ଆପଣଙ୍କ ଭୋଟର ପରିଚୟପତ୍ର ହେବ ଡିଜିଟାଲ !

0 67

ନୂଆଦିଲ୍ଲୀ, ୧୩ ।୧୨: ଖୁବଶୀଘ୍ର ଭୋଟର ଆଇକାର୍ଡ ବା ପରିଚୟ ପତ୍ର ଡିଜିଟାଲ କାର୍ଡରେ ଉପଲବ୍ଧ ହୋଇପାରେ । ଏ ନେଇ ନିର୍ବାଚନ କମିଶନ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନି । ବିଭିନ୍ନ ରାଜ୍ୟର ନିର୍ବାଚନ କମିଶନ ଏବଂ ଅନ୍ୟାନ୍ୟ ଆଡ଼ୁ ଏ ନେଇ ପ୍ରସ୍ତାବ ମଗାଯାଇଥିଲା । ଏବେ ଏହି ପ୍ରସ୍ତାବ ବାବଦରେ ନିର୍ବାଚନ କମିଶନ ବିଚାର କରୁଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି । ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ଆଧାର କାର୍ଡ ଡିଜିଟାଲ କାର୍ଡ ଭାବରେ ବ୍ୟବହାର ହେଉଛି । ତେଣୁ ଭୋଟର ଆଇକାର୍ଡକୁ ଡିଜିଟାଲ ଜରିଆରେ କରିବା ପାଇଁ ସକାରାତ୍ମକ ଭାବରେ ବିଚାର କରାଯାଉଛି । ଏମିତି ହେଲେ ଭୋଟର ନିଜ ପରିଚୟ ପତ୍ରକୁ ମୋବାଇ, ଇ-ମେଲ୍ ଆଦିରେ ରଖିପାରିବେ । ସାଧାରଣତଃ ଏବେର ଭୋଟର ଆଇକାର୍ଡ଼ରେ ଫଟୋ ଠିକ୍ ସେ ଦେଖାଯାଏ ନାହିଁ । ତେଣୁ ଡିଜିଟାଲ ଫଟୋ ହେଲେ ଠିକ୍ ଭାବରେ ଦେଖାଯିବ । ଅନ୍ୟପଟେ ଭୋଟର ଆଇ କାର୍ଡ ଚିରି ଗଲେ କିମ୍ୱା ହଜିଗଲେ ପୁନଃ ଆବେଦନ କରି ପାଇବା ସମୟସାପେକ୍ଷ । ତେଣୁ ଡିଜିଟାଲ ଭୋଟର ଆଇକାର୍ଡ ଥିଲେ ଏସବୁ ଝିଞ୍ଜଟ ଆଉ ନଥିବ । ସୂଚନାଯୋଗ୍ୟ ୧୯୯୩ ମସିହାରେ ପ୍ରଥମେ ଭୋଟର ଫଟୋଯୁକ୍ତ ପରିଚୟ ପତ୍ର ତିଆରି ହୋଇଥିଲା । ସେତେବେଳେ ଘରର ଠିକଣା ଏବଂ ବାପା, ମାଙ୍କ ନାମ ହିଁ ପରିଚୟ ପତ୍ର ତିଆରିର ମାପଦଣ୍ଡ ଥିଲା । ସେତେବେଳେ ମୁଖ୍ୟ ନିର୍ବାଚନ କମିଶନର ଟିଏନ ଶେଷନ ଥିଲେ । ଯିଏକି ଲାଗୁ କରାଇଥିଲେ ଏପରି ଭୋଟର ପରିଚୟ ପତ୍ର । ଏହା ପୂର୍ବରୁ ବିନା ଫଟୋରେ ପରିଚୟ ପତ୍ର ଥିଲା । ହେଲେ ନିର୍ବାଚନ ସମୟରେ ଅନିୟମିତତା ହେଉଥିବା ଦେଖି ଫଟୋଯୁକ୍ତ ପରିଚୟ ପତ୍ର ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.