‘ହୁ’ ଓ ରେଡକ୍ରସ୍ ମଧ୍ୟରେ ଚୁକ୍ତିନାମା

0 65

ନୂଆଦିଲ୍ଲୀ, ୧୨ ।୧୨: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ରେଡକ୍ରସ୍ ଓ ରେଡ୍ କ୍ରିସେଣ୍ଟ୍ ସୋସାଇଟିଜ ମାନବିକ ସଙ୍କଟ ସମୟରେ ଜରୁରୀକାଳୀନ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଣକୁ ମଜବୁତ କରିବା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । “ହୁ’ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଧନୋମ୍ ଗେବ୍ରେସସ୍ ଏବଂ ଆଇଏଫଆରସି ସଚିବ ଜଗନ୍ କାପାଗେନ୍ “ଜରୁରୀକାଳୀନ ମେଡିକାଲ୍ ଟିମ୍’ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ସହଯୋଗ କରିବାକୁ ଏହି ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ଡକ୍ଟର ଟେଡ୍ରୋସ “ଜରୁରୀକାଳୀନ ମେଡିକାଲ୍ ଟିମ୍’ ବ୍ୟବସ୍ଥା ପାଇଁ ସେମାନଙ୍କର ସହାୟତା ପାଇଁ ଆଇଏଫଆରସିକୁ ଧନ୍ୟବାଦ ଦେବା ସହ କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିରେ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବା ନିମନ୍ତେ ନିରନ୍ତର ସହଭାଗିତାକୁ ଅପେକ୍ଷା କରିଛୁ । ସେ କହିଛନ୍ତି, କୋଭିଡ-୧୯ ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ ଜରୁରୀକାଳୀନ ପରିସ୍ଥିତିରେ ଏହି ସହଭାଗିତା ହୋଇପାରିଲା ନାହିଁ । ଆନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ରେଡକ୍ରସ୍ ସଚିବ ଜଗନ୍ କାପାଗେନ୍ କହିଛନ୍ତି ଯେ ମାନବିକ ଜରୁରୀକାଳୀନ ପରିସ୍ଥିତିରେ ପ୍ରଭାବିତ ସମ୍ପ୍ରଦାୟକୁ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ରେଡକ୍ରସ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ସେ କହିଛନ୍ତି ଯେ ଏହି ବୁଝାମଣା ପତ୍ର ଜରୁରୀକାଳୀନ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଆହୁରି ଗୁଣବତ୍ତା ସମ୍ପନ୍ନ କରିବା ଏବଂ ନ୍ୟାସନାଲ ରେଡକ୍ରସ୍ ଏବଂ ରେଡ କ୍ରେସେଣ୍ଟ ସୋସାଇଟି ପାଇଁ ଅଧିକ ସହାୟତା ପ୍ରଦାନ କରିବା କ୍ଷେତ୍ରରେ ସଫଳ ସାବ୍ୟସ୍ତ ହେବ । ସେ କହିଛନ୍ତି, ଗୁଣାତ୍ମକ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ “ହୁ’ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଆମେ ଅତ୍ୟନ୍ତ ପ୍ରତିବଦ୍ଧ । ରେଡ ଚ୍ୟାନେଲ ଚୁକ୍ତିନାମା ଭାବରେ ସ୍ୱାକ୍ଷରିତ ଏହି ଚୁକ୍ତିନାମା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମେଡିକାଲ ଟିମ୍ ଇନିସିଏଟିଭ୍ ଓ ଆନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ରେଡକ୍ରସ୍ ମଧ୍ୟରେ ଦୀର୍ଘ ବର୍ଷର ସହଯୋଗର ଫଳ ଅଟେ । ନୂତନ ଚୁକ୍ତିନାମା ଅନୁଯାୟୀ ଦୁଇ ଆନ୍ତର୍ଜାତୀୟ ସଂଗଠନ ମଧ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ସମନ୍ୱୟ ଆଣିବା ସହ ବୈଷୟିକ ଗୁଣବତ୍ତା ରକ୍ଷା ଏବଂ ଉତ୍ତରଦାୟିତ୍ୱ ପ୍ରତି ଅଧିକ ଧ୍ୟାନ ଦିଆଯାଇ ପାରିବ ।

Leave A Reply

Your email address will not be published.