କରୋନା ସମ୍ପର୍କରେ ରିପୋର୍ଟ କରିଥିବା ସାମ୍ବାଦିକଙ୍କୁ ଚୀନ୍ ଦେଲା ଜେଲଦଣ୍ଡ

0 67

ଉହାନ: ଚାଇନାର ଉହାନ ସହରରୁ ହିଁ ପ୍ରଥମେ ମହାମାରୀ କରୋନା ଭାଇରସ ବ୍ୟାପିଥିଲା । ଏହାପରେ ଏହା ବିଶ୍ୱର ବିଭନ୍ନ ପ୍ରାନ୍ତରେ ପହଞ୍ଚିଥିଲା । ଚାଇନା ଏହା ଲୁଚାଇବାକୁ ଚେଷ୍ଟା କରୁଥିଲେ ହେଁ ଉହାନରେ ବ୍ୟାପିଥିବା କରୋନା ଭାଇରସ ସମ୍ପର୍କରେ ଜଣେ ମହିଳା ସାମ୍ବାଦିକ ଅନେକ ଖୁଲାସା କରିଥିଲେ ।
ଏବେ ଉକ୍ତ ସିଟିଜେନ ଜର୍ଣ୍ଣାଲିଷ୍ଟଙ୍କୁ ଚାଇନା ଜେଲଦଣ୍ଡରେ ଦଣ୍ଡିତ କରିଛି । ଲୋକଙ୍କୁ ଭୟଭୀତ କରିବା ଓ ଅଯଥା ବିଭ୍ରାନ୍ତ ସୃଷ୍ଟି କରିବା ଘଟଣାରେ ତାଙ୍କୁ ଗୋଟିଏ କୋର୍ଟ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଏହି ସାମ୍ବାଦିକ ଜଣଙ୍କ ହେଉଛନ୍ତି ୩୭ ବର୍ଷୀୟ ଝାଙ୍ଗ ଝହାନ । ସେ କରୋନା ସମ୍ପର୍କରେ ଖୁଲାସା କରିବାରୁ ତାଙ୍କୁ ମେ’ ମାସରୁ ହିଁ ସରକାର ଜେଲ୍ରେ ରଖିଥିଲେ । ଆଜି ଚାଇନାର ସଂଘାଇ ଠାରେ ଥିବା ପୁଡୋଙ୍ଗ ସ୍ଥିତ କୋର୍ଟ ମାମଲାର ଶୁଣାଣି କରି ଝାଙ୍ଗଙ୍କୁ ଦୋଷୀ ବୋଲି ବିବେଚନା କରିଛନ୍ତି । କୋର୍ଟ ଆଗରେ ବାକ୍ ସ୍ୱାଧୀନତାକୁ ନେଇ ତାଙ୍କ ଓକିଲ ରେନ କ୍ୱାତ୍ତଉ ଯୁକ୍ତି ଉପସ୍ଥାପନ କରିଥିଲେ । ହେଲେ କୋର୍ଟ କିଛି ବି ଶୁଣି ନଥିଲେ । କୋର୍ଟଙ୍କ ରାୟ ବିରୋଧରେ ସେ ଉପର କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି । ଚାଇନା ସରକାର ଉହାନରେ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଯେତିକି ଦେଖାଉଥିଲେ, ଏହାର ଠିକ୍ ବିପରୀତ କଥା ଝାଙ୍ଗ ତଥ୍ୟ ସହ ଉପସ୍ଥାପନ କରୁଥିଲେ । ରିପୋର୍ଟକୁ ନେଇ ସାରା ବିଶ୍ୱରେ ଚାଇନାର କରୋନା ମିଛ ଧରା ପଡ଼ିଯାଇଥିଲା । ଏହାପରେ ମେ’ ୧୪ରେ ହଠାତ୍ ଝାଙ୍ଗ ନିଖୋଜ ହୋଇଯାଇଥିଲେ । ଗୋଟିଏ ଦିନ ପରେ ତାଙ୍କୁ ସଂଘାଇ ପୁଲିସ ଗିରଫ କରିଥିବା ଜଣାପଡ଼ିଥିଲା । ଉହାନରୁ ସଂଘାଇ ୬୪୦ କିମି ଦୂର । ଝାଙ୍ଗ ଫେବୃଆରୀ ୧ରେ ସଂଘାଇରୁ ଉହାନ ଆସିଥିଲେ । ଏଠାରେ ସେ ଭିଡିଓ ଶୁଟ କରିବା ସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ବାଇଟ୍ ମଧ୍ୟ ନେଇଥିଲେ । ସେମାନେ ଦେଇଥିବା ବୟାନକୁ ସେ ୟୁଟ୍ୟୁବ ସହ ଅନ୍ୟ ସୋଶାଲ ମିଡିଆରେ ପୋଷ୍ଟ କରି ଉହାନର କରୋନା ସ୍ଥିତି ସମ୍ପର୍କରେ ଖୁଲାସା କରିଥିଲେ ।

Leave A Reply

Your email address will not be published.