‘ଜଣେ ପ୍ରାପ୍ତ ବୟସ୍କ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିପାରିବେ’

0 62

କୋଲକାତା, ୨୩ ।୧୨: ଯଦି ଜଣେ ପ୍ରାପ୍ତ ବୟସ୍କ ମହିଳା ନିଜ ଇଚ୍ଛାରେ ବିବାହ କରୁଛନ୍ତି, ଧର୍ମ ପରିବର୍ତ୍ତନ କରୁଛନ୍ତି ଓ ନିଜ ପରିବାର ପାଖକୁ ଫେରିବାକୁ ଚାହୁଁନାହାନ୍ତି, ତା’ହେଲେ ଏଥିରେ କେହି ବି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କୋଲକାତା ହାଇକୋର୍ଟ କହିଛନ୍ତି । ଜଣେ ହିନ୍ଦୁ ବ୍ୟକ୍ତି ତାଙ୍କ ଝିଅ ଧର୍ମ ପରିବର୍ତ୍ତନ କରି ଜଣେ ମୁସଲିମ ଯୁବକଙ୍କୁ ବିବାହ କରିଥିବାରୁ ଏହା ବିରୋଧରେ ଆବେଦନ କରିଥିଲେ । ଏହା ଉପରେ ସୋମବାର ଶୁଣାଣି କରି କୋର୍ଟ ଏପରି କହିଛନ୍ତି । ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ଅନ୍ତର୍ଗତ ଦୁର୍ଗାପୁର ଗାଁର ୪୪ ବର୍ଷୀୟ ବ୍ୟକ୍ତି ତାଙ୍କ ଆବେଦନରେ କହିଥିଲେ ଯେ ସେପ୍ଟେମ୍ବର ୧୫ରେ ତାଙ୍କ ଝିଅ ଘର ଛାଡ଼ି ଚାଲି ଯାଇଥିଲେ । ଏହାର ଗୋଟିଏ ଦିନ ପରେ ତାଙ୍କ ଝିଅ ଧର୍ମ ପରିବର୍ତ୍ତନ କରିଥିବା ସେ ଜାଣିବାକୁ ପାଇଥିଲେ । ଏପରି କି ଝିଅ ଜଣଙ୍କ ମୁସଲିମ ନାଁ ଧାରଣ କରି ବିବାହ ମଧ୍ୟ କରିଥିଲେ । ତାଙ୍କ ଝିଅଙ୍କୁ ଏପରି କରିବାକୁ ବାଧ୍ୟ କିମ୍ବା ପ୍ରଲୋଭିତ କରାଯାଇଥିବା ସେ ଆବେଦନରେ ଦର୍ଶାଇଥିଲେ । ବ୍ୟକ୍ତିଙ୍କ ଓକିଲ ସୁସ୍ମିତା ସାହା ଦତ୍ତ କହିଛନ୍ତି, ବ୍ୟାଙ୍କ ନାଁ କହି ଯୁବତୀ ଜଣଙ୍କ ଘରୁ ବାହାରି ଯାଇଥିଲେ ଓ ଆଉ ଫେରି ନଥିଲେ । ଫଳରେ ତାଙ୍କ ବାପା ମୁରୁତିଆ ପୁଲିସ୍ ଷ୍ଟେସନରେ ଏଫଆଇଆର ରୁଜୁ କରିଥିଲେ । ଏଥିରେ ସେ ତାଙ୍କ ଝିଅଙ୍କୁ ଅପହରଣ କରାଯାଇଥିବା ଉଲ୍ଲେଖ କରିଥିଲେ । ପୁଲିସ୍ ଅଭିଯୋଗ ପାଇବା ପରେ ଯୁବତୀଙ୍କୁ ଉଦ୍ଧାର କରିଥିଲା । ହେଲେ ସେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ବିବାହ କରିଥିବା କଥା କହିଥିଲେ । ତେବେ ଝିଅକୁ ଧମକାଇ ଏଭଳି ବୟାନ ରେକର୍ଡ କରାଯାଇଥିବା ଅଭିଯୋଗ କରି ତାଙ୍କ ବାପା କୋଲକାତା ହାଇକୋର୍ଟରେ ଆବେଦନ କରିଥିଲେ । ସୋମବାର ଡିଭିଜନାଲ ବେଞ୍ଚର ବିଚାରପତି ଜଷ୍ଟିସ ସଞ୍ଜୀବ ବାନାର୍ଜୀ ଓ ଜଷ୍ଟିସ ଅରଜିତ ବାନାର୍ଜୀ ଆବେଦନର ଶୁଣାଣି କରି କହିଛନ୍ତି, ଯଦି ଜଣେ ପ୍ରାପ୍ତ ବୟସ୍କ ମହିଳା ନିଜ ଇଚ୍ଛାରେ ବିବାହ କରୁଛନ୍ତି କିମ୍ବା ଧର୍ମ ପରିବର୍ତ୍ତନ କରୁଛନ୍ତି ଓ ନିଜ ପରିବାର ପାଖକୁ ଫେରିବାକୁ ଚାହୁଁନାହାନ୍ତି, ତା’ହେଲେ ଏଥିରେ କେହି ବି ହସ୍ତକ୍ଷେପ କରିପାରିବେ ନାହିଁ । ତଥାପି କୋର୍ଟ ଯୁବତୀଙ୍କୁ ଏକାକୀ ବୁଧବାର ଦିନ ୧୦.୩୦ରେ ହାଇକୋର୍ଟଙ୍କ ଅତିରିକ୍ତ ସରକାରୀ ଓକିଲଙ୍କୁ ତାଙ୍କ ଚ୍ୟାମ୍ବରରେ ଭେଟିବାକୁ କହିଛନ୍ତି । ଯୁବତୀଙ୍କ ବୟାନ ସେଠାରେ ରେକର୍ଡ କରାଯିବ । ଏହାପରେ ଗୁରୁବାର ଅତିରିକ୍ତ ସରକାରୀ ଓକିଲ ହାଇକୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ । ରିପୋର୍ଟ ଦେଖିବା ପରେ କୋର୍ଟ ମାମଲା ଶୁଣାଣି କରିବେ ।

Leave A Reply

Your email address will not be published.