ସାଧାରଣତନ୍ତ୍ର ଦିବସରେ ହେବେ ମୁଖ୍ୟ ଅତିଥି
ନୂଆଦିଲ୍ଲୀ, ୧୫ ।୧୨: ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଏଥିପାଇଁ ଭାରତ ସରକାର ପଠାଇଥିବା ନିମନ୍ତ୍ରଣକୁ ଜନସନ ଗ୍ରହଣ କରିଛନ୍ତି । ବ୍ରିଟେନର ବୈଦେଶିକ ସଚିବ ଏ ସମ୍ପର୍କରେ ସୂଚନା ଦେଇ ଏହା ଦେଶ ପାଇଁ ଏକ ଗର୍ବର ବିଷୟ ବୋଲି କହିଛନ୍ତି । ଏହାର ଅର୍ଥ ଗତବର୍ଷ ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇଥିବା ବୋରିସ ଜନସନ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିବେ । ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆସନ୍ତାବର୍ଷ ଭାରତ ଗସ୍ତରେ ଯିବାକୁ ମୁଁ ବେଶ ଉତ୍ସାହିତ । ଏହି ଗସ୍ତ ଦ୍ୱାରା ଭାରତ ଓ ବ୍ରିଟେନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେବ । ଭାରତର ପ୍ରଧାନମନ୍ତ୍ରୀ ଓ ମୁଁ ସମ୍ପର୍କକୁ ସୁଦୃଢ଼ କରିବାକୁ ଯେଉଁ ସ୍ୱପ୍ନ ଦେଖିଥିଲୁ, ତାହା ବି ପୂରଣ ହୋଇପାରିବ । ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ସାଧାରଣତନ୍ତ୍ର ଦିବସରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଗୋଟିଏ ନୂଆ ଯୁଗର ସଙ୍କେତ ଦେବ । ଏଥିସହ ଭାରତ-ବ୍ରିଟେନ ସମ୍ପର୍କ ଆଗକୁ ବଢ଼ିବ । ଭାରତର ନିମନ୍ତ୍ରଣକୁ ଗ୍ରହଣ କରି ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆସନ୍ତାବର୍ଷ ବ୍ରିଟେନରେ ହେବାକୁ ଥିବା ଜି-୭ ବୈଠକରେ ଯୋଗଦେବାକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି । ଆଜି ବ୍ରିଟେନ ବୈଦେଶିକ ସଚିବ ଡୋମିନିକ ରାବ ୪ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି । ତାଙ୍କୁ ଏୟାରପୋର୍ଟରେ ଭାରତର ବୈଦଶିକ ମନ୍ତ୍ରୀ ଏସ ଜୟଶଙ୍କର ସ୍ୱାଗତ କରିଥିଲେ । ଏହି ସମୟରେ ରାବ ସମସ୍ତ ସୂଚନା ଦେଇଛନ୍ତି ।