ଭାରତ ଆସି ନ ପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ

0 58

ନୂଆଦିଲ୍ଲୀ, ୨୩ ।୧୨: ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ବ୍ରିଟେନରେ ଏବେ କରୋନା ଭାଇରସର ନୂଆ ରୂପ ଆତଙ୍କ ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ଫେରନ୍ତାଙ୍କ ଉପରେ ଭାରତ ସରକାର କଟକଣା ଲଗାଇଛନ୍ତି । ଏପରି କି ଡିସେମ୍ବର ୩୧ ଯାଏଁ ବ୍ରିଟେନ ସହ ବିମାନ ସେବା ସମ୍ପର୍କଚ୍ଛିନ୍ନ କରାଯାଇଛି । କରୋନାର ନୂଆ ଷ୍ଟ୍ରେନର ଭୟାବହତାକୁ ଦୃଷ୍ଟିରେ ରଖି ଜନସନଙ୍କ ଭାରତ ଗସ୍ତ ସମ୍ଭବ ହୋଇ ନପାରେ ବୋଲି ବ୍ରିଟେନର ବରିଷ୍ଠ ଡାକ୍ତର ଚାନ୍ଦ ନାଗପଲ ଆକଳନ କରିଛନ୍ତି । ବ୍ରିଟିଶ ମେଡିକାଲ ଆସୋସିଏସନର ମୁଖ୍ୟ ଡା.ନାଗପଲ କହିଛନ୍ତି, ଜନସନଙ୍କ ଗସ୍ତକୁ ନେଇ ଏବେଠାରୁ ବ୍ରିଟିଶ ସରକାର ଆକଳନ ନ କରିପାରନ୍ତି । ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆଉ କିଛି ସମୟ ଲାଗିପାରେ । କିନ୍ତୁ, ଯଦି କରୋନା ସଂକ୍ରମଣ ଏଭଳି ଭାବେ ଲାଗି ରହିବ ଓ ନୂଆ ଷ୍ଟ୍ରେନ ଆତଙ୍କ ସୃଷ୍ଟି କରିବ, ତା’ହେଲେ ବୋରିସଙ୍କ ଭାରତ ଗସ୍ତ ଅସମ୍ଭବ ହୋଇପଡ଼ିବ । କରୋନାର ନୂଆ ଷ୍ଟ୍ରେନକୁ ମୁକାବିଲା କରିବା ପାଇଁ ଆମକୁ ବ୍ୟବସ୍ଥା କରିବାକୁ ପଡ଼ିବ । ଲଣ୍ଡନ ଓ ବ୍ରିଟେନର ବିଭିନ୍ନ ପ୍ରାନ୍ତରେ ଯଦି ଆମେ କଠୋର ଲକଡାଉନ ବ୍ୟବସ୍ଥା ଲାଗୁ କରି କରୋନାର ସଂକ୍ରମଣକୁ ରୋକି ପାରିବୁ, ତା’ହେଲେ ବୋରିସ ଜନସନ ଭାରତ ଗସ୍ତ କରିପାରନ୍ତି । ଭାଇରସ ପ୍ରତିଦିନ ନୂଆ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ତେଣୁ ବୋରିସଙ୍କ ଭାରତ ଗସ୍ତକୁ ଆହୁରି ୫ ସପ୍ତାହ ରହିଛି । ଯଦି ଗସ୍ତ ସମୟରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବ, ତା’ହେଲେ ସେ ନିଶ୍ଚିତ ଭାରତ ଗସ୍ତ କରିପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି । ସେପ୍ଟେମ୍ବର ମାସରୁ ଦକ୍ଷିଣ ଇଂଲଣ୍ଡରେ ନୂଆ ଷ୍ଟ୍ରେନ ମିଳିଲାଣି । ଏହାପୂର୍ବାପେକ୍ଷା ଅଧିକ ମାରାତ୍ମକ ଓ ଅଧିକ ବେଗରେ ସଂକ୍ରମଣ କରୁଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଏକାଧିକ ରାଷ୍ଟ୍ର ବ୍ରିଟେନକୁ ବିମାନ ସେବା ବାତିଲ କରିଛନ୍ତି । ବ୍ରିଟେନ ସରକାର ମଧ୍ୟ ଲଣ୍ଡନ ଓ ଦକ୍ଷିଣ ଇଂଲଣ୍ଡରେ ଲକଡାଉନ ଲାଗୁ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.