ମେଣ୍ଟରେ ଫାଟ ହେବନି ତ?

0 75

ପଶ୍ଚିମବଙ୍ଗ ନିର୍ବାଚନରେ ଜେଡିୟୁ ୭୫ ଆସନରେ ଲଢ଼ିବ : ଗୁଲାମ ରସୁଲ

କୋଲକାତା,୧୭ ।୧୨: ବିହାର ବିଧାନସଭା ନିର୍ବାଚନରେ ଜେଡିୟୁର ଆସନ ସଂଖ୍ୟା କମ୍ ଥାଇ ବି ବିଜେପି ଦୟାରେ ସରକାର ଗଢ଼ିଥିଲେ ବି ଜେଡିୟୁ କିନ୍ତୁ ପଶ୍ଚିମବଙ୍ଗ ନିର୍ବାଚନରେ ଭିନ୍ନ ରୂପ ଦେଖାଇପାରେ ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି । ତେବେ ଜେଡିୟୁ ଯଦି ଏହି ଭିନ୍ନ ରୂପ ଦେଖାଏ ବିଜେପି ସହ ମେଣ୍ଟ ଭାଙ୍ଗିଯିବନି ତ? ଏଭଳି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କିମାରିବା ସ୍ୱାଭାବିକ । ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବାକୁ ଘୋଷଣା କରିଛି ନୀତିଶ କୁମାରଙ୍କ ଜେଡିୟୁ । ବରିଷ୍ଠ ନେତା ଗୁଲାମ ରସୁଲ ୱଲୟାବୀ କହିଛନ୍ତି ଯେ, ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜେଡିୟୁ ୭୫ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ପଶ୍ଚିମବଙ୍ଗରେ ଆଗାମୀ ରଣନୀତି ପ୍ରସ୍ତୁତ କରୁଥିବା ବିଜେପି ସହିତ ଯଦି କୌଣସି ମୁଚାଲିକା ନହୁଏ ତେବେ ଜେଡିୟୁ ଏକାକୀ ଲଢିବା ଆପାତତଃ ସ୍ପଷ୍ଟ ବାରି ହୋଇପଡୁଛି । କିନ୍ତୁ ଆଗାମୀ ଦିନରେ ଜେଡିୟୁର ଗତି କେଉଁ ଆଡକୁ ଯିବ ତାହା ସ୍ପଷ୍ଟ ହୋଇନାହିଁ । ଏହା ପୂର୍ବରୁ ଜେଡିୟୁର ରାଷ୍ଟ୍ରୀୟ ମହାସଚିବ କେସି ତ୍ୟାଗି କହିଥିଲେ ଯେ, ଦଳ ପଶ୍ଚିମବଙ୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତି ଚଳାଇଛି । ଦଳ କେତୋଟି ସିଟ୍ରେ ନିର୍ବାଚନ ଲଢିବ ସେ ନେଇ ଆଲୋଚନା ଜାରି ରହିଛି । ତେବେ ପ୍ରଶ୍ନ ଉଠୁଛି କି ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜେଡିୟୁ, ବିଜେପି ସହିତ ମେଣ୍ଟ କରିବ କି? ଗତ ବର୍ଷ ହୋଇଥିବା ଝାରଖଣ୍ଡ ନିର୍ବାଚନରେ ମଧ୍ୟ ବିଜେପି ଏକାକୀ ନିର୍ବାଚନ ଲଢିଥିଲା । କେସି ତ୍ୟାଗି କହିଛନ୍ତି ପୂର୍ବରୁ ମଧ୍ୟ ଜେଡିୟୁ ପଶ୍ଚିମବଙ୍ଗରେ ନିର୍ବାଚନ ଲଢି ସାରିଛି ଏବଂ ବିଜେପି ସହିତ ମେଣ୍ଟ କେବଳ ବିହାରରେ ହିଁ ହୋଇଛି । ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦୁଇ ଦଳ ମେଣ୍ଟ କରି ନିର୍ବାଚନ ଲଢିଥିଲେ । ପଶ୍ଚିମବଙ୍ଗରେ କଳ, ବଳ, କୌଶଳ ଲଗାଇଥିବା ବିଜେପିର ପ୍ରୟାସ ପ୍ରାୟତଃ ଏହା ରହିବ ଯେ, ବିହାର ଭଳି ପଶ୍ଚିମବଙ୍ଗରେ ମଧ୍ୟ ଜେଡିୟୁ ସହିତ ମେଣ୍ଟ କରି ନିର୍ବାଚନ ଲଢିବା ପାଇଁ । ପଶ୍ଚିମବଙ୍ଗର ୨୯୪ଟି ବିଧାନସଭା ସିଟ୍ ପାଇଁ ଆସନ୍ତାବର୍ଷ ନିର୍ବାଚନ ହେବାକୁ ଯାଉଛି ।

Leave A Reply

Your email address will not be published.