ଘର ଆଗରେ ଅଳିଆ ଗଦା ଦେଖି ଚାଲିଗଲା ମହିଳାଙ୍କ ଜୀବନ

0 71

ହାଇଦ୍ରାବାଦ, ୨୧ ।୧୨ : ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ପୌରପାଳିକା ପକ୍ଷରୁ ଜଣେ ମହିଳାଙ୍କ ଘରେ ଆଗରେ କୁଢ଼କୁଢ଼ ଅଳିଆ ଗଦା କରାଯିବାରୁ ସେ ଏହାକୁ ଦେଖି ସ୍ତବ ହୋଇଯାଇଥିଲେ । ଶେଷରେ ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେଲେଙ୍ଗାନାର ନାରାୟଣଖେଡ଼ ଜିଲ୍ଲାରେ ଘଟିଥିବା ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାଣ ହରାଇଥିବା ମହିଳା ଜଣଙ୍କ ହେଉଛନ୍ତି ୫୮ ବର୍ଷୀୟ ଭୁମାଭା । ସେ ଦୀର୍ଘ ଦିନ ହେଲା ଘରର ଟିକସ ଦେଉ ନଥିବାରୁ ନାରାୟଣଖେଡ଼ ପୌରପାଳିକା ଅଳିଆ ସବୁ ଆଣି ଡିସେମ୍ୱର ୧୫ରେ ତାଙ୍କ ଘର ଆଗରେ ଗଦା କରି ଦେଇଥିଲା । ଏହାକୁ ଦେଖି ମହିଳା ଜଣଙ୍କ ଲୋକଲଜ୍ଜା ଅନୁଭବ କରିଥିଲେ । ଘଟଣା ପରେ ସେ ଧୀରେଧୀରେ ଅସୁସ୍ଥ ହେବାରେ ଲାଗିଥିଲେ । ଶନିବାର ତାଙ୍କ ଅବସ୍ଥା ଅଧିକ ଖରାପ ହୋଇଥିଲା । ଶେଷରେ ପରିବାର ଲୋକ ତାଙ୍କୁ ସାଗର ରେ‡ୀ ସ୍ଥିତ ଗୋଟିଏ ହସ୍ପିଟାଲକୁ ନେଇଥିଲେ । ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଭୁମାଭାଙ୍କ ପରିବାର ଲୋକ ମୃତ୍ୟୁ ପାଇଁ ପୌରପାଳିକାକୁ ଦାୟୀ କରିଛନ୍ତି । ସେମାନେ କହିଛନ୍ତି ଯେ ଡିସେମ୍ବର ୧୫ରେ ପୌରପାଳିକା ଘର ଆଗରେ ଅଳିଆ ଗଦା କରିବାରୁ ଭୁମାଭା ବେଶ ଚିନ୍ତାରେ ପଡ଼ି ଯାଇଥିଲେ । ଧୀରେଧୀରେ ସେ ଶଯ୍ୟାରୁ ଉଠିବା ବନ୍ଦ କରି ଦେଇଥିଲେ । ଅବଶ୍ୟ ୧୭ ତାରିଖରେ ପୌରପାଳିକା ଅଳିଆ ସବୁ ଉଠାଇ ନେଇଥିଲା । କିନ୍ତୁ ଦୁଇ ଦିନ ଧରି ଘରେ ଆଗରେ ଅଳିଆ ଗଦା ହୋଇଥିବାରୁ ଭୁମାଭା ଏହାକୁ ସହ୍ୟ କରିପାରି ନଥିଲେ । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା ଓ ରବିବାର ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ପୁଲିସ୍ ପାଖରେ ଘଟଣାକୁ ନେଇ କୌଣସି ଅଭିଯୋଗ କରାଯାଇନାହିଁ । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ମହିଳା ଜଣଙ୍କ ଆଜମା ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ।

Leave A Reply

Your email address will not be published.