ସଂସଦ ଉପରେ ହୋଇଥିବା କାପୁରୁଷ ଆକ୍ରମଣକୁ କଦାପି ଭୁଲିପାରିବୁ ନାହିଁ

0 68

ନୂଆଦିଲ୍ଲୀ ୧୩/୧୨: ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣକୁ ଆଜି ୧୯ ବର୍ଷ ପୁରିଛି । ୧୯ ବର୍ଷ ତଳେ ଆଜିର ଦିନରେ, ଲୋକସଭା ଅଧିବେଶନ ସମୟରେ ଲସ୍କର-ଏ-ତୋଏବା ଏବଂ ଜୈଶ୍ -ଏ-ମହମ୍ମଦର ୫ଜଣିଆ ଆତ୍ମଘାତୀ ଆତଙ୍କବାଦୀ ଦଳ ଭାରତୀୟ ସଂସଦ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ଗୃହ ମୁଲତବୀ ଥିଲେ ମଧ୍ୟ କେତେକ ସାଂସଦ ଏବଂ କର୍ମଚାରୀ ସଂସଦରେ ଉପସ୍ଥିତ ଥିଲେ । ଆତଙ୍କବାଦୀମାନଙ୍କୁ ସଂସଦ ଭବନ ମଧ୍ୟକୁ ପ୍ରବେଶ କରିବାରେ ବାଧା ଦେବାକୁ ଯାଇ ଦିଲ୍ଲୀ ପୁଲିସର ୫ଜଣ ସୁରକ୍ଷା କର୍ମଚାରୀ, ସିଆର୍ପିଏଫ୍ର ଜଣେ ମହିଳା କନେଷ୍ଟବଳ ଏବଂ ସଂସଦ “ୱାଚ୍ ଆଣ୍ଡ୍ ୱାର୍ଡ’ ସେକ୍ସନ୍ର ଦୁଇଜଣ ସୁରକ୍ଷା ସହକାରୀ ସହିଦ ହୋଇଥିଲେ । ଜଣେ ମାଳୀ ଓ ଜଣେ ଫଟୋ ସାମ୍ବାଦିକ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ । ସୁରକ୍ଷା କର୍ମଚାରୀଙ୍କ ସହ ଗୁଳି ବିନିମୟ କରି ୫ଜଣ ଆତଙ୍କବାଦୀ ସେହି ସମୟରେ ନିହତ ହୋଇଥିଲେ । ଅଳ୍ପ କେତେଦିନ ମଧ୍ୟରେ ଏହି ଆକ୍ରମଣର ୪ଜଣ ମାଷ୍ଟର୍ ମାଇଣ୍ଡ୍ଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଟ୍ୱିଟ୍ କରିଛନ୍ତି ଯେ ସଂସଦ ଉପରେ ହୋଇଥିବା କାପୁରୁଷ ଆକ୍ରମଣକୁ କଦାପି ଭୁଲି ପାରିବୁ ନାହିଁ । ଆକ୍ରମଣ ସମୟରେ ଜନଜୀବନ ରକ୍ଷା କରିବାକୁ ସହିଦ ହୋଇଥିବା ଯବାନମାନଙ୍କ ପ୍ରତି ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ୨୦୦୧ ମସିହା ଆଜିର ଦିନରେ ଆମ ସଂସଦରେ ହୋଇଥିବା ଭୀରୁତାପୂର୍ଣ୍ଣ ଆକ୍ରମଣକୁ ଆମେ କେବେ ଭୁଲି ପାରିବୁ ନାହିଁ । ସଂସଦକୁ ସୁରକ୍ଷିତ ରଖି ଯେଉଁମାନେ ସହିଦ ହୋଇଥିଲେ ଆମେ ସେମାନଙ୍କ ଶୌର୍ଯ୍ୟ ଓ ଆତ୍ମବଳିକୁ ସ୍ମରଣ କରୁଛୁ । ଭାରତ ସର୍ବଦା ସେମାନଙ୍କ ପ୍ରତି କୃତଜ୍ଞ ରହିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ୨୦୦୧ ସଂସଦ ଭବନ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସଂସଦ ଆକ୍ରମଣର ବାର୍ଷିକୀ ଅବସରରେ ଶ୍ରୀ କୋବିନ୍ଦ ଟ୍ୱିଟ କରିଛନ୍ତି, ଆଜି ଦେଶ ୨୦୦୧ ମସିହା ସଂସଦ ଆକ୍ରମଣରେ ନିଜ ଜୀବନକୁ ଉତ୍ସର୍ଗ କରି ସଂସଦର ସୁରକ୍ଷା କରିଥିବା ଯବାନମାନଙ୍କୁ ସ୍ମରଣ କରୁଛି । ସେହିପରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନମାନଙ୍କୁ ଦେଶ ସବୁ ସମୟରେ ସ୍ମରଣ କରିବ ।

Leave A Reply

Your email address will not be published.