ଚାଷୀ ଆକ୍ରୋଶର ଶିକାର ହେଲେ ମୁଖ୍ୟମନ୍ତ୍ରୀ

0 66

ଚଣ୍ଡିଗଡ଼, ୨୩ ।୧୨: ଅମ୍ବାଲା ଯାଉଥିବା ବେଳେ ଚାଷୀ ଆକ୍ରୋଶର ଶିକାର ହୋଇଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଶତାଧିକ ଚାଷୀ ମୁଖ୍ୟମନ୍ତ୍ରୀଙ୍କ କନଭୟର ବାଟ ଓଗାଳିବା ସହ କଳା ପତାକା ଦେଖାଇଛନ୍ତି । ସ୍ଥିତି ଏପରି ହୋଇଥିଲା ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ ପଛଘୁଞ୍ଚା ଦେଇଥିଲା । ତେବେ ପୁଲିସ୍ର ହସ୍ତକ୍ଷେପ ଯୋଗୁ ତାଙ୍କ କାରଟି ବାଟ ବଦଳାଇ ଚାଷୀଙ୍କ ଆକ୍ରୋଶରୁ ରକ୍ଷା ପାଇ ଯାଇଥିଲା । ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ କରୁଥିବା ବେଳେ ଏହା ଉପରୁ ନଜର ହଟାଇବାକୁ ଖଟ୍ଟର ସରକାର ବାରମ୍ବାର ଉଦ୍ୟମ କରୁଛନ୍ତି । ହରିଆଣା ସରକାର ନିକଟରେ କହିଥିଲେ ଯେ କିଛି ହାତ ଗଣତି ଚାଷୀ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଛନ୍ତି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଖଟ୍ଟର ଅମ୍ବାଲାରେ ଆୟୋଜିତ ବିଜେପିର ଏକ ପ୍ରଚାର କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଚାଷୀମାନେ ତାଙ୍କୁ ବିରୋଧ କରିଛନ୍ତି । ଚାଷୀମାନେ କନଭୟ ଆଗକୁ ଆସି କଳା ପତାକା ଦେଖାଇ ବିରୋଧ କରିଥିଲେ । ଏହାପରେ ସେମାନେ କନଭୟର ବାଟ ବନ୍ଦ କରି ଦେଇଥିଲେ । ପୁଲିସ୍ ସେମାନଙ୍କ ପାଖରେ ପହଞ୍ଚି ବୁଝାସୁଝା କରିଥିଲା । ତଥାପି କିଛି ସମୟ ପାଇଁ ଚାଷୀମାନେ ଏହାକୁ ଶୁଣି ନଥିଲେ । ଏହା ଦେଖି ମୁଖ୍ୟମନ୍ତ୍ରୀ କାର ପଛଘୁଞ୍ଚା ଦେବାକୁ ଉଦ୍ୟମ କରିଥିଲା । ତେବେ ଶେଷରେ ପୁଲିସ୍ ପ୍ରୟାସରେ କନଭୟ ଯିବାକୁ ଚାଷୀମାନେ ବାଟ ଛାଡ଼ିଥିଲେ ।

Leave A Reply

Your email address will not be published.