‘ଟିଭି ଚ୍ୟାନେଲ ଗୁଡ଼ିକ ଅଧିକ ଦାୟିତ୍ୱବାନ୍ ହେବା ଦରକାର’

0 71

ମଦୁରାଇ, ୨୪ ।୧୨: ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହେଉଥିବା ବିଭିନ୍ନ ବିଷୟବସ୍ତୁକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମାଡ୍ରାସ ହାଇକୋର୍ଟ । ଚ୍ୟାନେଲ ଗୁଡ଼ିକ ଅଧିକ ଦାୟିତ୍ୱବାନ ହେବା ଦରକାର । ନିଜ ଇଚ୍ଛା ଅନୁସାରେ ଯେକୌଣସି ବିଷୟବସ୍ତୁ ପ୍ରସାରଣ କରିବା ପୂର୍ବରୁ ସେମାନେ ଥରେ ଚିନ୍ତା କରିବା ଉଚିତ ବୋଲି କୋର୍ଟ ମତ ଦେଇଛନ୍ତି । ଡିଭିଜନ ବେଞ୍ଚର ବିଚାରପତି ଜଷ୍ଟିସ ଏନ୍ କିରୁବାକରନ ଓ ଜଷ୍ଟିସ ବି ପୁଗାଲେନ୍ଧି କହିଛନ୍ତି ଯେ ଟିଭି ଚ୍ୟାନେଲ ଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଦେଶରେ ବ୍ୟବସ୍ଥା ହେବା ନିହାତି ଜରୁରୀ । ନିକଟରେ ଦୁଇଟି ପିଟିସନ ମାଡ୍ରାସ ହାଇକୋର୍ଟରେ ଦାଖଲ କରାଯାଇଥିଲା । ଗୋଟିଏରେ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଅଶ୍ଳୀଳ ବିଜ୍ଞାପନ ଓ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ବ୍ୟବସ୍ଥା କରନ୍ତୁ ବୋଲି କୁହାଯାଇଥିଲା । ସେହିପରି ଏଥିରେ ସାମିଲ ଥିବ ଟିଭି ଚ୍ୟାନେଲ ଓ କେବୁଲ ଅପରେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା । ଆଉ ଗୋଟିଏ ଆବେଦନରେ ଅନଲାଇନ ଗେମିଂ ଗ୍ରୁପ୍ ସାଇବର କ୍ରାଇମ, ଦୁର୍ନୀତି ଓ ବେଆଇନ ତଥ୍ୟ ନେବା କାର୍ଯ୍ୟରେ ଲିପ୍ତ ରହିଥିବାରୁ ଏଗୁଡ଼ିକୁ ବ୍ୟାନ୍ କରିବା ପାଇଁ କୁହାଯାଇଥିଲା । ବିଶେଷ କରି ବିଭିନ୍ନ ବେଟିଂ ଆପ୍ର ପ୍ରମୋସନ ଟିଭିରେ କରାଯାଉଛି । ଏଥିପାଇଁ ବଡ଼ବଡ଼ ସେଲେବ୍ରେଟିଙ୍କ ଦ୍ୱାରା କରାଯାଉଥିବା ବିଜ୍ଞାପନ ଟିଭିରେ ପ୍ରସାରଣ କରାଯାଉଛି । ଏହା ଉପରେ ରୋକ ଲଗାଇବାକୁ ଆବେଦନକାରୀ କହିଥିଲେ । କୋର୍ଟ ଏହାର ଶୁଣାଣି କରି କହିଛନ୍ତି ଯେ ୨୦୦୮ ମୁମ୍ବାଇ ଆକ୍ରମଣ ବେଳେ ଟିଭି ଚ୍ୟାନେଲ ଗୁଡ଼ିକ ସିଧାପ୍ରସାରଣ କରୁଥିଲେ । ଏହି ଚ୍ୟାନେଲଗୁଡ଼ିକରୁ ତଥ୍ୟ ହାସଲ କରି ଆତଙ୍କବାଦୀମାନେ ସବୁ ବିଷୟରେ ଜାଣି ପାରୁଥିଲେ । ଆଉ ଗୋଟିଏ ଦିନ କର୍ଣ୍ଣାଟକାରେ ଜଣେ ଝିଅକୁ ହାଣିବା ବେଳର ଦୃଶ୍ୟ ମଧ୍ୟ ଟିଭି ଚ୍ୟାନେଲ ପ୍ରସାରଣ କଲେ । ତେବେ ଏଭଳି ଦୃଶ୍ୟ ଟିଭି ଚ୍ୟାନେଲରେ ପ୍ରସାରଣ ହେବା ଠିକ୍ ନୁହେଁ । ଏଥିପ୍ରତି ଚ୍ୟାନେଲ କର୍ତ୍ତୃପକ୍ଷ ଦାୟିତ୍ୱବାନ ହେବା ଉଚିତ ।

Leave A Reply

Your email address will not be published.