ଦିନକୁ ଦିନ ବଜାର ଦର ବଢ଼ିବାରେ ଲାଗିଛି । ତେଲ ଓ ଡାଲି ଦରରେ ଲଗାମ ନାହିଁ । ସାଧାରଣ ଲୋକେ ଏବେ ବଜାର ଦରକୁ ନେଇ ଚିନ୍ତିତ ହେଉଛନ୍ତି । ଏପରିକି କରୋନା ମହାମାରୀ ଠାରୁ ବଜାର ଦର ଆହୁରି ଟେନ୍ସନ୍ ଆଣିଦେଇଛି । କିନ୍ତୁ ଅଳ୍ପସଂଖ୍ୟକ ଲୋକଙ୍କୁ ଏ ଦରବୃଦ୍ଧି ସେତେଟା ବାଧୁନାହିଁ । ସେମାନେ ହେଲେ ସରକାରୀ ଚାକିରିଆ । ବଜାର ଦର ସହ ତାଳଦେଇ ସେମାନଙ୍କ ଦରମା ମଧ୍ୟ ବୃଦ୍ଧି ହୁଏ । ଜଣେ ସରକାରୀ କର୍ମଚାରୀ କେତେ ଦରମା ନେଲେ ସ୍ୱଚ୍ଛନ୍ଦ୍ୱରେ ଚଳିପାରିବ ସେକଥା ସରକାର ଚିନ୍ତା କରନ୍ତି । ରହିବା ପାଇଁ ସରକାରୀ କ୍ୱାଟର୍ସ ଠାରୁ ଆରମ୍ଭ କରି ଅବସର ପରେ ମଧ୍ୟ ସେମାନଙ୍କୁ ଅଣଦେଖା କରାଯାଏନି । ସେମାନଙ୍କ ପାଇଁ ପେନ୍ସନର ବ୍ୟବସ୍ଥା ମଧ୍ୟ ରହିଛି । ଏପରିକି ପେନ୍ସନ୍ ମଧ୍ୟ ବୃଦ୍ଧି ହୁଏ ବଜାର ଦରକୁ ଦେଖି । କିନ୍ତୁ ସରକାରୀ ଚାକିରିଆଙ୍କ ବାଦ୍ ଆଉ ଯେଉଁମାନେ ରହିଲେ ସେମାନଙ୍କ କଥା ନକହିବା ଭଲ । ଏବେତ କରୋନା ପାଇଁ ଛୋଟ ଛୋଟ ବ୍ୟବସାୟୀମାନଙ୍କର ବେଉସା ବୁଡ଼ିଯାଇଛି । ନିର୍ଦ୍ଦିଷ୍ଟ ବେଉସା କରୁଥିବା ଲୋକ ଏବେ ଅନ୍ୟ ବେପାର କରିବା ପାଇଁ ବାଧ୍ୟ ହେଉଛି । କରୋନା ସେମାନଙ୍କ ବେଉସାକୁ ବୁଡ଼ାଇ ଦେଇଛି । ଏଭଳି ଦୁର୍ଦ୍ଦିନ ସମୟରେ ବଜାର ଦର ବୃଦ୍ଧି ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ତେଣୁ ଏଭଳି ମାନ୍ଦାବସ୍ଥା ସମୟରେ ଦରବୃଦ୍ଧି କଲେ ଲୋକେ ଦହଗଞ୍ଜ ହେବା ହିଁ ସାର ହେବେ କେବଳ । ଲୋକଙ୍କ କ୍ରୟ ଶକ୍ତି ବଢ଼ିବ କେମିତି? ଦେଶରେ ବେକାରୀ ସମସ୍ୟା ଉକ୍ରଟ ହୋଇଛି କରୋନା ଆସିବା ପରେ । ଅନେକ ଘରୋଇ ଉଦ୍ୟୋଗରେ ଚାକିରି କରୁଥିବା ଲୋକ ଏବେ ଚାକିରି ହରାଇ ଘରେ ବସିଛନ୍ତି । ଛୋଟ ଛୋଟ ବେପାରୀମାନେ ନିଜ ନିଜ ବୃତ୍ତି ଛାଡ଼ି ଅନ୍ୟ ବୃତ୍ତି ଆପଣାଇଛନ୍ତି ବଞ୍ôଚବା ପାଇଁ । ସେମାନଙ୍କ ସ୍ଥିତି କମିନି ଏଯାଏଁ । ଏଭଳି ସମୟରେ ବଜାର ଦର ଏହିସବୁ ଲୋକଙ୍କ ପାଇଁ କାଳ ପାଲଟିଛି । ଏହି ଦର ଆହୁରି ଅଧିକ ଅତ୍ୟାଚାରୀ ହୋଇଛି କରୋନା ଠାରୁ । ଆମ ଦେଶରେ ସବୁ ଲୋକଙ୍କ କ୍ରୟଶକ୍ତି ସମାନ ନୁହେଁ । କିଛି ଲୋକ ସବୁ କିଣିପାରନ୍ତି ବଜାର ଦରକୁ ଭ୍ରୂକ୍ଷେପ ନକରି । ଆଉ କିଛି ଲୋକ ଆବଶ୍ୟକତା ଅନୁସାରେ କିଣନ୍ତି । ଅଧିକାଂଶ ଲୋକ କେବଳ ବଞ୍ôଚବା ପାଇଁ ଯେତିକି ଦରକାର ସେତିକି କିଣନ୍ତି । ଏଭଳି ସମୟରେ କେବଳ ସରକାରୀ ଚାକିରିଆଙ୍କ ଆୟକୁ ଦେଖି ବଜାର ଦର ସ୍ଥିର କରିବା ନିହାତି ଦୁର୍ଭାଗ୍ୟର ବିଷୟ । ଅର୍ଥଶାସ୍ତ୍ରୀମାନେ କହନ୍ତି ବଜାର ଦର ବଢ଼ିଲେ ତା’ର ଲାଭ ତୃଣମୂଳସ୍ତର ଯାଏଁ ଯାଏ । ଡାଲି, ତେଲ, ଚିନି, ଅଟା ଇତ୍ୟାଦିର ଦର ବଢ଼ିଲେ ଚାଷୀ ଉପକୃତ ହେବ । ଆମ ଦେଶରେ ଆଳୁ ଚିପ୍ସର ଦର ଯେତିକି ସେହି ହାରରେ ଆଳୁ ଚାଷୀ ମୁହଁରେ ହସ ଥାଏ କି? ଆଳୁ ଚିପ୍ସକୁ ମନଲୋଭା ପ୍ୟାକେଟ୍ରେ ପୁରାଇ ବହୁରାଷ୍ଟ୍ରୀୟ କମ୍ପାନୀମାନ ବେପାର କରି ନାମୀଦାମୀ ଶୀତତାପ ନିୟନ୍ତ୍ରିତ କାର୍ ଚଢ଼ିବା ସମୟରେ ଚାଷୀଟି ଅଭାବୀ ବିକ୍ରିର ଶିକାର ହୋଇଥାଏ । ତେଲ ଦର ସହ ଆନୁପାତିକ ଆୟ କ’ଣ ସୋରିଷ, ସୂର୍ଯ୍ୟମୁଖୀ ଓ ବାଦାମ ଚାଷୀ ପାଏ କି? କପା ଚାଷୀ କ’ଣ ଜାଣିଛି ଗୋଟେ ଗୋଟେ ଦାମୀ ବ୍ରାଣ୍ଡର କଟନ୍ ସାର୍ଟର ଦାମ୍ ୫ହଜାର ଟଙ୍କା ଯାଏଁ ଯାଇପାରେ ବୋଲି? ସପିଂ ମଲ୍ରେ ମନଲୋଭା ଚେହେରାରେ ଟମାଟୋ ସସ୍ ବୋତଲ ଗୁଡ଼ିକ ସଜା ହୋଇ ରହିଥାଏ ଏବଂ ଯେଉଁ ଦରରେ ବିକ୍ରି ହୁଏ ଆମ ଦେଶର ଟମାଟୋ ଚାଷୀ କ’ଣ ସେହି ଦର ପାଏ? ତେଣୁ ବଜାର ଦର ଲାଭ ଯେ ଚାଷୀ ପାଖକୁ ଯାଏ ଏବଂ ବଜାର ଦର ବଢ଼ିଲେ ଲୋକଙ୍କ କ୍ରୟ କ୍ଷମତା ବଢ଼ିବ ଏସବୁ କେବଳ ଅର୍ଥଶାସ୍ତ୍ର ବହିରେ ରହିପାରେ ଆମ ଦେଶରେ । କ୍ଲାସରୁମ୍ରେ ପିଲାଙ୍କୁ ଏସବୁ ପାଠ ପଢ଼ାଯାଇପାରେ । ଅର୍ଥଶାସ୍ତ୍ରର ବାସ୍ତବରୂପ କିନ୍ତୁ ଅଲଗା ସବୁବେଳେ ।