ଭାରତର ଚାଷୀ ଆନ୍ଦୋଳନ ଆମେରିକାରେ ଚିନ୍ତା ବଢ଼ାଇଲା

0 64

ମାଇକ ପୋମ୍ପେଓଙ୍କୁ ଚିଠି ଲେଖିଲେ ୭ ସାଂସଦ

ୱାଶିଂଟନ, ୨୫ ।୧୨: କୃଷି ଆଇନକୁ ବିରୋଧ କରି ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ଆମେରିକାରେ ଚିନ୍ତା ପ୍ରକଟ କରାଯାଇଛି । ଏଥିପାଇଁ ଆମେରିକାର ୭ ଜଣ ସାଂସଦ ଦେଶର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପେଓଙ୍କୁ ଚିଠି ଲେଖିଛନ୍ତି । ଚାଷୀ ଆନ୍ଦୋଳନ ସମ୍ପର୍କରେ ପୋମ୍ପେଓ ତାଙ୍କ ଭାରତୀୟ ପ୍ରତିପକ୍ଷ ଏସ ଜୟଶଙ୍କର ସହ କଥା ହେବାକୁ ଦାବି କରିଛନ୍ତି । ଚିଠି ଲେଖିଥିବା ୭ ସାଂସଦଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ଆମେରିକା ସାଂସଦ ପ୍ରମିଳା ଜୟପାଲ ବି ରହିଛନ୍ତି । ତେବେ ଚାଷୀ ଆନ୍ଦୋଳନ ସମ୍ପର୍କରେ ଅନ୍ୟ ଦେଶ କିମ୍ବା ରାଜନେତା ଦେଉଥିବା ବୟାନକୁ ଭାରତ ସରକାର ଅନୁଚିତ ଓ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ସେହିପରି ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଆନ୍ଦୋଳନ ସଂପୂର୍ଣ୍ଣ ଭାବେ ଆଭ୍ୟନ୍ତରୀଣ ବ୍ୟାପର ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ । ୨୩ ଡିସେମ୍ବରରେ ୭ ଜଣ ଆମେରିକୀୟ ସାଂସଦ ପୋମ୍ପେଓକୁ ଲେଖିଥିବା ଚିଠିରେ କହିଛନ୍ତି ଯେ ଚାଷୀଙ୍କ ଆନ୍ଦୋଳନ ପଞ୍ଜାବ ସହ ରହିଥିବା ଶିଖ ଆମେରିକୀୟଙ୍କ ପାଇଁ ବେଶ ଚିନ୍ତାର ବିଷୟ । କେବଳ ଏତିକି ନୁହେଁ ଭାରତର ଅନ୍ୟ ରାଜ୍ୟଗୁଡ଼ିକ ସହ ସମ୍ପର୍କ ରଖିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । ଏହି ଆନ୍ଦୋଳନ ଦ୍ୱାରା ଅନେକ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକ ଭୟଭୀତ ହୋଇଛନ୍ତି । କାରଣ ସେମାନଙ୍କ ପୈତୃକ ଭୂମି ଭାରତ । ସେଠାରେ ସେମାନଙ୍କର ପରିବାର ଲୋକ ରହୁଛନ୍ତି । ପରିବାରର ସୁରକ୍ଷା ପାଇଁ ସେମାନେ ଚିନ୍ତିତ । ସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୋମ୍ପେଓ ତୁରନ୍ତ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ କଥା ହୁଅନ୍ତୁ । ରାଜନୀତିକ ବିରୋଧ ସହ ଆମେରିକା ବେଶ ପରିଚିତ । ତେଣୁ ବର୍ତ୍ତମାନ ଭାରତରେ ଚାଲିଥିବା ସାମାଜିକ ବିଶୃଙ୍ଖଳାର ସମାଧାନ ପାଇଁ ନୂଆଦିଲ୍ଲୀକୁ ଆମେରିକା ପରାମର୍ଶ ଦେଇପାରିବ । ଜାତୀୟ ଆଇନପ୍ରଣୟତା ଭାବେ ଆମେ ଭାରତ ସରକାର ଜାରି କରିଥିବା ପଲିସିକୁ ସମ୍ମାନ ଦେଉଛୁ । ଏହା ସହ ଆମେ ଭାରତ ଓ ବିଦେଶରେ ଶାନ୍ତିପୂର୍ଣ୍ଣ ଭାବେ କୃଷି ଆଇନକୁ ବିରୋଧ କରୁଥିବା ଲୋକଙ୍କ ଅଧିକାରୀଙ୍କୁ ମଧ୍ୟ ଗୁରୁତ୍ୱ ଦେଉଛୁ । ଅଧିକାଂଶ ଚାଷୀ କୃଷି ଆଇନ ସେମାନଙ୍କ ଆର୍ଥିକ ସୁରକ୍ଷାକୁ ଭାଙ୍ଗି ଦେବ ବୋଲି ଆଶଙ୍କା କରୁଛନ୍ତି । ତେଣୁ ପୋମ୍ପେଓ ଏସବୁ ବିଷୟରେ ଆଲୋଚନା କରିବା ଦରକାର ବୋଲି ଚିଠିରେ ସେମାନେ କହିଛନ୍ତି ।

Leave A Reply

Your email address will not be published.