ପୁଣି ହାଫିଜକୁ ୧୫ ବର୍ଷ ଜେଲ୍

0 74

ଇସଲାମାବାଦ, ୨୫ ।୧୨: ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ହମଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ଆଉ ଏକ ଟେରର ପଣ୍ଡିଂ ମାମଲାରେ ପାକିସ୍ତାନ କୋର୍ଟ ୧୫ ବର୍ଷ ୬ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଲାହୋର ସ୍ଥିତ ଆତଙ୍କବାଦ ନିରୋଧ କୋର୍ଟ ହାଫିଜକୁ ଜେଲଦଣ୍ଡ ସହ ୨୦୦,୦୦୦ ପାକିସ୍ତାନୀ ଟଙ୍କା(ପିକେଆର) ଜୋରିମାନା ଦେବାକୁ କହିଛନ୍ତି । ପୂର୍ବରୁ ଏହି କୁଖ୍ୟାତ ଆତଙ୍କୀ ହାଫିଜକୁ ୪ଟି ଟେରର ଫଣ୍ଡିଂ ମାମଲାରେ କୋର୍ଟ ୨୧ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ । ଏବେ ପୁଣିଥରେ ତା’କୁ ୧୫ ବର୍ଷ ୬ ମାସ ଜେଲଦଣ୍ଡ ମିଳିଛି । ଜଣେ କୋର୍ଟ ଅଧିକାରୀ କହିଛନ୍ତି, ଗୁରୁବାର ଆତଙ୍କବାଦ ନିରୋଧ କୋର୍ଟ ହାଫିଜ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଜାମାତ ଉଦ ଦାୱାର ୫ ଜଣ ସଦସ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିଛନ୍ତି । ଏହି ୫ ଜଣଙ୍କ ମଧ୍ୟରେ ସଂଗଠନର ମୁଖ୍ୟ ହାଫିଜ ମଧ୍ୟ ରହିଛି । ସମସ୍ତଙ୍କୁ କୋର୍ଟ ଟେରର ଫାଇନାନ୍ସିଂ ମାମଲାରେ ସାଢ଼େ ୧୫ ବର୍ଷ ଲେଖାଏ ଜେଲଦଣ୍ଡ ଦେଇଛନ୍ତି । ନୂଆ ଦଣ୍ଡ ବିଧାନ ପରେ ହାଫିଜ ଏବେ ୫ଟି ଟେରର ଫଣ୍ଡିଂ ମାମଲାରେ ମୋଟ ୩୬ ବର୍ଷ ଜେଲ ହାଜତରେ ରହିବ । ତା’କୁ ଲାହୋରର କୋଟ ଲାକଫତ ଜେଲ୍ରେ ରଖାଯାଇଥିବା ପାକିସ୍ତାନ ସରକାର କହିଛନ୍ତି । ତେବେ ଜେଲ୍ ମଧ୍ୟରେ ତା’କୁ ଭିଆଇପି ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ଅନେକ ଥର ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜାତିସଂଘ ଦ୍ୱାରା ବିଶ୍ୱସ୍ତରୀୟ ଆତଙ୍କୀ ଘୋଷଣା ହୋଇଥିବା ହାଫିଜକୁ ଧରିବା ପାଇଁ ଆମେରିକା ୧୦୦ ମିଲିୟନ ଡଲାରର ପୁରସ୍କାର ଘୋଷଣା କରିଥିଲା । ପ୍ରଥମଥର ପାଇଁ ଗତବର୍ଷ ଜୁଲାଇ ୧୭ ହାଫିଜକୁ ପାକିସ୍ତାନରେ ଟେରର ଫଣ୍ଡିଂ ମାମଲାରେ ଗିରଫ କରାଯାଇଥିଲା । ଗୁରୁବାର ହାଫିଜ ବ୍ୟତୀତ ଜେୟୁଡିର ହାଫିଜ ଅବଦୁସ ସଲମା, ଜାଫର ଇକବାଲ, ଜେୟୁଡିର ମୁଖପାତ୍ର ୟାହା ମୁଜାହିଦ ଓ ମହମ୍ମଦ ଅଶ୍ରଫକୁ ମଧ୍ୟ କୋର୍ଟ ସମାନ ପରିମାଣର ଅର୍ଥ ଦଣ୍ଡ ସହ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାବାଦ ହାଫିଜର ଭିଣୋଇ ଅବଦୁଲ ରେହମାନ ମକ୍କିକୁ ମଧ୍ୟ କୋର୍ଟ ୬ ମାସ ଜେଲଦଣ୍ଡ ସହ ୨୦ ହଜାର ପାକିସ୍ତାନୀ ମୁଦ୍ରା ଦେବାକୁ କହିଛନ୍ତି । ହାଫିଜକୁ ଫେବୃଆରୀ ମାସରେ ୨ଟି ଟେରର ଫଣ୍ଡିଂ ମାମଲାରେ କୋର୍ଟ ୧୧ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଏହାପରେ ଆଉ ଦୁଇଟି ଟେରର ଫଣ୍ଡିଂ ମାମଲାରେ କୋର୍ଟ ତା’କୁ ୧୦ ବର୍ଷ ଜେଲଦଣ୍ଡ ଦେଇଥିଲେ । ପାକିସ୍ତାନର ଆତଙ୍କବାଦ ନିରୋଧ ବିଭାଗ ଜେୟୁଡି ନାଁରେ ୪୧ଟି ମାମଲା ରୁଜୁ କରିଛି । ଏହା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫ଟି ମାମଲାର ବିଚାର ହୋଇଛି । ୫ଟି ଯାକ କେସରେ ହାଫିଜ ଦୋଷୀ ସାବ୍ୟସ୍ତ ହୋଇଛି ।

Leave A Reply

Your email address will not be published.