ପଶ୍ଚିମବଙ୍ଗରେ ଗସ୍ତରେ ମୋହନ ଭାଗବତ

0 60

କଲକାତା, ୧୨ ।୧୨:ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟରେ ନିଜର ସ୍ଥିତିକୁ ଆହୁରି ମଜବୁତ କରିବାକୁ ଚାହୁଁଛି । ତେଣୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ ମଧ୍ୟ ଶନିବାରଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗରେ ଗସ୍ତରେ ଅଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ସେ ରାଜ୍ୟର ଯୁବକମାନଙ୍କୁ ଭେଟିବେ । ମହାକାଶ ଗବେଷଣା, ନାସା, ମାଇକ୍ରୋ ବାୟୋଲୋଜି, ମେଡିକାଲ ସାଇନ୍ସରେ ବିଦେଶରୁ ସଫଳତା ହାସଲ କରିବା ପରେ ଭାରତ ଫେରିଥିବା ଯୁବକମାନଙ୍କୁ ସେ ସାକ୍ଷାତ କରିବେ । ଏମାନେ ହେଉଛନ୍ତି ସେହି ଯୁବକ ଯେଉଁମାନେ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଭଳି ଅଭିଯାନରେ ସହଯୋଗ କରୁଛନ୍ତି । ତାଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ୧୯ ଏବଂ ୨୦ ଡିସେମ୍ବରରେ ପଶ୍ଚିମବଙ୍ଗ ଗସ୍ତ କରିବେ । ଗୃହମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଭାଗବତ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି, ତେଣୁ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ବିଜେପି ଜାତୀୟ ଅଧ୍ୟକ୍ଷ ଜେ.ପି ନଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ । ହେଲେ ତାଙ୍କ ଶେଭାଯାତ୍ରା ଉପରେ ଆକ୍ରମଣ କରାଯାଇଥିଲା । ତେବେ ତାଙ୍କ କାର ବୁଲେଟପ୍ରୁଫ ଥିଲା, ତେଣୁ ସେ କୌଣସି ଆଘାତ ପାଇ ନଥିଲେ । ଏହି ଘଟଣାକୁ ନେଇ ବିଜେପି, ଶାସକ ତୃଣମୂଳ କଂଗ୍ରେସ ଉପରେ ଅଭିଯୋଗ କରିଛି । ଏହି ଘଟଣା ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଡିଜିପି ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ଡକାଇଛନ୍ତି । ଏଥି ସହ ରାଜ୍ୟପାଳ ଜଗଦୀପ ଧନକଡ ମମତା ସରକାରଙ୍କୁ ନିଆଁ ସହ ନ ଖେଳିବାକୁ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛି ।

Leave A Reply

Your email address will not be published.