ଶରଦ ପାୱାରଙ୍କ ପରାମର୍ଶ ନେଲେ ଦିଦି

0 63

କୋଲକାତା, ୨୨ ।୧୨: ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଓ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ମଧ୍ୟରେ କ୍ଷମତା ଯୁଦ୍ଧ ତୀବ୍ର ହେବାରେ ଲାଗିଛି । କେନ୍ଦ୍ର ସରକାର ନିଜ କ୍ଷମତାର ଅପବ୍ୟବହାର କରି ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଥିବା ବିରୋଧୀ ଅଭିଯୋଗ ମଧ୍ୟ କରୁଛନ୍ତି । ଏସବୁ ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୋମବାର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି । ବିଜେପିର ମିଶନ ବେଙ୍ଗଲକୁ ନେଇ ଚିନ୍ତାରେ ଥିବା ମମତା କେମିତି ଏହାକୁ କାଉଣ୍ଟର କରିବେ ସେ ବିଷୟରେ ଶରଦ ପାୱାରଙ୍କ ପରାମର୍ଶ ଦେଇଥିବା ଜଣାପଡ଼ିଛି । ଶରଦ ପାୱାରଙ୍କ ଏନସିପିର ମୁଖପାତ୍ର ନୱାବ ମଲ୍ଲିକ କହିଛନ୍ତି, ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କେମିତି ରାଜ୍ୟ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ଟାର୍ଗେଟ କରାଯାଉଛି, ସେ ବିଷୟରେ ମମତା ଓ ଶରଦ ପାୱାରଙ୍କ ମଧ୍ୟରେ ଆଲୋଚନା ହୋଇଛି । ବିଜେପି ବେଙ୍ଗଲରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି । ଏଥିପାଇଁ ରାଜ୍ୟର ୩ ବରିଷ୍ଠ ଆଇପିଏସକୁ ଦିଲ୍ଲୀରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛି । ବିଜେପି ଯେଉଁଭଳି ଭାବେ କେନ୍ଦ୍ରୀୟ ଏଜେନ୍ସିକୁ ଅପବ୍ୟବହାର କରୁଛି, ତାହା ଆଦୌ ଠିକ୍ ନୁହେଁ । ଏସବୁ ବିଷୟରେ ମମତା ଓ ଶରଦ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ଅନ୍ୟ ଜାତୀୟ ନେତାଙ୍କ ସହ ମଧ୍ୟ ଉଭୟ ଆଲୋଚନା କରିବେ । ଦରକାର ପଡ଼ିଲେ ଶରଦ ପାୱାର ବେଙ୍ଗଲ ଗସ୍ତ ମଧ୍ୟ କରିବେ ବୋଲି ସେ ସୂଚନା ଦେଇଛନ୍ତି । ବେଙ୍ଗଲ ନିର୍ବାଚନ ଆଗକୁ ଥିବାରୁ ରାଜ୍ୟ ସରକାରଙ୍କୁ ଦୁର୍ବଳ କରିବା ପାଇଁ ବିଜେପି କ୍ଷମତାର ଅବ୍ୟବହାର କରୁଛି । ବିଶେଷ କରି ଟିଏମସିକୁ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ମମତା ଅଭିଯୋଗ କରିଥିଲେ । ନିକଟରେ ବିଜେପି ଅଧ୍ୟକ୍ଷ ଜେପି ନ‡ାଙ୍କ କନଭୟ ଉପରେ କୋଲକାତାରେ ଆକ୍ରମଣ ହୋଇଥିଲା । ଏହି ଘଟଣାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ଆକ୍ରମଣ ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପଶ୍ଚିମବଙ୍ଗର ୩ ଆଇପିଏସ ଅଫିସରଙ୍କୁ ଦିଲ୍ଲୀକୁ ବଦଳି କରାଯାଇଥିଲା । ଏହାକୁ ମମତାଙ୍କ ସମେତ ପଞ୍ଜାବ, ଛତିଶଗଡ଼ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀମାନେ ତୀବ୍ର ନାପସନ୍ଦ କରିଥିଲେ ।

Leave A Reply

Your email address will not be published.