ଯୌନପିପାସୁ ପ୍ରଧାନ ଶିକ୍ଷକ

0 66

ହାଇଦ୍ରାବାଦ,୧୬ ।୧୨: ସ୍କୁଲ ଭଳି ପବିତ୍ର ସ୍ଥାନରେ ଦୁଷ୍କର୍ମ ଭଳି କୁକର୍ମ କରିଛନ୍ତି ଜଣେ ପ୍ରଧାନ ଶିକ୍ଷକ । ସ୍କୁଲକୁ ପାଠ ପଢ଼ିବାକୁ ଆସୁଥିବା ୫ ଜଣ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଜଣଙ୍କ ସେହିଠାରେ ହିଁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀମାନଙ୍କ ବୟସ ୭ରୁ ୧୧ ବର୍ଷ । ୨୦୨୦ ଅଗଷ୍ଟ ମାସରୁ ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ଥିବା ଗୋଟିଏ ସରକାରୀ ପ୍ରାଥମିକ ସ୍କୁଲରେ ଏହି ଜଘନ୍ୟକାଣ୍ଡ ଚାଲିଥିଲା ବୋଲି ପୁଲିସ ଜାଣିବାକୁ ପାଇଛି । ଘଟଣାରେ ପୁଲିସ୍ ଆଇପିସିର ଧାରା ୩୭୬ ଓ ପସ୍କୋ ଆକ୍ଟରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ କରିଛି । ହେଲେ ସେ ଫେରାର ରହିଛନ୍ତି । ସୂଚନା ଅନୁଯାୟୀ, ଉକ୍ତ ପ୍ରଧାନ ଶିକ୍ଷକଙ୍କ ବୟସ ୪୦ ବର୍ଷ । ସେ ଛାତ୍ରୀମାନଙ୍କୁ ଯୌନ ଉତ୍ପୀଡ଼ନ ଦେବା ପୂର୍ବରୁ ପ୍ରଥମେ ସେମାନଙ୍କୁ ପର୍ଣ୍ଣ ଭିଡିଓ ଦେଖାଉଥିଲେ । ଏହାପରେ ବଳ ପୂର୍ବକ ଦୁଷ୍କର୍ମ କରୁଥିଲେ । ସେମାନଙ୍କୁ ଏକଥା ବାହାରେ ନ କହିବାକୁ ଧମକ ମଧ୍ୟ ଦେଉଥିଲେ ।ନିକଟରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ୭ ବର୍ଷୀୟ ଛାତ୍ରୀ ଅସୁସ୍ଥ ହୋଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଚିକିତ୍ସା ସମୟରେ ଛାତ୍ରୀ ଜଣଙ୍କ ତାଙ୍କ ମା’ଙ୍କୁ ସବୁ କଥା କହିବା ସହ ପ୍ରଧାନ ଶିକ୍ଷକ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ସମ୍ପର୍କରେ ଜଣାଇଥିଲେ । ପୁଲିସ୍ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ପ୍ରଧାନ ଶିକ୍ଷକ ଜଣଙ୍କ କେବଳ ଏହି ଛାତ୍ରୀଙ୍କୁ ନୁହେଁ, ସ୍କୁଲରେ ପାଠପଢ଼ୁଥିବା ୫ ଜଣ ଛାତ୍ରୀଙ୍କ ସହ ଏଭଳି କାଣ୍ଡ ଘଟାଇଛନ୍ତି । କରୋନା ପାଇଁ ଦେଶରେ ଲକଡାଉନ ଜାରି କରାଯାଇଥିଲା । ତେବେ ଲକଡାଉନ ସାମାନ୍ୟ କୋହଳ ହେବା ପରେ ରୋଟେସନ ବେସିସରେ ଦୁଇ ଜଣ ଶିକ୍ଷକ ସ୍କୁଲ ଯାଉଥିଲେ । ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ମଧ୍ୟ ରହିଥିଲେ । ପ୍ରଧାନ ଶିକ୍ଷକ ଜଣଙ୍କ ଯେତେବେଳେ ବି ଡ୍ୟୁଟିକୁ ଆସୁଥିଲେ ସେତେବେଳେ ଜଣେ ଛାତ୍ରୀଙ୍କୁ ନିଜ ସହ ସ୍କୁଲକୁ ଆଣୁଥିଲେ । ଏହି ସମୟରେ ହିଁ ସେ ସେମାନଙ୍କୁ ଦୁଷ୍କର୍ମ କରିଥିଲେ । ଜଣେ ପୀଡ଼ିତାଙ୍କ ମା’ କହିଛନ୍ତି, ମୋ ଝିଅକୁ ଶିକ୍ଷକ ଜଣଙ୍କ ସ୍କୁଲକୁ କ୍ଲାସ କରିବାକୁ ଡାକିଲା ବେଳେ ସେ ସର୍ବଦା ମନା କରେ । ଏହାର କାରଣ ଜାଣିବା ପାଇଁ ମୁଁ ଚାହିଁଥିଲି । ହେଲେ ସେ କିଛି ବି କହିନଥିଲା । ନିକଟରେ ସେ ଅସୁସ୍ଥ ହେବା ସହ ଚାଲିବାରେ କଷ୍ଟ ଅନୁଭବ କରିଥିଲା । ଏଭଳି ସ୍ଥିତିରେ ମଧ୍ୟ ମୁଁ ତା’ ସହ ଏମିତି ଘଟିଥିବ ବୋଲି ଆଶଙ୍କା କରି ନଥିଲି । ତେବେ ବାରମ୍ବାର ପଚାରିବା ପରେ ସେ ସବୁ କଥା କହିଥିଲା । ଶିକ୍ଷକ ଜଣଙ୍କ ଦୁଷ୍କର୍ମ କରିବା ପରେ ଛୁରୀ ଦେଖାଇ ଏକଥା କାହାକୁ ନ କହିବାକୁ ଛାତ୍ରୀମାନଙ୍କୁ ଧମକ ଦେଉଥିଲା ।

Leave A Reply

Your email address will not be published.