ଖରାଦିନେ ଶୁଷ୍କ ହୋଇ ଯାଇଥାଏ । ଫଳରେ ଗ୍ରାମରେ ବସବାସ କରୁଥିବା ମହିଳା ଏବଂ ପୁରୁଷ ମାନଙ୍କୁ ଗାଧୋଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।ଉକ୍ତ ଚୁଆଟି ପଙ୍କ, କାଦୁଅରେ ଅପରିଷ୍କାର ହୋଇ ପଡ଼ିଥିବାରୁ ଏହି ପାଣି ପିଇବା ଉପଯୋଗୀ ହୋଇପାରେ ନାହିଁ, ଏଣୁ ବାଧ୍ୟ ହୋଇ ଗ୍ରାମବାସୀ ଅନତିଦୂରରେ ଥିବା ଆଉ ଏକ ଚୁଆରୁ ଗ୍ରାମବାସୀ ପାନୀୟ ଜଳ ସଂଗ୍ରହ କରିଥାନ୍ତି ବୋଲି ଗ୍ରାମର ମହିଳାମାନେ ପ୍ରକାଶ କରିଛନ୍ତି ।ଏଯାଏଁ ଗୋଟିଏ ହେଲେ ନଳକୂପର ଦେଖାଦର୍ଶନ ଏହି ଗ୍ରାମରେ ମିଳୁନାହିଁ ।ଯାହା ଫଳରେ ଦୂଷିତ ଜଳ ସେବନ କରି ଗ୍ରାମର ବହୁ ଲୋକ ପୂର୍ବରୁ ପେଟରୋଗରେ ଆକ୍ରାନ୍ତ ହୋଇଥିବାର ନଜିର ରହିଛି । ସେହିପରି, ବିଦ୍ୟୁତ ସେବାରୁ ବଂଚିତ ଅଛନ୍ତି କୁମ୍ଭୀଖାରି ଗ୍ରାମବାସୀ ।ସଞ୍ଜ ନଇଁଲେ ଏହି ବସ୍ତିରେ ଅନ୍ଧାର ନିଜର ସାମ୍ରାଜ୍ୟ ବିସ୍ତାର କରିଥାଏ ।ଲଣ୍ଠନ, ଡିବିରି ଆଦି ଜଳାଇ ଘରକୁ ଆଲୋକିତ କରିଥାନ୍ତି ଗ୍ରାମବାସୀ ।ସେହିପରି ଗ୍ରାମର ପ୍ରାୟ ଅଂଚଳ ଅନ୍ଧକାରମୟ ଥିବାରୁ ବିଭିନ୍ନ ଜୀବଜନ୍ତୁ, ସର୍ପ ଭୟ ରହିବା ସ୍ୱାଭାବିକ ।ତଥାପି ଗ୍ରାମବାସୀ ବିଜୁଳି ଆଲୁଅ ବିନା ରାତି କଟାଇବାକୁ ବାଧ୍ୟ ହୋଇଥାନ୍ତି । କୋମଳମତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏଠି ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ପିଲାମାନେ ବିଦ୍ୟା ଅର୍ଜନ ପାଇଁ ଗ୍ରାମରୁ ପ୍ରାୟ ୭ କିଲୋମିଟର ଦୂର ମାଳିଗୁଡ଼ା ଗ୍ରାମକୁ ଯିବାକୁ ପଡ଼ିଥାଏ ।ବର୍ଷାଦିନେ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି ସେମାନଙ୍କ ଅଭିଭାବକ ମାନେ ମତ ଦିଅନ୍ତି । ଏହି ଗ୍ରାମରେ ଅଧିକାଂଶ ବାସିନ୍ଦା ଖଟିଖିଆ ଓ ଶ୍ରମଜିବୀ ଏବଂ ଚାଷୀ ଶ୍ରେଣୀର ଅଟନ୍ତି, ହେଲେ ଆଜି ଯାଏ ସରକାରଙ୍କ ପ୍ରଦତ ଅନେକ ସୁବିଧା ସୁଯୋଗରୁ କୁମ୍ଭୀଖାରି ଗ୍ରାମବାସୀ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି ଗ୍ରାମର ମଙ୍ଗଳା ଗାଦବା, ସୋମନାଥ ଗାଦବା,କମୁଳୁ ଖରା, ସମରା ଖରା,ସାଧୁ ଚନ୍ଦ୍ର ଶୀଶା, ରାମଚନ୍ଦ୍ର ଶୀଶା,ଘାସିରାମ ଶୀଶା,ଜଗନ୍ନାଥ ଶୀଶା, ବାସୁଦେବ ଖରା,ପାନ ଗାଦବା, କାମୀ ଗାଦବା,ଶଶୀ ଖରା, ତୁଳସା ଗାଦବା,ଧନମତି ଶୀଶା,ସନୀ ଖରା, ଗୋରୀ ଖରା ପ୍ରମୁଖ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.