୧୦ ମାସ ଭିତରେ ସମସ୍ତଙ୍କୁ ଦିଆଯିବ କରୋନା ଟିକା : ଆଦର ପୁନୱାଲା

0 61

ଭୁବନେଶ୍ୱର, ୧୩ ।୧୨: କରୋନା ଟିକାକୁ ନେଇ ସାରା ବିଶ୍ୱ ଏବେ ତତ୍ପର । କେବେ ସମସ୍ତଙ୍କୁ ମିଳିବ ଟିକା? ଟିକା କେତେ ଫଳପ୍ରଦ ହେବ ? ଏହାକୁ ନେଇ ବିଚାର ବିମର୍ଶରେ ଲାଗିଛନ୍ତି ସବୁ ରାଷ୍ଟ୍ର । ଖୁବ୍ଶୀଘ୍ର ଭାରତରେ କରୋନା ଟିକା ଦିଆଯିବ ବୋଲି ନିକଟରେ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିବା ବେଳେ ଏବେ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସିଇଓ ଆଦର ପୁନାୱାଲାଙ୍କ ଆସିଛି ବଡ ବୟାନ । ସେ କହିଛନ୍ତି ଜାନୁଆରୀରୁ ଦେଶରେ ଟିକାକରଣ ଆରମ୍ଭ ହୋଇପାରେ । ଅକ୍ଟୋବର ସୁଦ୍ଧା ସବୁ କିଛି ସ୍ୱାଭାବିକ ହୋଇଯିବ । ଅର୍ଥାତ ୧୦ ମାସ ଭିତରେ ସମସ୍ତଙ୍କୁ ଦିଆଯିବ ଟିକା । ଏ ମାସ ଶେଷ ସୁଦ୍ଧା ଜରୁରୀ ବ୍ୟବହାର ଲାଗି କୋଭିସିଲ୍ଡକୁ ଅନୁମତି ମିଳିବା ନେଇ ସେରମ୍ ଇନଷ୍ଟିଚ୍ୟୁଟ ମୁଖ୍ୟ ଦୃଢ ଆଶାବାଦୀ । କୋଭିସିଲ୍ଡର ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ବେଳେ କମ୍ପାନୀ ଜରୁରୀ ବ୍ୟବହାର ପାଇଁ ଆବେଦନ କରିଛି । ଟିକା ପ୍ରସ୍ତୁତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଥିବା ବେଳେ ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର । କାହାକୁ ଆଗ ଟିକା ଦିଆଯିବ, ଟିକାକରଣ କେନ୍ଦ୍ରରେ କେତେ କର୍ମଚାରୀ ନିୟୋଜିତ ହେବେ, କେତେ ଜଣକୁ ଦୈନିକ ଟିକା ଦିଆଯାଇ ପାରିବ । କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ଟିକାକରଣ ସଂଚାଳନ ପ୍ରକ୍ରିୟା ନେଇ ନିର୍ଦ୍ଦେଶାବଳୀ ପ୍ରଦାନ କରିଛନ୍ତି । କିନ୍ତୁ ସାଧାରଣ ଲୋକଙ୍କ ମନରେ ଏକାଧିକ ପ୍ରଶ୍ନ- ଟିକା ମାଗଣାରେ ମିଳିବ ନା ଟିକା ବାବଦରେ ଲୋକଙ୍କୁ ଟଙ୍କା ଦେବାକୁ ପଡ଼ିବ । ଏହା ସହିତ ଟିକା ସଂପୂର୍ଣ୍ଣ ସୁରକ୍ଷିତ ହେବ କି ନାହିଁ ଏ ସନ୍ଦେହ ବି ତୁହାକୁ ତୁହା ଉଙ୍କି ମାରୁଛି । ଏହାରି ମଧ୍ୟରେ ମାଗଣା ଟିକା ଦେବାକୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଏବେ ଲୋକଙ୍କୁ ପ୍ରତିଶୃତି ଦେବାରେ ଲାଗିଛନ୍ତି । କେରଳ ସମେତ ୫ ରାଜ୍ୟ ମାଗଣା ଟିକା ଦେବାକୁ ଘୋଷଣା କରିସାରିଲେଣି । ଏସବୁ ଭିତରେ ଆଶ୍ୱସ୍ତିର ବିଷୟ ହେଲା ଦେଶ ସହ ଆମ ରାଜ୍ୟରେ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁସଂଖ୍ୟା ଲଗାତର ହ୍ରାସ ପାଇବା । ୭ ଦିନ ଧରି ଦେଶରେ କରୋନା ମୃତ୍ୟୁ ୫୦୦ରୁ କମ୍ ରହିଛି । ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୫୬ ହଜାର ରହିଛି । ରାଜ୍ୟରେ ମୃତ୍ୟୁସଂଖ୍ୟା ୫ ପାଖାପାଖି ରହୁଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୪ ଶହ ତଳେ ରହିଛି । କିନ୍ତୁ କରୋନାକୁ ଆମେ ସଂପୂର୍ଣ୍ଣ ଜିତି ନାହୁଁ । କରୋନା ଏବେବି ବିପଦ ହୋଇ ରହିଛି । ସାମାନ୍ୟ ଅସାବଧାନତା ସ୍ଥିତିକୁ ସଂଗୀନ କରିଦେଇପାରେ ବୋଲି ସତର୍କ କରାଇ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଓଡ଼ିଶା ସଂଯୋଜକ ତଥା ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋ ଇଣ୍ଟ୍ରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ସାହୁ । କିନ୍ତୁ ଅନେକ ଲୋକ ଏବେବି ମାସ୍କ ପିନ୍ଧୁ ନାହାନ୍ତି, ସାମାଜିକ ଦୂରତା ନିୟମ ପାଳନ କରୁନାହାନ୍ତି । ବିଭିନ୍ନ ସ୍ଥାନରେ ରିଅଲିଟି ଚେକ୍ ବେଳେ ଏହି ତଥ୍ୟ ପଦାକୁ ଆସିଛି । ଯାହା ପୁଣି ବିପଦକୁ ଟାଣି ଆଣିପାରେ ।

Leave A Reply

Your email address will not be published.