ଆଇଆଇଟି ମାଡ୍ରାସ୍ ଏବେ କରୋନାର ହଟ୍ ସ୍ପଟ୍, ୭୧ ଆକ୍ରାନ୍ତ

0 75

ଚେନ୍ନାଇ, ୧୪ ।୧୨ : ମହାମାରୀ କରୋନାର ହଟସ୍ପଟ ପାଲଟିଲାଣି ଆଇଆଇଟି ମାଡ୍ରାସ । ବର୍ତ୍ତମାନ ସୁଦ୍ଧା ଏଠାରେ ୭୧ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏମାନଙ୍କ ମଧ୍ୟରେ ୬୬ ଜଣ ଶିକ୍ଷାର୍ଥୀ ରହିଛନ୍ତି । ଡିସେମ୍ବର ୧ରୁ କ୍ରମାଗତ ଭାବେ ସଂକ୍ରମଣ ବଢ଼ୁଥିବାରୁ କର୍ତ୍ତୃପକ୍ଷ ଆଜି ବଡ଼ ପଦକ୍ଷେପ ନେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକାଧିକ ବିଭାଗ, ଲ୍ୟାବ ଓ ଲାଇବ୍ରେରୀକୁ ବନ୍ଦ କରିଦିଆଯାଇଛି । ସେହିପରି ହଷ୍ଟେଲରେ ଥିବା ପିଲାମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଇଛି । ନିକଟରେ ଚୂଡ଼ାନ୍ତ ବର୍ଷର ପରୀକ୍ଷାର୍ଥୀଙ୍କ ପାଇଁ ଆଇଆଇଟିରେ ଗେଟ୍ ଖୋଲା ଯାଇଥିଲା । ଏହାପରେ ସେଠାରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଡିସେମ୍ବର ୧ରେ ପ୍ରଥମେ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ । ଡିସେମ୍ବର ୧୦ରେ ଆଉ ୧୪ଟି ପଜିଟିଭ ମାମଲା ସାମ୍ନାକୁ ଆସିଥିଲା । ଶୁକ୍ରବାର ଠାରୁ କ୍ୟାମ୍ପସକୁ ହଟସ୍ପଟ ଭାବେ ଘୋଷଣା କରାଯିବା ସହ ଆଉ ୫୫ଟି ନୂଆ ମାମଲା ସାମ୍ନାକୁ ଆସିଥିଲା । କର୍ତ୍ତୃପକ୍ଷ କହିଛନ୍ତି, କ୍ୟାମ୍ପସରେ ୭୭୪ ଜଣ ପିଲା ରହୁଥିଲେ । କରୋନାରେ ଆକ୍ରାନ୍ତ ଅଧିକାଂଶ ଛାତ୍ରଛାତ୍ରୀ କ୍ରିଷ୍ଣା ଓ ଯମୁନା ହଷ୍ଟେଲରେ ରହୁଥିଲେ । ଶନିବାର ହଷ୍ଟେଲରେ ଥିବା ପିଲାଙ୍କୁ ରୁମ ବାହାରକୁ ନ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗେଷ୍ଟ ହାଉସରେ ଥିବା ଜଣେ ଫାକଲ୍ଟି ଓ ୪ ଜଣ ମେସ ଷ୍ଟାଫ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ଆଇଆଇଟି ମାଡ୍ରାସରେ କେମିତି ବ୍ୟାପିଲା, ସେକଥା ଜଣାପଡ଼ିନାହିଁ । କିନ୍ତୁ କ୍ୟାମ୍ପସରେ ଗୋଟିଏ ମେସ୍ କାର୍ଯ୍ୟକ୍ଷମ ଥିବାରୁ ଏଠାରେ ପ୍ରବଳ ଭିଡ଼ ହେଉଥିଲା । ଏଠାରୁ ହିଁ କରୋନା ସଂକ୍ରମଣ ବ୍ୟାପିଥିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.