ଧର୍ମେନ୍ଦ୍ର ନୁହଁ ମୋଦି ଭାଙ୍ଗିଥିଲେ କମଲନାଥ ସରକାର!

0 68

ନୂଆଦିଲ୍ଲୀ, ୧୭ ।୧୨: ମଧ୍ୟପ୍ରଦେଶରେ କମଲ ନାଥ ସରକାର ଭାଙ୍ଗିବା ପଛରେ ଧର୍ମେନ୍ଦ୍ର ପ୍ରଧାନ ନୁହନ୍ତି ମୁଖ୍ୟ ସୂତ୍ରଧର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକଥା ନା କଂଗ୍ରେସ ଦଳର କୌଣସି ନେତା କହିଛନ୍ତି ନା ଅନ୍ୟ କେହି ବିରୋଧୀଦଳର ନେତା । ଏକଥା ଖୁଦ୍ କହିଛନ୍ତି ବିଜେପିର ବରିଷ୍ଠ ନେତା କୈଳାସ ବିଜୟ ବର୍ଗୀ । ବିଜେପି ପକ୍ଷରୁ ଚାଷୀ ମାନଙ୍କୁ ନୂତନ ଆଇନ ସପକ୍ଷରେ ବୁଝାଇବାକୁ ବିଜେପି ଏବେ ଚାରିଆଡେ କୃଷି ସମ୍ମିଳନୀର ଆୟୋଜନ କରୁଥିବା ଦେଖିବାକୁ ମିଳିଛି । ଏହି ପରିପେକ୍ଷୀରେ ଏକ କୃଷକ ସଭାକୁ ଉଦବୋଧନ ଦେଇ ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀ କହିଛନ୍ତି କି କମଲନାଥ ସରକାର ଭାଙ୍ଗିବାରେ ଯଦି କେହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥା’ନ୍ତି ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଯେଉଁ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ନେଉଛି ତାହା ସମ୍ପୁର୍ଣ୍ଣ ମିଥ୍ୟା । ଶ୍ରୀ ବିଜୟ ବର୍ଗୀ ସଭାରେ ଏକଥା କହିବା ବେଳେ କହିଛନ୍ତି କି ମୁଁ ଏକଥା ଆଗରୁ କାହାକୁ କହି ନାହିଁ । କେବଳ ଆପଣ ମାନଙ୍କୁ କହୁଛି । ହେଲେ ଆପଣ ମାନେ ଏକଥା କାହାରି ଆଗରେ ପ୍ରକାଶ କରିବେ ନାହିଁ ଅନ୍ୟପଟେ ଯେଉଁ କୃଷକ ସମ୍ମିଳନୀରେ ବିଜୟବର୍ଗୀ ଏକଥା କହିଛନ୍ତି ସେହି ସଭାମଂଚରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଉପସ୍ଥିତ ଥିଲେ । ଏହାପୂର୍ବରୁ ଜୁନ ମାସରେ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ କହିଥିଲେ କି ବିଜେପିର କେନ୍ଦ୍ରୀୟ ନେତା ମାନେ କଂଗ୍ରେସ ସରକାର ଭାଙ୍ଗିବା କାର୍ଯ୍ୟ କରିଥିଲେ । କହିରଖୁ କି ମଧ୍ୟପ୍ରଦେଶରେ କମଲନାଥ ସରକାର ଭାଙ୍ଗିବା ପରେ କଂଗ୍ରେସ ଅଭିଯୋଗ କରିଥିଲା କି ବିଜେପି ସ୍ଥିର ସରକାରକୁ ଅସ୍ଥିର କରି ସରକାର ଭାଙ୍ଗିବା ସହ ଗଣତନ୍ତ୍ରର ହତ୍ୟା କରୁଛି । ସେପଟେ ବିଜେପି ନେତା ମାନେ ଜଣଙ୍କ ପରେ ଜଣେ ଏହା ସ୍ୱୀକାର କରିବାରେ ଲାଗିଛନ୍ତି । କୈଳାସ ବିଜୟବର୍ଗୀଙ୍କ ଏଭଳି ବୟାନ ଆସିବା ପରେ କଂଗ୍ରେସ ପକ୍ଷରୁ ତାଙ୍କ ଭାଷଣର ଭିଡିଓକୁ ଟ୍ୱିଟ୍ କରି ବିଜେପି ବିରୋଧରେ ସରକାର ଭାଙ୍ଗିବା ଅଭିଯୋଗ ଅଣାଯାଇଛି । କଂଗ୍ରେସ ମୁଖପାତ୍ର ନରେନ୍ଦ୍ର ସାଲୁଜା ଟ୍ୱିଟରରେ ଲେଖିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକମାନଙ୍କ ଦ୍ୱାରା ନିର୍ବାଚିତ ସ୍ଥିର ସରକାରକୁ ଅସାମ୍ୱିଧାନିକ ତରିକାରେ ଭାଙ୍ଗିବା ଭଳି ଅପରାଧ କରିଛନ୍ତି । ଏନେଇ ଆଗାମୀ ଦିନରେ ଆଇନର ଦ୍ୱାରସ୍ଥ ହେବ କଂଗ୍ରେସ ।

Leave A Reply

Your email address will not be published.