ହାଥରସ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ କରାଯାଇଥିଲା ହତ୍ୟା!

0 67

ହାଥରସ, ୧୮ ।୧୨: ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶ ହାଥରସ ଘଟଣାରେ ପୁଲିସ ଯେଉଁ ମିଛି କହୁଥିଲା, ତା’ର ପର୍ଦ୍ଦାଫାସ କରିଛି ସିବିଆଇ । ହାଥରସର ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସିବିଆଇ ତା’ର ଚାର୍ଜଶିଟ୍ରେ ଉଲ୍ଲେଖ କରିଛି । ଘଟଣାରେ ଗିରଫ ୪ ଜଣଙ୍କ ନାଁରେ ସିବିଆଇ ଏବେ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ହାଥରସ କୋର୍ଟଙ୍କୁ ଚାର୍ଜଶିଟ୍ ଦେଇଛି । ଏଥିସହ ସମସ୍ତ ୪ ଅଭିଯୁକ୍ତଙ୍କ ନାଁରେ ଅନୁସୂଚିତ ଜାତି/ଜନଜାତି ଆଇନରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଚଳିତ ବର୍ଷ ସେପ୍ଟେମ୍ବର ୧୪ରେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ଘଟିବା ପରେ ସାରା ଦେଶରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ପୁଲିସ୍ ୪ ଜଣ ତଥାକଥିତ ଉଚ୍ଚଜାତିର ଯୁବକଙ୍କୁ ଗିରଫ ମଧ୍ୟ କରିଥିଲା । ପରିବାର ଲୋକ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ କରିଥିଲେ ହେଁ ଉତ୍ତରପ୍ରଦେଶ ପୁଲିସ୍ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇ ନଥିବା କହି ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲା । ବିଶେଷକରି ଯୁବତୀଙ୍କ ମୃତ୍ୟୁ ପରେ ପ୍ରଶାସନ ପରିବାର ଲୋକଙ୍କୁ ନ ଜଣାଇ ରାତି ଅଧରେ ଅନ୍ତିମ ସଂସ୍କାର କରିଥିବା ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ବିବାଦ ବଢ଼ିବାରୁ ଉତ୍ତରପ୍ରଦେଶ ସରକାର ସିବିଆଇ ତଦନ୍ତ ସୁପାରିସ କରିଥିଲେ । ଅକ୍ଟୋବର ମାସରେ ସିବିଆଇ ତଦନ୍ତ ଆହ୍ଲାବାଦ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ କରାଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ । ସିବିଆଇ ତଦନ୍ତ କରୁଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ଜେଲ୍ରୁ ଚିଠି ଲେଖି ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲା । ହେଲେ ଆଜି ସିବିଆଇ ୪ ଅଭିଯୁକ୍ତଙ୍କ ନାଁରେ ଗଣଦୁଷ୍କର୍ମ ଓ ହତ୍ୟା ଦଫା ଲଗାଇ ଚାର୍ଜସିଟ୍ ଦାଖଲ କରିଛି । ଘଟଣାର ପୂରା ତଦନ୍ତ ସାରିବାକୁ ସିବିଆଇ ଆହ୍ଲାବାଦ ହାଇକୋର୍ଟରେ ଅଧିକ ସମୟ ମାଗିଛି । କୋର୍ଟ ଜାନୁଆରୀ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.