ପୁଣି ଲାଲୁଙ୍କୁ କୋର୍ଟର ଝଟକା, ଜାମିନ ଆବେଦନ

0 73

ପାଟନା, ୧୧ ।୧୨ : ଚାରା ଘୋଟାଲା ମାମଲାରେ ଜେଲରେ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ପୁଣି କୋର୍ଟ ଝଟକା ଦେଇଛି । ଝାଡଖଣ୍ଡ ହାଇକୋର୍ଟ ଚାରା ଘୋଟାଲା ମାମଲାରେ ଲାଲୁଙ୍କ ଜାମିନ ଆବେଦନକୁ ୬ ସପ୍ତାହ ଯାଏ ଘୁଞ୍ଚାଇ ଦେଇଛନ୍ତି । ଫଳରେ ଲାଲୁ ଜେଲରୁ ମୁକୁଳିବାକୁ ନେଇ ଥିବା ଆଶା ପୁଣି ଦେଢମାସ ଯାଏ ମଉଳି ଯାଇଛି । ସୂଚନା ଥାଉକି ଲାଲୁଙ୍କ ଓକିଲ ସପ୍ଲିମେଣ୍ଟାରୀ ଏଫିଡେପିଟ୍ ଦାଖଲ କରିବାକୁ କୋର୍ଟଙ୍କୁ ଅତିରିକ୍ତ ସମୟ ମାଗିଥିଲେ । ଏହାପରେ ଲାଲୁଙ୍କୁ ଜାମିନ ପ୍ରଦାନ କରିବାକୁ ତାଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ । ଲାଲୁ ଯାଦବଙ୍କ ଉପରେ ଚାରା ଘୋଟାଲାକୁ ନେଇ ଅନେକ ମାମଲା ରୁଜୁ ହୋଇଛି । ଶୁଣାଣି ହୋଇଥିବା ମାମଲାଟି ୫ ନମ୍ବର ମାମଲା ଭାବେ ରୁଜୁ ହୋଇଥିଲା । ଏହି ମାମଲା ଝାଡଖଣ୍ଡ ଡେରଡା କୋଷାଗାରରୁ ବେନିୟମ ଭାବେ ଟଙ୍କା ଉଠାଣକୁ ନେଇ ହୋଇଥିଲା । ଏଥିରେ ଟ୍ରେଜେରୀରୁ ବେଆଇନ ଭାବେ ୧୩୯ କୋଟି ଟଙ୍କା ଉଠା ଯାଇଥିବା ଅଭିଯୋଗ ହୋଇଥିଲା । ସୂଚନାଥାଉକି ଲାଲୁ ଯାଦବଙ୍କ ଉପରେ ଚାରା ଘୋଟାଲାକୁ ନେଇ ହୋଇଥିବା ମାମଲାରୁ ୩ ଟି ମାମଲାରେ ଲାଲୁଙ୍କୁ ଜାମିନ ମିଳିସାରିଛି । ଡେରେଡା କୋଷାଗାର ମାମଲାରେ ଆଜି (ଡିସେମ୍ୱର ୧୧ ତାରିଖରେ) ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ଏହି ଶୁଣାଣିକୁ ପୁଣି ୬ ସପ୍ତାହ ଘୁଞ୍ଚାଇ ଦେଇଛନ୍ତି । ଲାଲୁ ଯାଦବଙ୍କୁ ଯେଉଁ ୪ଟି ମାମଲାରେ ଦୋଷୀ ସାବ୍ୟସ୍ତ କରି କୋର୍ଟ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ତାହା ମଧ୍ୟରୁ ୩ ଟି ମାମଲାରେ ହାଇକୋର୍ଟ ଲାଲୁଙ୍କୁ ଜାମିନ ପ୍ରଦାନ କରିସାରିଛନ୍ତି । ଲାଲୁଙ୍କୁ ମିଳିଥିବା ଦଣ୍ଡ ମଧ୍ୟରୁ ଅଧା ସମୟ ସେ ଜେଲରେ କାଟି ସାରିଥିବା ଆଧାରରେ କୋର୍ଟ ତାଙ୍କୁ ଅଧା ସମୟ ସଜା କାଟିଥିବା ଆଧାରରେ ଜାମିନ ପ୍ରଦାନ କରିଥିଲେ । ଦୁମକା କୋଷାଗାର ମାମଲାରେ ସେ ଏହି ଆଧାରରେ ଜାମିନ ପାଇଁ ଆବେଦନ କରିଥିଲେ । ଏହା ସହ ଅସୁସ୍ଥତା କାରଣ ବି ଦର୍ଶାଇଥିଲେ । ତଦନ୍ତକାରୀ ସଂସ୍ଥା ସିବିଆଇ ଲାଲୁ ଯାଦବଙ୍କ ମାମଲାରେ ପ୍ରଥମରୁ ଜାମିନକୁ ବିରୋଧ କରୁଛନ୍ତି । ହେଲେ ବିଭିନ୍ନ ଆଧାରରେ ଲାଲୁ କୋର୍ଟରେ ଜାମିନ ପାଇଁ ଆବେଦନ କରିଚାଲିଛନ୍ତି ।

Leave A Reply

Your email address will not be published.