୧୭ରୁ ବଢିବ ଶୀତ

0 59

ଭୁବନେଶ୍ୱର : ରାଜ୍ୟରେ ୧୭ରୁ ଶୀତ ପ୍ରକୋପ ବଢିବାର ସମ୍ଭାବନା ରହିଛି । ଆସନ୍ତା ଦୁଇଦିନ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିତ୍ତ ସ୍ଥାନରେ ଘନ କୁହୁଡି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି । ଅପରପକ୍ଷେ ପାଣିପାଗ ବିଶେଷଜ୍ଞ ପ୍ର. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି ରାତିରୁ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଦେଢ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିବା ହେତୁ ଶୀତ ବଢ଼ିବ । ତେବେ ୧୭ରୁ ପୁଣି ଶୀତ ଏବଂ ଘନ କୁହୁଡି ବଢିବ । ପଶ୍ଚିମ ସୀମାନ୍ତବର୍ତ୍ତୀ ଅଞ୍ଚଳର କିଛି ସ୍ଥାନରେ ୧୬ ଏବଂ ୧୭ରେ ସ୍ୱଳ୍ପ ବର୍ଷା ହୋଇପାରେ । ଶନିବାର ଏକ ଗୁରୁଚାପ ବଳୟ କେନ୍ଦ୍ରୀୟ ଭାରତରେ ରହିଛି । ଏହା କ୍ରମଶଃ ପୂର୍ବ ଆଡକୁ ଗତି କରି ୧୫ ଓ ୧୬ରେ ଓଡ଼ିଶା ଉପରେ ରହିବ । ପରେ ପଶ୍ଚିମ ଆଡକୁ ଗତିକରି ୧୮ ତାରିଖରେ ପୁଣି କେନ୍ଦ୍ରୀୟ ଭାରତରେ ରହିବାର ସମ୍ଭାବନା ରହିଛି । ଗୁରୁଚାପ ବଳୟ ହେତୁ ରାଜ୍ୟକୁ ଉତ୍ତରରୁ ଥଣ୍ଡା ପବନ ସିଧା ଆସିପାରୁନି । ୧୮ ତାରିଖରୁ ପୁଣି ରାଜ୍ୟକୁ ଉତ୍ତରା ପବନ ବହିବା ଆରମ୍ଭ ହେବ । ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ୧୬ ତାରିଖ ପର୍ୟ୍ୟନ୍ତ ଅପରିବର୍ତ୍ତିତ ରହି ୧୭ରୁ କମିବ । ସୁନ୍ଦରଗଡ ଜିଲାରେ ଦୁଇଦିନ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲସିୟମ୍ କମିବା ହେତୁ ଜିଲାରେ ଶୀତ ବଢିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ନୟାଗଡ, ଖୋର୍ଦ୍ଧା, ବୌଦ୍ଧ, କନ୍ଧମାଳ ଏବଂ ରାୟଗଡା ଜିଲାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ କୁହୁଡି ଦେଖାଦେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ନୟାଗଡ, ବୌଦ୍ଧ, କଟକ, ଜଗତସିଂହପୁର, କନ୍ଧମାଳ, ରାୟଗଡା ଏବଂ କୋରାପୁଟ ଜିଲାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ଘନ କୁହୁଡି ପଡିବାର ସମ୍ଭାବନା ରହିଛି । ଘନ କୁହୁଡିକୁ ଲକ୍ଷ୍ୟ କରି ପାଣିପାଗ ବିଭାଗ ପକ୍ଷରୁ ଏସବୁ ଜିଲାଗୁଡିକୁ ଏଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୬ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା ରହିଛି । ଆଗକୁ ବର୍ଷା ଥିବାରୁ ୨ରୁ ୩ ଦିନ ପର୍ୟ୍ୟନ୍ତ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ । ରାଜ୍ୟର ଅନ୍ୟ ଅଞ୍ଚଳରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ.ଆର. ବିଶ୍ୱାସ କହିଛନ୍ତି । ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୯.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଦାରିଙ୍ଗବାଡିରେ ୧୧, ଅନୁଗୋଳରେ ୧୧.୬, କୋରାପୁଟରେ ୧୨.୨, ଭାବନୀପାଟଣାରେ ୧୨.୬ ଏବଂ ବଲାଙ୍ଗୀରରେ ୧୪.୫ ଡିଗ୍ରୀ ସେଲସିୟମସ୍ ରେକର୍ଡ ହୋଇଛି ।

Leave A Reply

Your email address will not be published.