ପିଲାଚୋରି ର୍ୟାକେଟ୍ ସକ୍ରିୟ

0 49

ପିଲାଟି ଅମାନିଆ ହେଲେ ଆଗରୁ ବାପା-ମା’ମାନେ ନିଜ ପିଲାଙ୍କୁ ଡରାଇବା ପାଇଁ ପିଲାଚୋରିର କାହାଣୀ କହୁଥିଲେ । ଭୟରେ ପିଲାଟି ତାହାକୁ ସତ ଭାବି ବାପା-ମା’ଙ୍କ କଥା ମାନିନେଉଥିଲା । କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ପିଲାଚୋରି ବ୍ୟାପକ ବୃଦ୍ଧି ପାଇଚାଲିଛି । ଗତ ୧ବର୍ଷର ରେକର୍ଡକୁ ଦେଖିଲେ ଆପଣମାନେ ନିଶ୍ଚିତ ହୃଦ୍ବୋଧ କରିପାରିବେ କି ରାଜ୍ୟରେ କେତେ ପିଲା ଚୋରି ହୋଇଛନ୍ତି । ଓଡ଼ିଶାର ବହୁ ଛୋଟ ଛୋଟ ପିଲାଙ୍କୁ ଚୋରି କରି ବାହାର ରାଜ୍ୟକୁ ଚାଲାଣ କରାଯାଉଥିବାର ଖବର ଏବେ କାନସୁହା ହୋଇଗଲାଣି । ଅମୁକ ଜିଲ୍ଲାର ପିଲା ଉତ୍ତରପ୍ରଦେଶରୁ ଉଦ୍ଧାର ତ ଅମୁକ ଜିଲ୍ଲାର ପିଲା ବିହାର ଓ ପଶ୍ଚିମବଙ୍ଗରୁ ଇତ୍ୟାଦି ଇତ୍ୟାଦି । ଗୁରୁବାର ରାଜରକେଲାର ଜଣେ ନିଖୋଜ ଶିଶୁକୁ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଇଛି । ପୁଣି ପିଲାଟିକୁ ବିକିବା ଲାଗି ଦେଢ଼ଲକ୍ଷ ଟଙ୍କାର ମୂଲଚାଲ୍ ହୋଇଥିବା ଜାଣିବାକୁ ମିଳିଛି । ଏହା ଜଣାପଡ଼ିବା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଯାଇଛି । ସେହିପରି ପାରଳାଖେମୁଣ୍ଡିରେ ଏକ ଖବର ଶୁଣିବାକୁ ମିଳିଛି । ଘର ନିକଟରେ ଖେଳୁଥିବା ବେଳେ ଜଣେ ୮ବର୍ଷର ଶିଶୁ ପୁଣି ନିଖୋଜ ହୋଇଯାଇଛି । ୨ ଜଣ ଅଜଣା ବ୍ୟକ୍ତିି ଆସି ବାଇକ୍ରେ ଛୁଆଟିକୁ ନେଇଯାଇଥିବା ଅଭିଯୋଗ ହୋଇଛି । ଏପରି ଘଟଣାର ପୁନରାବୃତ୍ତି ଏଥର ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରେ ହୋଇଛି । କାଶୀନଗର ଏନଏସି କୁମୁଟି ସାହିର ଯାମ୍ମି ମନ୍ମଧା ଜଣେ କାଜୁ ବ୍ୟବସାୟୀ । ତାଙ୍କ ୮ ବର୍ଷର ପୁଅ ଯାମ୍ମି ହାର୍ଦିକ ଘରଠୁ ଅଳ୍ପ ଦୂରରେ ନିଜ ସାଙ୍ଗଙ୍କ ସହ ଖେଳୁଥିଲା । ଏହି ସମୟରେ ବାଇକ୍ରେ ୨ ଜଣ ପହଞ୍ଚି ତମ ବାପା କେଉଁଠି ବୋଲି ହାର୍ଦିକଙ୍କୁ ପଚାରିଲେ । ଏହାପରେ ବାପା ଫ୍ୟାକ୍ଟ୍ରିରେ ଥିବା ପିଲାଟି କହିବାରୁ ଦେଖାଇ ଦେବାକୁ କହି ପିଲାଟିକୁ ବାଇକ୍ ମଝିରେ ବସାଇଥିଲେ । ପିଲାଟିର ସାଙ୍ଗ ତାଙ୍କ ସହିତ ଯିବାକୁ କହିବାରୁ ସେ ମନା କରିଥିଲେ । ତେବେ ଦୁର୍ବୃତ୍ତମାନେ ତାକୁ ନେଇ ଦ୍ରୁତଗତିରେ ପଳାଇଥିଲେ । ସେହିପରି ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ବି ଏଭଳି ଖବର ଶୁଣିବାକୁ ପ୍ରାୟତଃ ମିଳେ । ତେବେ କଥା ଉଠୁଛି ଏହି ପିଲାଚୋରି ର୍ୟାକେଟ୍ ଏବେ ରାଜ୍ୟରେ ସକ୍ରିୟ କାହିଁକି? ଏହି ପିଲାମାନଙ୍କୁ ସେମାନେ ନେଇ କେଉଁ କାମରେ ଲଗାଉଛନ୍ତି? ଏଭଳି ଅନେକ ପ୍ରଶ୍ନ ମନକୁ ଉଙ୍କି ମାରୁଛି । ତା’ ବାଦ୍ ପିଲାମାନଙ୍କର ଅଭିଭାବକଙ୍କ ପ୍ରତି ବି ସମାନ କର୍ତ୍ତବ୍ୟ ରହିଛି । ସେମାନେ ବି ଛୋଟ ଛୋଟ ପିଲାଙ୍କୁ ନିଜ ନଜରରେ ରଖିବାର ଅଛି । ତେଣୁ ଏବେଠୁ ସଜାଗ ନହେଲେ ଆଗାମୀ ଦିନରେ ଆଗକୁ ଏହା ଭୟାନକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇପାରେ ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.