ଓଡିଶା-ଆନ୍ଧ୍ର ଜମି ବିବାଦ: ସମାଧାନ ପାଇଁ ଉଭୟ ରାଜସ୍ୱ ଅଧିକାରୀଙ୍କ ପ୍ରୟାସ ଆରମ୍ଭ

0 65


ପାରଳାଖେମୁଣ୍ଡି,୨୨ା୧୨:ଦୀର୍ଘ ବର୍ଷ ଧରି ଓଡିଶାର ଗଜପତି ଓ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା ସୀମାନ୍ତରେ ଥିବା ଚାଷ ଜମିର ମାଲିକାନା ନେଇ ବିବାଦ ରହି ଆସିଛି । ଏହି ବିବାଦର ସମାଧାନ ପାଇଁ ଉଭୟ ଗଜପତି ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ରାଜସ୍ୱ ବିଭାଗ ଅଧିକାରୀମାନେ ବିବାଦୀୟ ଅଞ୍ଚଳକୁ ଗ୍ରସ୍ତ କରି ଗତକାଲି ସକାଳ ଠାରୁ ଆଜି ମଧ୍ୟ ଆବଶ୍ୟକ ବିଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି । ଆଜି ଏହି ବାବିଦୀୟ ଅଞ୍ଚଳରେ ଉଭୟ ଓଡିଶା-ଆନ୍ଧ୍ର ତହସିଲର କର୍ମଚାରୀମାନେ ଉପସ୍ଥିତ ରହି ଉଭୟ ରାଜ୍ୟର ମ୍ୟାପ୍କୁ ଦେଖି ଜମି ଚିହ୍ନଟ କରିଛନ୍ତି । ତଥାପି ଆନ୍ଧ୍ର ଚାଷୀଙ୍କ ଜୁଲମ ଯୋଗୁଁ ଏହି ବିବାଦ ତୁଟିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାରୁ ପ୍ରକାଶ,ଗତ ୪୦ବର୍ଷରୁ ଉର୍ଦ୍ଧ ହେଲା ପାରଳାଖେମୁଣ୍ଡି ତହସିଲ,କାଶୀନଗର ତହସିଲ ଓ ଆନ୍ଧ୍ରର ଶ୍ରୀକାକୁଲମ୍ ତହସିଲ ୩ଗୋଟି ତହସିଲର ସଂଯୋଗ ସ୍ଥଳୀ ଆନ୍ଧ୍ରର ଏସ.କାବିଟି ଗ୍ରାମ ନିକଟରେ ୧୨ଏକର ଚାଷ ଜମି ରହିଆସିଛି । ଏହି ୧୨ଏକର ଚାଷ ଜମିକୁ ନେଇ ଗଜପତି ଓ ଆନ୍ଧ୍ରର ଶ୍ରୀକାକୁଲମ୍ ଚାଷୀମାନଙ୍କ ମଧ୍ୟରେ ଦୀର୍ଘ ୪୦ବର୍ଷ ଧରି ବହୁ ବିବାଦ ରହିଆସିଛି । ଗତ ୪୦ବର୍ଷ ହେଲା ପ୍ରତ୍ୟେକ ବର୍ଷ ଆନ୍ଧ୍ରର ଶ୍ରୀକାକୁଲମର ଚାଷୀମାନେ ଜବରଦସ୍ତି ବଳପୂର୍ବକ ଏହି୧୨ ଏକର ଚାଷ ଜମିରୁ ବିଭିନ୍ନ ଫସଲ କାଟି ନେଉଥିଲେ । ଏ ନେଇ ଓଡିଶା ଚାଷୀମାନଙ୍କର ବାରମ୍ବାର ନିବେଦନ ଓ ଫସଲ କଟାକୁ ବିରୋଧ ସତ୍ୱେ ଆନ୍ଧ୍ର ଚାଷୀମାନେ ବଳପୁର୍ବକ ଭାବେ ଫସଲକୁ କାଟି ନେଉଥିଲେ । ବିବାଦ ଦିନକୁ ଦିନ ବଢି ଚାଲିଥିଲେ ସୁଦ୍ଧା ଉଭୟ ରାଜ୍ୟର ପ୍ରଶାସନ କୌଣସି ପ୍ରତିକାର କରୁ ନ ଥିଲେ । ପରିଶେଷରେ ଏଥି ନେଇ ଓଡିଶାର ସମସ୍ତ ଗଣମାଧ୍ୟମରେ ଏହି ଖବର ବାରମ୍ବାର ପ୍ରକାଶିତ ଓ ପ୍ରସାରିତ ହେବା ପରେ ଉଭୟ ଓଡିଶା ଗଜପତି ଓ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଗତକାଲି ଠାରୁ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତା ନନ୍ଦ ଜାନୀଙ୍କ ନେତୃତ୍ୱରେ ପାରଳା ତହସିଲ କର୍ମଚାରୀ ବୃନ୍ଦ ଏବଂ ଆନ୍ଧ୍ର ଶ୍ରୀକାକୁଲମ ମଣ୍ଡଳ ରାଜସ୍ୱ ଅଧିକାରୀ କାଳୀପ୍ରସାଦଙ୍କ ନେତୃତ୍ୱରେ ଆନ୍ଧ୍ର ଟିମ୍ ମିଳିତ ଅନୁଧ୍ୟାନ ଓ ମାପଚୁପ ଗତକାଲି ଆରମ୍ଭ କରିଥିଲେ । ଆଜି ମଧ୍ୟ ଏହି ଉଭୟ ଟିମ୍ ଘଟଣା ସ୍ଥଳରେ ଉପସ୍ଥିତ ରହି ଜମିକୁ ଚିହ୍ନଟ କରିବା ସହ ଓଡିଶାର ଚାଷୀଙ୍କ ଜମିରେ ସେମାନଙ୍କ ମାଲିକାନା ଜାହିର କରିବାପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ଏଥିରେ ଓଡିଶାର ଚାଷୀମାନେ ସେମାନଙ୍କ ଦୀର୍ଘ ବର୍ଷର ଚାଷ ଜମିରେ ଚାରିପଟେ ଖୁଣ୍ଟି ପୋତି ଓ ବାଡ ବେଢି ନିଜ ନିଜର ମାଲିକାନା ଜାହିର କରିଛନ୍ତି । ଉଭୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ଚାଷୀମାନେ ଚାଷ ଜମିରେ ଚାରିପଟେ ଖୁଣ୍ଟି ପୋତି ଓ ବାଡ ବେଢିଥିଲେ । ହେଲେ ଆନ୍ଧ୍ର ଚାଷୀମାନେ ଏଗୁଡିକୁ ଜବରଦସ୍ତିି ସେଠାରୁ ହଟାଇ ଦେଉଥିବା ଗଜପତିର ଚାଷୀ ପି.ଆପ୍ପାରାଓ,ବୋମାଲି କ୍ର୍ୀଷ୍ଣା,ଏସ.ରାମସ୍ୱାମୀ,ଟି ଯୋଗୁଲୁ,ରାମଚନ୍ଦ୍ର ମହାନ୍ତି,କଲ୍ୟାଣୀ ଚିନ୍ନା,ଏମ.ପ୍ରେମାନନ୍ଦ,କଲ୍ୟାଣୀ ଆଶ୍ରୟ ପ୍ରମୁଖ ପ୍ରକାଶ କରି କହିଛନ୍ତି, ଆନ୍ଧ୍ର ଚାଷୀମାନଙ୍କର ଏଭଳି ବଳପୂର୍ବକ କାର୍ଯ୍ୟ ଯୋଗୁଁ ଉଭୟ ପ୍ରଶାସନର ଉଦ୍ୟମ କ୍ରମେ ମଧ୍ୟ ଏହି ବିବାଦ ସମାଧାନ ହେବା ଭଳି ଆଶା କରାଯାଉ ନାହିଁ । ଆନ୍ଧ୍ର ଚାଷୀମାନଙ୍କ ଏଭଳି ଜୁଲମକୁ ବନ୍ଦ କରିବା ପାଇଁ ଉଭୟ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରନ୍ତୁ । ଏ ନେଇ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଛନ୍ତି,ପାରଳା ତହସିଲ କର୍ମଚାରୀ ଜମି ଚିହ୍ନଟ କରି ପୋତିଥିବା ୨ଟି ଚିହ୍ନଟ କାଠକୁ ଆନ୍ଧ୍ର ଚାଷୀମାନେ ଉଠାଇ ଫୋପାଡି ଦେଇଛନ୍ତି । ତଥାପି ଆମ କର୍ମଚାରୀମାନେ ପୁଣି ତାହା ପୋତିଛନ୍ତି । ଏହି ବିବାଦ ସମାଧାନରେ ଯେଉଁମାନେ ବିଶୃଙ୍ଖଳା ଆଚରଣ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ବିବାଦକୁ ସମାଧାନ କରାଯିବ ।

Leave A Reply

Your email address will not be published.