ସୃଷ୍ଟିର ନିୟମକୁ ଚାଲେଞ୍ଜ ଦେଇ ମଣିଷ କେତେକାଳ ତିଷ୍ଠିବ?

0 69

ବର୍ତ୍ତମାନ ସାରା ଭାରତରେ ଶୀତ ଲହରୀ । ଏହାର ପ୍ରଭାବରେ ଆମ ରାଜ୍ୟ ଓଡ଼ିଶାରେ ବି ଆରମ୍ଭ ହୋଇଯାଇଛି ଶୀତ । ଗତ ଦୁଇଦିନ ହେଲା ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇଥିବା ପରିଲକ୍ଷିତ ହେଉଛି । ଶୀତ ବଢ଼ିବା ଯୋଗୁଁ ପାଣିପାଗ ବିଭାଗ ଏବେ ଲୋକଙ୍କୁ ଚେତାବନୀ ଜାରି ବି କରିଛି । ଘନ ଘନ ଗଣମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ସହ ବେଶି ରାତିରେ ଘରୁ ବାହାରକୁ ନବାହାରି ପାଇଁ ସତର୍କ ସୂଚନା ଜାରି କରାଯାଉଛି । ଉତ୍ତରଭାରତରୁ ଥଣ୍ଡା ପବନ ମାଡ଼ିଆସିବା ଯୋଗୁଁ ଆଗକୁ ଦୁଇଦିନ ପର୍ଯ୍ୟନ୍ତ ଶୀତର ପ୍ରକୋପ ଆହୁରି ଲାଗିରହିବ । ତେଣୁ ଲୋକେ ବି ଏଥିପାଇଁ ଖୁବ୍ ସଚେତନ ଥିବା ପରି ଲାଗୁଛି । କିନ୍ତୁ ଏଇଠି ଗୋଟେ କଥା ମନକୁ ଆସୁଛି । ପିଲାଦିନେ ନିଜେ ଅନୁଭବ କରିଥିବା ଶୀତ ଆଜି କ’ଣ ଅଛି? ଦୁର୍ଗାପୂଜା ସରୁ ସରୁ ଆରମ୍ଭ ହୋଇଯାଏ ଶୀତ । ଦୀପାବଳୀ ବେଳକୁ ଶୀତ ତା’ର ପ୍ରକୋପ ଦେଖାଇବା ଆରମ୍ଭ କରେ । ଆଉ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ଜାଡ଼ ଚରମ ସୀମାରେ ପହଞ୍ôଚଥାଏ । ଆଉ ପୁଷ ଓ ମାଘ କଥା ନକହିଲେ ଭଲ । ହାଡ଼ଥରା ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଏ । ସାରା ରାଜ୍ୟରେ ପାରା ତଳକୁ ଚାଲିଯାଇଥାଏ । ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୭-୮ଡିଗ୍ରୀ ଥିବା ରେକର୍ଡ ହୋଇଛି । କିନ୍ତୁ ଲୋକେ ସେ ସମୟରେ ଶୀତକୁ ବେଶ୍ ଉପଭୋଗ କରୁଥିବା ଦୃଷ୍ଟିଗୋଚର ହୁଏ । ଶୀତକୁ ଖାତିର୍ ନକରି ଲୋକେ ଚଞ୍ଚଳ ହେବା ସାଙ୍ଗକୁ ରାତିରେ ଉଠି ମା’ ମାଉସୀମାନେ ଧାନ ଉସେଇଁବା ସାଙ୍ଗକୁ ଗାଁ ଭାଇମାନେ ଧାନ ବେଙ୍ଗଳା ପକାଇଥାନ୍ତି । ଯଦ୍ୱାରା କି ସେମାନେ ଖୁବ୍ ସତେଜ ଓ ସୁସ୍ଥ ରହୁଥିଲେ । ସେ ସମୟରେ ଆହୁରି ଅନେକ ଅନୁଭୂତି ମନକୁ ଆସେ । କିନ୍ତୁ ଆଜିର ସେ ଶୀତ କ’ଣ ଅଛି? ଚଳିତବର୍ଷ କାର୍ତ୍ତିକ ମାସ ଯାକ ଶୀତର ସେଭଳି ପ୍ରକୋପ ନଥିଲା । ଖାଲି ଚଳିତବର୍ଷ ନୁହେଁ ବରଂ ଦୀର୍ଘ କିଛିବର୍ଷ ହେବ ଜଳବାୟୁରେ ଅଭୂତପୂର୍ବ ପରିବର୍ତ୍ତନ ଦେଖାଦେଇଛି । ବିଶ୍ୱରେ ତାପମାତ୍ରା ବୃଦ୍ଧି ଯୋଗୁଁ ଆଉ ସେ ଶୀତର ଦେଖା ନାହିଁ । ସବୁଠି କଳକାରଖାନା, ଗାଡ଼ି ମୋଟର, ବିଭିନ୍ନ ଅତ୍ୟାଧୁନିକ ତଥା ଉଚ୍ଚମାନର ଟେଲିକମ୍ ସେବା, ଜଙ୍ଗଲ ନଷ୍ଟ, ଜନସଂଖ୍ୟା ବୃଦ୍ଧି, କ୍ଷେପଣାସ୍ତ୍ର ଓ ବିଭିନ୍ନ ଗୋଳାବାରୁଦ ପରୀକ୍ଷା ଆଜିର ଜଳବାୟୁକୁ ପ୍ରଦୂଷିତ କରିପକାଇଛି । ପରିସ୍ଥିତି ଏଭଳି ହେଲାଣି ବିଶ୍ୱବକ୍ଷରେ ତାପମାତ୍ରା ଧିରେ ଧିରେ ବୃଦ୍ଧି ପାଉଛି । ବିଶ୍ୱରେ ଥିବା ବରଫ ପାହାଡ଼ ତରଳୁଥିବା ଦୃଶ୍ୟମାନ ହେଉଛି । ତେଣୁ ବର୍ତ୍ତମାନ ସାରା ବିଶ୍ୱରେ ଜଳବାୟୁ ପୂର୍ବାପେକ୍ଷା ବହୁମାତ୍ରାରେ ପରିବର୍ତ୍ତନ ହୋଇଛି । କିନ୍ତୁ ବିଶ୍ୱବକ୍ଷରୁ ଯଦି ଶୀତ ହଜିଯିବ ତେବେ ମାନବଜାତି ପାଇଁ କେତେ ଯେ କ୍ଷତିକାରକ ତାହା କଳନା କରିବା ମୁସ୍କିଲ୍ । ଋତୁଚକ୍ରର ପରିବର୍ତ୍ତନ ହେଉଛି ସୃଷ୍ଟିର ଏକ ନିୟମିତ ଧାରା । କିନ୍ତୁ ସୃଷ୍ଟିର ଏହି ଧାରାକୁ ମାନବ ସମାଜ ଧିରେ ଧିରେ ବଦଳାଇବାକୁ ଚେଷ୍ଟା କରିଛି । ଯାହାକୁ ଆମେ ବିଜ୍ଞାନର ଚମକ୍ରାରିତା ବୋଲି କହୁଛୁ ଦିନ ଆସିବ ସେହି ଚମକ୍ରାରିତା ଆମକୁ ବିନାଶ ଆଡ଼କୁ ଟାଣିନେଇଯିବ । ତାହାର ଜ୍ୱଳନ୍ତ ଉଦାହରଣ ଯଦି ଆମେ ଦେଖିବା ତେବେ ବର୍ତ୍ତମାନର ମହାମାରୀ କରୋନାକୁ ଏକ ଉଦାହରଣ ଭାବେ ନିଆଯାଇପାରେ । ଯଦିଓ ଏହା କିଛି ଚୀନ୍ର ଜୈବିକ ଅସ୍ତ୍ର ବୋଲି ବିବେଚନା କରୁଛନ୍ତି ତଥାପି ବି ଜଳବାୟୁ ପରିବର୍ତ୍ତନକୁ ଅଣଦେଖା କରାଯାଇପାରେନା । ଖାଲି କରୋନା ନୁହେଁ ଏଭଳି ବର୍ତ୍ତମାନ ଅନେକ ରୋଗ ଦେଖାଗଲାଣି ଯାହାକୁ ବୈଜ୍ଞାନିକ କିମ୍ବା ଡାକ୍ତରମାନେ ତାହାର ଚିକିତ୍ସା ନିରାକରଣ ବାହାର କରିପାରୁ ନାହାନ୍ତି । ଗତ କିଛିଦିନ ତଳେ ଚେନ୍ନାଇ ଓ ତାମିଲନାଡୁରେ ଏଭଳି ଅଜଣା ରୋଗ ବ୍ୟାପି କିଛି ମୃତ୍ୟୁବରଣ କରିଥିବା ବେଳେ ବହୁ ଆକ୍ରାନ୍ତ ହୋଇଥିବା ନଜିର ରହିଛି । ତଥାପି ବି ମଣିଷ ଚେତିବା ପରି ନଜିର ଆସୁନାହିଁ । ଯେଉଁ ସୃଷ୍ଟିର ନିୟମକୁ ଚାଲେଞ୍ଜ ଦେଇ ମଣିଷ ସମାଜ ନିଜର ନିୟମରେ ଚାଲିବାକୁ ସାରା ସଂସାରକୁ ବାଧ୍ୟ କରୁଛି ଦିନ ଆସିବ ସେହି ସଂସାରର ସୃଷ୍ଟିରେ ମାନବ ସମାଜ ଲୀନ ହୋଇଯିବ ।

Leave A Reply

Your email address will not be published.