୨୦୨୧ ଏପ୍ରିଲ୍ରେ କଂଗ୍ରେସ ଦେଖିବ ନୂଆ ଅଧ୍ୟକ୍ଷ!

0 53

ନୂଆଦିଲ୍ଲୀ, ୧୬ ।୧୨: ଗୋଟିଏ ପଟେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅସୁସ୍ଥ ଅନ୍ୟପଟେ ସାରା ଦେଶରେ ଦୁର୍ବଳ ହୋଇଛି କଂଗ୍ରେସ । ତେଣେ ଆଗକୁ ରହିଛି ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଭଳି ରାଜ୍ୟର ବିଧାନସଭା ନିର୍ବାଚନ । ଏସବୁକୁ ନଜରରେ ରଖି କଂଗ୍ରେସ ଦଳ ୨୦୨୧ ଏପ୍ରିଲ ମାସରେ ଦଳର ସଭାପତି ନିର୍ବାଚନ କରିବ ବୋଲି ଜଣାପଡ଼ିଛି । ଦଳର ଅଧ୍ୟକ୍ଷ ନିର୍ବାଚନକୁ ଆଗକୁ ନଜରରେ ରଖି ଏବେ ସାଂଗଠନିକ ନିର୍ବାଚନକୁ ସ୍ଥଗିତ ରଖିଛି ଦଳ । ତେବେ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ କମିଟି ନିର୍ବାଚନ ଅନୁଷ୍ଠିତ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର କରି ନାହିଁ କଂଗ୍ରେସ । ଅଗଷ୍ଟରେ ସର୍ବୋଚ୍ଚ କାର୍ଯ୍ୟ କମିଟି ପୁନଃ ଗଠିତ ହୋଇଥିଲା, କିନ୍ତୁ ଅସନ୍ତୁଷ୍ଟ ୨୩ ଜଣ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପଦ ପାଇଁ ନେତା ଦାବି କରିଥିଲେ । ଯିଏକି ଜଣେ ଦେଶରେ ଚେହେରା ହୋଇପାରିବ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାହୁଲ ଗାନ୍ଧୀ ଦଳର ନେତାମାନଙ୍କୁ ଏପର୍ଯ୍ୟନ୍ତ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେବେ କି ନାହିଁ କହି ନାହାନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ, ଏହା ପରେ ମା’ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ସଭାପତି ହୋଇଥିଲେ । ଯଦି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ପାଇଁ ଇଚ୍ଛା ନକରିବେ ତେବେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଧ୍ୟକ୍ଷ ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ହୋଇପାରନ୍ତି । କଂଗ୍ରେସର ଜଣେ ଅଧିକାରୀ ତଥା ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ କହିଛନ୍ତି ଯେ ଦଳକୁ ଆଗକୁ ବଢ଼ିବା ପାଇଁ ହେଲେ ଗାନ୍ଧୀ ପରିବାରର ଜଣେ ସଦସ୍ୟଙ୍କୁ କ୍ଷମତା ହସ୍ତାନ୍ତର କରିବା ହେଉଛି କଂଗ୍ରେସ ପାଇଁ ଏକମାତ୍ର ବିକଳ୍ପ ।

Leave A Reply

Your email address will not be published.