‘ବ୍ରିଟିଶରଙ୍କ ଠାରୁ କେନ୍ଦ୍ର ସରକାର ଅଧିକ ନିର୍ଦ୍ଦୟ ନହୁଅନ୍ତୁ’

0 67

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା ଦିଲ୍ଲୀ ସରକାର ଗୁରୁବାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ । ଏହି ଦିନିକିଆ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୃହ ମଧ୍ୟରେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିଥିଲେ । ଏଥିସହ ସେ ସର୍ବସମ୍ମୁଖରେ କେନ୍ଦ୍ର ସରକାର ଜାରି କରିଥିବା କୃଷି ଆଇନର କପିକୁ ଚିରି ଫୋପାଡି ଦେଇଛନ୍ତି । କେନ୍ଦ୍ର ସରକାର ଇଂରେଜମାନଙ୍କ ଠାରୁ ଅଧିକ ଖରାପ ପରିସ୍ଥିତି ସୃଷ୍ଟି ନ କରନ୍ତୁ ବୋଲି ସେ ନିବେଦନ ମଧ୍ୟ କରିଛନ୍ତି । ଦିଲ୍ଲୀ ସୀମାରେ ଦୀର୍ଘ ୨୨ ଦିନ ହେଲା ହଜାର ହଜାର ଚାଷୀ ଆନ୍ଦୋଳନ କରୁଛନ୍ତି । ଏହି ସମସ୍ୟା ଉପରେ ଆଲୋଚନା କରିବା ପାଇଁ ଦିଲ୍ଲୀ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ । ଗୃହରେ ଉଦବୋଧନ ଦେଇ କେଜ୍ରିୱାଲ କହିଛନ୍ତି, ମୁଁ ଆଜି କେନ୍ଦ୍ର ସରକାର ଜାରି କରିଥିବା ୩ଟି ଯାକ କୃଷି ଆଇନର କପିରୁ ବିଧାନସଭାରେ ଚିରୁଛି । ଏଥିସହ ବ୍ରିଟିଶରଙ୍କ ଠାରୁ କେନ୍ଦ୍ର ସରକାର ଅଧିକ ନିର୍ଦ୍ଦୟ ନ ହେବାକୁ ନିବେଦନ କରୁଛି । କରୋନା ଭାଇରସ ଭଳି ମହାମାରୀ ଭିତରେ କେନ୍ଦ୍ର ସରକାର କାହିଁକି ତରବରିଆ ଭାବେ ସଂସଦରେ କୃଷି ଆଇନକୁ ପାରିତ କଲେ? ବର୍ତ୍ତମାନ ପ୍ରତିଟି ଚାଷୀ ଭଗତ ସିଂହ ହୋଇଯାଇଛନ୍ତି । ସରକାର କହୁଛନ୍ତି ସେ ଚାଷୀଙ୍କ ପାଖରେ ପହଞ୍ଚି ବିଲ୍ ଯୋଗୁ କ’ଣ ଲାଭ ମିଳିବ ସେକଥା କହୁଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କହୁଛନ୍ତି ବିଲ୍ ଦ୍ୱାରା ଚାଷୀଙ୍କ ଜମି କେହି ବି ନେଇ ପାରିବେ ନାହିଁ । ଏହା କ’ଣ ଗୋଟିଏ ଫାଇଦା? କିଛି ବିଜେପି ନେତା ଚାଷୀଙ୍କୁ ଦେଶଦ୍ରୋହୀ କହୁଛନ୍ତି । ଅନେକ ପୂର୍ବତନ ସେନା କର୍ମଚାରୀ, କଣ୍ଠଶିଳ୍ପୀ, ସେଲେବ୍ରେଟି, ଡାକ୍ତର, ବ୍ୟବସାୟୀମାନେ ଚାଷୀଙ୍କୁ ସମର୍ଥନ କରୁଛନ୍ତି । କ’ଣ ସେମାନେ ସମସ୍ତେ ଦେଶଦ୍ରୋହୀ? ଏହି ଆନ୍ଦୋଳନରେ ୨୦ରୁ ଅଧିକ ଚାଷୀ ସହିଦ ହୋଇସାରିଲେଣି । ପ୍ରତିଦିନ ଜଣେ ଲେଖାଏ ଚାଷୀ ପ୍ରାଣ ହରାଉଛନ୍ତି । ମୁଁ କେନ୍ଦ୍ର ସରକାରଙ୍କୁ ପଚାରିବାକୁ ଚାହୁଁଛି ଯେ ସେ ଆଉ କେତେ ବଳିଦାନ ଓ କେତେ ଜଣଙ୍କ ଜୀବନ ନେବେ? କେବଳ କେଜ୍ରିୱାଲ ନୁହନ୍ତି, ବିଧାନସଭାରେ ଥିବା କିଛି ଆପ୍ ବିଧାୟକ ଓ ମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାର ଜାରି କରିଥିବା କୃଷି ଆଇନର କପିକୁ ଚିରି ଫୋପାଡ଼ି ଦେଇଛନ୍ତି ।

Leave A Reply

Your email address will not be published.