ବିଜେପି ଦଖଲରେ ଜମ୍ମୁ, କଶ୍ମୀରରେ ଗୁପକାର ମେଣ୍ଟର ବାଜିମାତ୍

0 68

ଶ୍ରୀନଗର, ୨୩ ।୧୨: ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ଗୁପକାର ମେଣ୍ଟ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ନିର୍ବାଚନରେ ବାଜିମାତ କରିଛି । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ କୌଣସି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁପକାର ମେଣ୍ଟ କଶ୍ମୀରରେ ନିଜର ଦବଦବା ଦେଖାଇଥିବା ବେଳେ ବିଜେପି ଦଖଲକୁ ଜମ୍ମୁ ଯାଇଛି । ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନ ସମଗ୍ର ୨୦ଟି ଜିଲ୍ଲାରେ ପ୍ରଥମଥର ଅନୁଷ୍ଠିତ ହୋଇଥିଲା । ୨୦ଟି ଜିଲ୍ଲାରୁ ଗୁପକାର ମେଣ୍ଟ ଓ କଂଗ୍ରେସ ୧୩ଟି ଜିତିଥିବା ବେଳେ ବିଜେପି ମାତ୍ର ୬ଟିରେ ଜିତିଛି । ଆଉ ଗୋଟିଏ ଜିଲ୍ଲାରେ ସ୍ୱାଧୀନ ପ୍ରାର୍ଥୀମାନେ ଆଗରେ ରହିଛନ୍ତି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ଏହା ବିରୋଧରେ ନ୍ୟାଶନାଲ କନଫରେନ୍ସ ଓ ମେହବୁବା ମୁଫତିଙ୍କ ପିଡିପି ଭଳି ୭ଟି ଦଳ ଏକାଠି ହୋଇ ଗୁପକାର ମେଣ୍ଟ ଗଠନ କରିଥିଲେ । ଡିଡିସି ନିର୍ବାଚନରେ ମେଣ୍ଟ ସପକ୍ଷରେ ୧୧୨ରୁ ଅଧିକ ଆସନ ଯାଇଥିବା ବେଳେ ବିଜେପି ୭୪ଟି ଆସନ ଜିତିଛି । ସେହିପରି କଂଗ୍ରେସ ୨୬ଟି ଆସନରେ ବାଜିମାତ କରିଛି । ଅନ୍ୟ ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗରେ ଅଛନ୍ତି । ୨୦ଟି ଜିଲ୍ଲାର ୨୮୦ଟି ଆସନ ପାଇଁ ମତଦାନ ହୋଇଥିଲା । କଶ୍ମୀର ଅଞ୍ଚଳରେ ପ୍ରାୟ ସବୁ ଆସନ ଗୁପକାର ମେଣ୍ଟ ଜିତିଥିବା ବେଳେ ଜମ୍ମୁର ଅଧିକାଂଶ ସ୍ଥାନରେ ବିଜେପି ବାଜିମାତ କରିଛି । କଶ୍ମୀରରେ ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ମେଣ୍ଟ ୭୨ଟି ଆସନ ଜିତିଛି । ଏଠାରେ ବିଜେପି ଖାତାକୁ ମାତ୍ର ୩ଟି ଆସନ ଯାଇଛି । ବର୍ତ୍ତମାନ ସାମ୍ନାକୁ ଆସିଥିବା ରେଜଲ୍ଟ ଅନୁଯାୟୀ ମେଣ୍ଟର ପ୍ରାର୍ଥୀମାନେ ୯ଟି ଜିଲ୍ଲାରେ ପରିଷଦ ଗଠନ କରିବାକୁ ସକ୍ଷମ ହୋଇଛନ୍ତି । ସେଗୁଡ଼ିକ ହେଲା, କୁପୱାଡା, ବାରମୁଲ୍ଲା, ବଡ଼ଗାମ, ପୁଲୱାମା, ଅନନ୍ତନାଗ, ବାନ୍ଦିପୋରା, ଗାନେ୍ଧରବାଲ, ଶୋଫିଆନ ଓ କୁଲଗାମ । ଶ୍ରୀନଗରରେ ସ୍ୱାଧୀନ ପ୍ରାର୍ଥୀ ଆଗରେ ଥିବାର ଏହା କାହା ସପକ୍ଷରେ ଯିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପକ୍ଷରେ ଜମ୍ମୁରେ ବିଜେପି ୭୧ଟି ଆସନ ଜିତିଛି । ଜମ୍ମୁ, ଉଦ୍ଧମପୁର, ସାମ୍ବା, କଠୁଆ, ରେଇସି ଓ ଡୋଡାରେ ପଦ୍ମ ଫୁଟିଛି । ନ୍ୟାଶନାଲ କନଫରେନ୍ସ ଓ କଂଗ୍ରେସ ଜମ୍ମୁରେ ୪୫ଟି ଆସନ ଜିତିବାରେ ସକ୍ଷମ ହୋଇଛନ୍ତି । ପୁଞ୍ଚ, ରଜୌରୀ, କିସ୍ତୱାର ଓ ରାମବନ ଜିଲ୍ଲା ଏମାନଙ୍କ ଦଖଲରେ ରହିଛି ।

Leave A Reply

Your email address will not be published.