ଦଳୀୟ ସାଂସଦଙ୍କ ପତ୍ନୀ ଟିଏମସିରେ ମିଶିଲେ

0 63

କୋଲକାତା, ୨୧ ।୧୨ :ପଶ୍ଚିମବଙ୍ଗ ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବିଜେପିକୁ ଆଜି ଶକ୍ତ ଝଟକା ଲାଗିଛି । ଦଳର ସାଂସଦ ସୌମିତ୍ର ଖାନଙ୍କ ପତ୍ନୀ ସୁଜାତା ମଣ୍ଡଳ ଖାନ ସୋମବାର କ୍ଷମତାସୀନ ଟିଏମସିରେ ସାମିଲ ହୋଇଛନ୍ତି । ସୁଜାତାଙ୍କ ମିଶ୍ରଣ ପର୍ବରେ ଟିଏମସିର ବରିଷ୍ଠ ନେତା ସୌଗତ ରୟ ଓ ମୁଖପାତ୍ର କୁନାଲ ଘୋଷ ପ୍ରମୁଖ ଉପସ୍ଥିତ ରହିଥିଲେ । ୨୦୧୯ ଲୋକସଭା ନିର୍ବାଚନ ବେଳେ ସୁଜାତା ବିଜେପି ପାଇଁ ଜୋରଦାର ପ୍ରଚାର କରିଥିଲେ । ତାଙ୍କ ସ୍ୱାମୀ ସୌମିତ୍ର ଖାନ୍ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ହେଲେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ତାଙ୍କ ନିର୍ବାଚନମଣ୍ଡଳୀ ବିଷ୍ଣୁପୁରରେ ପ୍ରବେଶ କରିପାରି ନଥିଲେ । କିନ୍ତୁ ସୁଜାତା ନିଜ ସ୍ୱାମୀଙ୍କ ପାଇଁ ପ୍ରଚାର କରିଥିଲେ ଓ ଏଠାରେ ସୌମିତ୍ର ବିଜେପି ଟିକେଟ୍ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେଣୁ ପଶ୍ଚିମବଙ୍ଗ ରାଜନୀତିରେ ସୁଜାତାଙ୍କ ବେଶ ଦବଦବା ରହିଛି । ୨୦୧୪ରେ ସୌମିତ୍ର ଟିଏମସ ନିକଟରୁ ଲୋକସଭାକୁ ଯାଇଥିଲେ । ହେଲେ ସେ ୨୦୧୯ରେ ବିଜେପିରେ ଯୋଗଦେଇଥିଲେ । ଆଜି ସୁଜାତା ଟିଏମସିରେ ମିଶି ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ବିଜେପିରେ ମୁଁ ଦୀର୍ଘ ଦିନ ହେଲା ଥିଲି । ହେଲେ ଏବେ ବିଜେପିରେ ଉପଯୁକ୍ତ ସମ୍ମାନ ମିଳୁନାହିଁ । ତେଣୁ ଦଳରେ ରହିବା ମୋ ପାଇଁ କଷ୍ଟକର ହୋଇପଡ଼ିଛି । ବିଜେପି କେବଳ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଟିଏମସିରୁ କିଣି ସଂଗଠନ ତିଆରି କରିବାକୁ ଚାହୁଁଛି । ବିଜେପିରେ ୬ ଜଣ ମୁଖ୍ୟମନ୍ତ୍ରୀ ଓ ୧୩ ଜଣ ଉପମୁଖ୍ୟମନ୍ତ୍ରୀ ଆଶାୟୀ ରହିଛନ୍ତି । ରାଜ୍ୟରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ସେ ବିଷୟରେ କେହି ବି ଜାଣିନାହାନ୍ତି । ତେଣୁ ଜଣେ ମହିଳା ହିସାବରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ କାମ କରିବା ମୋ ପାଇଁ ସମ୍ମାନର ବିଷୟ ବୋଲି ସେ କହିଛନ୍ତି । କ’ଣ ସୌମିତ୍ର ଟିଏମସକୁ ଫେରିବେ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ରାଜନୀତିରେ ସବୁ କିଛି ସମ୍ଭବ । ଭବିଷ୍ୟତ କଥା କିଏ କହିବ? ସେହିପରି ଶୁଭେନ୍ଦୁ ଅଧିକାରୀଙ୍କ ବିଷୟରେ ସେ କହିଛନ୍ତି, ଅଧିକାରୀ ଜଣେ ଧୋକାବାଜ । ଦୀର୍ଘ ବର୍ଷ ଧରି ଦଳରୁ ସବୁ ପ୍ରକାରର ଫାଇଦା ପାଇବା ପରେ ସେ ନିଜର ସ୍ୱାର୍ଥ ହାସଲ ପାଇଁ ଦଳବଦଳ କରିଛନ୍ତି । ତେବେ ଏହା ଟିଏମସ ପାଇଁ ଗୋଟିଏ ଭଲ ଖବର ବୋଲି ସେ କହିଛନ୍ତି ।

Leave A Reply

Your email address will not be published.