କରୋନାର ନୂଆ ରୂପ: ସାବଧାନତା ଜରୁରୀ

0 70

ଆମ ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବାରୁ ଲୋକେ ଟିକେ ଆଶ୍ୱସ୍ତ ଅନୁଭବ କରୁଥିବା ବେଳେ ବ୍ରିଟେନ୍ରେ ଏହି ମହାମାରୀ ନୂଆ ରୂପ ନେଇ ତାଣ୍ଡବ ରଚାଇଛି । ୭୦% ବେଗରେ ଏହା ବ୍ୟାପିବାରେ ଲାଗିଛି । ଏହାକୁ ନେଇ ଆମ ଦେଶରେ ମଧ୍ୟ ଭୟର ବାତାବରଣ ଦେଖାଦେଇଛି । ଏହି ନୂଆ ଭାଇରସ୍ ବ୍ରିଟେନ୍ରୁ ଇଟାଲୀକୁ ବ୍ୟାପିଥିବା ଜଣାଯାଇଛି । ଇଟାଲୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରୋଗୀ ଏବଂ ତାଙ୍କ ସହଯୋଗୀ ଗତ କିଛିିଦିନ ତଳେ ବ୍ରିଟେନରୁ ଆସି ରୋମ୍ର ଫ୍ୟୁମିସିନ ବିମାନ ବନ୍ଦରରେ ଅବତରଣ କରିଥିଲେ । ପରେ ଦୁହେଁ ନୂତନ ଗୁଣସୂତ୍ରଧାରୀ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ଆଇସୋଲେସନ୍ରେ ରଖାଯାଇଛି । ଆମ ଦେଶରେ ସଂକ୍ରମଣ ଅପେକ୍ଷା ସୁସ୍ଥତା ହାର ବଢ଼ିଥିବା ବେଳେ କରୋନାର ଏହି ନୂଆ ରୂପକୁ ନେଇ ଆମ ଦେଶବାସୀ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଭାରତରେ ଆଜି ଦିନକ ମଧ୍ୟରେ ୨୪ହଜାର ୩୩୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୫୫,୫୬୦ରେ ପହଞ୍ôଚଛି । ଏବେ ମଧ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କେରଳରେ ସ୍ଥିତି ସଂଗୀନ ରହିଛି । ଠିକ୍ ଏହି ସମୟରେ ବ୍ରିଟେନ୍ରେ କରୋନାର ନୂଆ ରୂପ ଦେଖାଦେବା ପରେ ଆମ ଦେଶରେ ଛନକା ପଶିଛି । କରୋନାର ଏହି ଦ୍ୱିତୀୟ ରୂପ ୭୦% ଦ୍ରୁତ ଗତିରେ ବ୍ୟାପୁଥିବାରୁ ରବିବାର ଠାରୁ ଡିସେମ୍ବର ୩୧ ଯାଏଁ ବ୍ରିଟେନ୍ରେ ଲକ୍ଡାଉନ୍ ଘୋଷଣା କରାଯାଇଛି । ଜର୍ମାନୀ, ନେଦରଲାଣ୍ଡ ସମେତ ଅନେକ ୟୁରୋପୀୟ ରାଷ୍ଟ୍ର ବ୍ରିଟେନ୍ ସହ ବିମାନ ସେବାକୁ ବାତିଲ୍ କରିଛନ୍ତି । ଆଜି ଭାରତ ମଧ୍ୟ ବିମାନ ସେବାକୁ ବାତିଲ୍ କରିଛି । ଏଥିପାଇଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଲୋକମାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେବା ସହିତ ବଡ଼ଦିନ ଉତ୍ସବ ଘରେ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । କରୋନାର ଏହି ନୂଆ ରୂପକୁ ନେଇ ଗବେଷଣା ଆରମ୍ଭ ହୋଇଥିଲେ ମଧ୍ୟ ଏହାର ପ୍ରତିକାର ନେଇ କୌଣସି ଫଳପ୍ରଦ ମାର୍ଗ ବାହାରିନାହିଁ । ମହାମାରୀର ଏହି ପରିବର୍ତ୍ତିତ ରୂପ କିଭଳି ଓ କେଉଁ ପରିସ୍ଥିତିରେ ହେଲା ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଗବେଷଣା ଜାରି ରଖିଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ ସରକାର ସତର୍କ ଅଛନ୍ତି । ତେଣୁ ଦେଶବାସୀ ଭୟଭୀତ ହୁଅନ୍ତୁ ନାହିଁ । କରୋନାକୁ ନେଇ ଚାଲିଥିବା ଖରାପ ସମୟ ଏବେ ଶେଷ ହୋଇଛି । ହେଲେ ଆମକୁ ଆଗାମୀ ଦିନ ପାଇଁ ଆହୁରି ସାବଧାନ ରହିବା ଜରୁରୀ ବୋଲି ସେ କହିଛନ୍ତି । ତେଣୁ ମାକ୍ସ ପିନ୍ଧିବା ସହ ସାମାଜିକ ଦୂରତା ଏବଂ ହାତକୁ ବାରମ୍ବାର ଧୋଇବା ଉପରେ ଗୁରୁତ୍ୱ ଦେବା ଉଚିତ୍ । ସଂକ୍ରମଣ କମିଗଲା ଭାବି ଏହାକୁ ହେଳା କରିବା ଆଦୌ ଉଚିତ୍ ନୁହେଁ । ଢ଼ିଲାପଣ ହିଁ ପୁଣି ସଂକ୍ରମଣ ବଢ଼ାଇବାର ସହାୟକ ହେବ । ଜାନୁଆରୀରୁ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଆମକୁ ବିଶେଷଭାବେ ସତର୍କ ଅବଲମ୍ବନ କରିବା ନିହାତି ଆବଶ୍ୟକ । ଶୀତ ଅଧିକ ପଡ଼ୁଥିବାରୁ ଏସ୍ଆର୍ସି ପ୍ରଦୀପ ଜେନା ମଧ୍ୟ ସତର୍କ ସୂଚନା ଜାରି କରିଛନ୍ତି । ଆଉ ୩ ଦିନ ଥଣ୍ଡା ପଡ଼ୁଥିବାରୁ ରାତିରେ ଘରୁ ନବାହାରିବା ପାଇଁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । କୋଭିଡ୍ ମାର୍ଗଦର୍ଶିକାକୁ ସଠିକ୍ ଭାବେ ପାଳନ କଲେ କରୋନା ଚେନ୍ ଭାଙ୍ଗିବା ସହ ସଂକ୍ରମଣ ଧିରେ ଧିରେ ଲୋପ ପାଇଯିବ । ତେଣୁ ହାଟ ବଜାର ଆଦି ସ୍ଥାନରେ ଗହଳି ନକରି ସାମାଜିକ ଦୂରତ୍ୱ ବଜାୟ ରଖି କିଣାବିକା କରିବା ସହିତ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ।

Leave A Reply

Your email address will not be published.