ଲକ୍ଷ୍ୟଚ୍ୟୁତ ନହେଉ କରୋନା ପରିଚାଳନା

0 60

ଆମ ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । କିନ୍ତୁ ବିପଦ ଟଳିନାହିଁ । ଆମେରିକାରେ ସ୍ଥିତି ସଂଗୀନ ଥିବାବେଳେ ନ୍ୟୁଜିଲାଣ୍ଡ ଏବେ କରୋନାମୁକ୍ତ ହୋଇଛି । ଆଗାମୀ ୪ରୁ ୬ମାସ ସତର୍କ ରହିବା ପାଇଁ ଚେତାବନୀ ଦେଇଛନ୍ତି ମାଇକ୍ରୋସପ୍ଟ ସହ ସଂସ୍ଥାପକ ବିଲ୍ ଗେଟ୍ସ । ସେ କହିଛନ୍ତି ଢ଼ିଲାପଣ ନକରି ଆଉ ୪ରୁ ୬ମାସ ସମସ୍ତେ ସାବଧାନତା ଅବଲମ୍ବନ କରିବା ଉଚିତ୍ । ଏହି ସମୟରେ କରୋନା ଭୂତାଣୁ ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି । ମାସ୍କ ପିନ୍ଧିବା ସହ କୋଭିଡ୍ ମାର୍ଗଦର୍ଶିକା ପାଳନ କରିବା ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି । ଆମ ଭାରତରେ ଏବେ କୋଭିଡ୍ ନିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ୨୨ହଜାର ୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ଲକ୍ଷ ୬ହଜାର ୧୬୫ ଛୁଇଁଛି । ତେଣୁ ଆମ ଦେଶରେ ଏହି ମହାମାରୀର ପ୍ରକୋପ ଟିକିଏ କମିଥିବାରୁ ଲୋକେ ଖୁସିରେ ଦାୟିତ୍ୱହୀନ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି । ବିବାହ ଆଦି ଉତ୍ସବକୁ ଅନୁମତି ମିଳିବା ପରେ କଟକଣାକୁ ଆଉ ସେଭଳି କେହି ମାନୁନଥିବା ପରିଲକ୍ଷିତ ହୋଇଛି । ବିବାହ ଭୋଜିରେ ଖାଇବା ସମୟରେ ମାସ୍କ ତ କାଢ଼ିବାକୁ ପଡ଼ିବ । କିନ୍ତୁ ଖାଇସାରି ଗପସପ ଯୋଡ଼ିବା ପରେ ଆଉ ମାସ୍କ ପିନ୍ଧିବାକୁ କାହାରି ଖିଆଲ ରହୁନି । ଏପରିକି ଅନେକ ଆନନ୍ଦରେ କୋଳାକୋଳି ହେବା ମଧ୍ୟ ଦେଖିବାକୁ ମିଳୁଛି । ଏସବୁ ବାରଣ କରାଯାଇଛି । କିନ୍ତୁ କେହି ମାନୁନାହାନ୍ତି ସଂକ୍ରମଣ ସାମାନ୍ୟ କମିଯାଇଥିବାରୁ । ଏ ସମୟରେ ଆନ୍ଦୋଳନ, ପ୍ରତିବାଦ ସଭା ଏବଂ ଧାରଣା ସଂକ୍ରମଣକୁ ବଢ଼ାଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି । ଆଉ ଗୋଟେ କଥା ହେଲା ସରକାର ମଧ୍ୟ ଏଭଳି ସମୟରେ କିଛି ନୂଆ ଆଇନ୍ କରିବା ଉଚିତ୍ ନୁହେଁ ଯାହାକୁ ଲୋକେ ବିରୋଧ କରି ରାଜରାସ୍ତାରେ ଏକାଠି ହେବାର ସମ୍ଭାବନା ରହିଛି । କାରଣ ନିକଟରେ ଉଭୟ ଗୃହରେ ପାରିତ ହୋଇଥିବା କୃଷି ଆଇନ୍କୁ ବିରୋଧ କରି ଏବେ ଦିଲ୍ଲୀ ସୀମାରେ ହଜାର ହଜାର ଲୋକ ରୁଣ୍ଡ ହୋଇଛନ୍ତି ଯାହା କୋଭିଡ୍କୁ ବିସ୍ତାର କରିବାରେ ସହାୟକ ହୋଇପାରେ । ତେଣୁ ଏହି କୃଷି ଆଇନ୍ ଏବେ କୋଭିଡ୍ ପରିଚାଳନାରେ ବାଧକ ହେଉଛି । ତେଣୁ ଯେ କରୋନା ସମୟରେ ଏଭଳି ଆଇନ୍ ଆଣିବା କେନ୍ଦ୍ର ସରକାରଙ୍କ ଉଚିତ୍ ନଥିଲା ବୋଲି ଅନେକ ମତ ଦେଉଛନ୍ତି । ଏ ବେଳରେ ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହେବା ଉଚିତ୍ କିଭଳି କରୋନା ପରିଚାଳନା ସୁଚାରୁରୂପେ ଚାଲିବ । ସବୁତକ ଧ୍ୟାନ କେବଳ କୋଭିଡ୍ ନିରାକରଣ ଉପରେ ରହିବା ଉଚିତ୍ । ଏହି ଦୁର୍ଦ୍ଦିନ ବେଳେ ନୂଆ ସଂସଦ ଭବନର ଶିଳାନ୍ୟାସ କରି ଖୁସି ହେବା ଏବଂ ଦେଶବାସୀଙ୍କୁ ସେ ଖୁସିରେ ସାମିଲ କରାଇବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । କରୋନା ବିପର୍ଯ୍ୟସ୍ତ ଦେଶକୁ କିଭଳି ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିହେବ ଏବଂ କିଭଳି ଲୋକଙ୍କ ହାତକୁ କାମ ଆସିବ, ଲୋକେ ଖାଇପିଇ ଟିକେ ଆଶ୍ୱସ୍ତ ହୋଇପାରିବେ ସେ କଥା ଚିନ୍ତା କରିବାର ସମୟଟିଏ । ଏ ସମୟ ସରକାରୀ ଉତ୍ସବ ପାଳନ କରିବାର ବେଳ ନୁହେଁ । ଗଣତାନ୍ତ୍ରିକ ଦେଶରେ ଗଣଙ୍କ କଥା ସେହି ପୁରୁଣା ସଂସଦ ଭବନ ଭିତରେ ବସି ଚିନ୍ତା କରିହେବ । ଏ ସଂକଟ ସମୟରେ ନୂଆ ସଂସଦ ଭବନର ଶିଳାନ୍ୟାସ ଏବଂ ରାମମନ୍ଦିର ଭୂମି ପୂଜନ କରି ଏହାକୁ ଏକ ବଡ଼ ସଫଳତା ବୋଲି ଭାବିବା ନିହାତି ବୋକାମୀର ପରିଚୟ ବୋଲି ଯେ କେହି ବି କହିବେ । ଲୋକେ କରୋନା ଆତଙ୍କରେ ଆତଙ୍କିତ, ଚାକିରି ହରାଇବାର ଅନିଶ୍ଚିତତାରେ ବ୍ୟଥିତ । କେତେ ଯେ ପରିବାକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଏହି କରୋନା ଧ୍ୱଂସ କରିଦେଇଛି ତାହାର କଳନା ନାହିଁ । କରୋନାରେ ଆଖି ବୁଜିଥିବା ଆପଣାର ମାନଙ୍କ ପାଇଁ ଦୁଃଖିତ ଏବଂ ଭୋକରେ ଆଉଟୁପାଉଟୁ ହେଉଥିବା ବେଳେ ସରକାରୀ ଉତ୍ସବ ପାଳନ କରି ନିଜର ପାରିଲା ପଣିଆ ଦେଖାଇବା ଶୋଭନୀୟ ନୁହେଁ ବୋଲି ଯେ କେହି ବି କହିବେ ।

Leave A Reply

Your email address will not be published.