ଦଳ ଛାଡ଼ିବାରୁ ପତ୍ନୀଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଲେ ବିଜେପି ସାଂସଦ

0 62

କୋଲକାତା, ୨୩ ।୧୨: ବିଜେପି ଛାଡ଼ି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ଯୋଗଦେଇଥିବା ସୁଜାତା ମଣ୍ଡଳ ଖାନଙ୍କ ପାଖକୁ ଛାଡ଼ପତ୍ର ପାଇଁ ନୋଟିସ୍ ପଠାଇଛନ୍ତି ତାଙ୍କ ସ୍ୱାମୀ ତଥା ସାଂସଦ ସୌମିତ୍ର ଖାନ୍ । ପଶ୍ଚିମବଙ୍ଗର ବିଷ୍ଣୁପୁର ଆସନରୁ ବିଜେପି ଟିକେଟ୍ରେ ଲୋକସଭାକୁ ଯାଇଥିବା ସୌମିତ୍ର ପ୍ରଥମେ ଟିଏମସିରେ ରହିଥିଲେ । ହେଲେ ୨୦୧୯ରେ ସେ ବିଜେପିକୁ ଆସି ନିର୍ବାଚନ ଲଢ଼ିଥିଲେ । ଏବେ ତାଙ୍କ ପତ୍ନୀ ଟିଏମସିରେ ଯୋଗଦେଇଥିବାରୁ ଏହା ତାଙ୍କୁ କ୍ଷୁବ୍ଧ କରିଛି । ପୂର୍ବରୁ ଛାଡ଼ପତ୍ର ପାଇଁ ସୁଜାତାଙ୍କୁ ଧମକ ଦେଇଥିବା ସୌମିତ୍ର କହିଛନ୍ତି, ମୁଁ ସୁଜାତାଙ୍କୁ ମୋ ସାଙ୍ଗିଆ ବ୍ୟବହାର ନ କରିବାକୁ ଅନୁରୋଧ କରୁଛି । ଆଜିଠାରୁ ମୁଁ ତାଙ୍କ ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରୁଛି । ତାଙ୍କ ପାଖକୁ ମୁଁ ଛାଡ଼ପତ୍ର ନୋଟିସ ମଧ୍ୟ ପଠାଇ ଦେଇଛି । ଏଥିସହ ମୁଁ ମିଡିଆକୁ ଅନୁରୋଧ କରୁଛି କି ସେମାନେ ସୁଜାତାଙ୍କ ନାଁ ଲେଖିବା ବେଳେ ମୋର ସରନେମ୍ “ଖାନ୍’ ବ୍ୟବହାର ନ କରନ୍ତୁ । ଅନ୍ୟପକ୍ଷରେ ସୁଜାତା କହିଛନ୍ତି, ବିଜେପିର କିଛି ଖଳ ଚରିତ୍ର ଲୋକଙ୍କ କଥାରେ ପଡ଼ି ସୌମିତ୍ର ଏଭଳି କରୁଛନ୍ତି । ଯେତେବେଳେ ରାଜନୀତି ଆପଣଙ୍କ ବ୍ୟକ୍ତିଗତ ଜୀବନରେ ପ୍ରବେଶ କରିବ ସେତେବେଳେ ସମ୍ପର୍କରେ ତିକ୍ତତା ଦେଖାଯିବ । ବିଜେପିର କିଛି ଲୋକ ସୌମିତ୍ରଙ୍କୁ ମୋ ବିରୋଧରେ ଉସକାଇବାରେ ଲାଗିଛନ୍ତି । ଯେଉଁ ଦଳ ଟ୍ରିପଲ ତଲକା ଉଚ୍ଛେଦ କରିଥିବା କଥା କହୁଛି, ସେହିଦଳ ସୌମିତ୍ରକୁ ମୋତେ ତୁରନ୍ତ ଛାଡ଼ପତ୍ର ଦିଅନ୍ତୁ ବୋଲି ପ୍ରବର୍ତ୍ତାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସୋମବାର ସୁଜାତା ମଣ୍ଡଳ ଖାନ ବିଜେପି ସହ ସବୁ ସମ୍ପର୍କଚ୍ଛିନ୍ନ କରି ଟିଏମସିରେ ସାମିଲ ହୋଇଥିଲେ । ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ । ଏହାପୂର୍ବରୁ ସେ ବିଜେପି ଛାଡ଼ିବା ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା । ୨୦୧୯ ଲୋକସଭା ନିର୍ବାଚନ ବେଳେ ସୁଜାତା ବିଜେପି ପାଇଁ ଜୋରଦାର ପ୍ରଚାର କରିଥିଲେ । ତାଙ୍କ ସ୍ୱାମୀ ସୌମିତ୍ର ଖାନ୍ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ହେଲେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ତାଙ୍କ ନିର୍ବାଚନମଣ୍ଡଳୀ ବିଷ୍ଣୁପୁରରେ ପ୍ରବେଶ କରିପାରି ନଥିଲେ । କିନ୍ତୁ ସୁଜାତା ନିଜ ସ୍ୱାମୀଙ୍କ ପାଇଁ ପ୍ରଚାର କରିଥିଲେ ଓ ଏଠାରେ ସୌମିତ୍ର ବିଜେପି ଟିକେଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେଣୁ ପଶ୍ଚିମବଙ୍ଗ ରାଜନୀତିରେ ସୁଜାତାଙ୍କର ବେଶ ଦବଦବା ରହିଛି । ୨୦୧୪ରେ ସୌମିତ୍ର ଟିଏମସ ଟିକେଟରୁ ଲୋକସଭାକୁ ଯାଇଥିଲେ । ହେଲେ ସେ ୨୦୧୯ରେ ବିଜେପିରେ ଯୋଗଦେଇଥିଲେ ।

Leave A Reply

Your email address will not be published.