ଦଳ ଛାଡ଼ିଲେ ସାଂସଦ ମନସୁଖ

0 44

ବାହାରୁଚ, ୨୯ ।୧୨: ଗୁଜରାଟରେ ବିଜେପିକୁ ଶକ୍ତ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତଥା ଲୋକସଭା ସାଂସଦ ମନସୁଖ ଭାସଭା ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ସର୍ବଦା ଆଦିବାସୀଙ୍କ ଅଧିକାର କଥା କହୁଥିବା ମନସୁଖ ସଂସଦର ବଜେଟ ଅଧିବେଶନ ବେଳେ ଲୋକସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି । ନିକଟରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ନର୍ମଦାର ୧୨୧ଟି ଗାଁକୁ ଇକୋ ସେନସିଟିଭ ଜୋନ୍ ଭାବେ ଘୋଷଣା କରି ବିଜ୍ଞପ୍ତି ପ୍ରକାଶ କରିଥିଲେ । ତେବେ ଏହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରି ସାଂସଦ ମନସୁଖ ଭାସଭା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । କିନ୍ତୁ ତାଙ୍କ ଚିଠିକୁ କେହି ଗୁରୁତ୍ୱ ନ ଦେବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ହେଲେ ମନସୁଖ ନିଜ ଇସ୍ତଫାପତ୍ରରେ ଏ ବିଷୟରେ କିଛି ବି ଲେଖିନାହାନ୍ତି । ବାହାରୁଚରୁ ୬ ଥର ସାଂସଦ ହୋଇଥିବା ମନସୁଖ ଗୁଜରାଟର ବିଜେପି ସଭାପତି ସିଆର ପାଟିଲଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ମୋ ଭୁଲ ପାଇଁ ଦଳର ଛବି ଖରାପ ହେଉ ବୋଲି ମୁଁ ଚାହୁଁନାହିଁ । ଏଥିପାଇଁ ମୁଁ ଇସ୍ତଫା ଦେଉଛି । ମୁଁ ଦଳର ଜଣେ ବିଶ୍ୱସ୍ତ କର୍ମୀ ଥିଲି । ଦୟା କରି ମୋତେ କ୍ଷମା କରି ଦିଅନ୍ତୁ । ମୁଁ ଜଣେ ମଣିଷ । ମଣିଷମାନେ ବେଳେ ବେଳେ ଭୁଲ ହୋଇଥାଏ । ହେଲେ ମୋ ଭୁଲ ପାଇଁ ଦଳର ଛବି ଖରାପ କରିବାକୁ ମୁଁ ଚାହେଁ ନାହିଁ । ତେଣୁ ବାଧ୍ୟ ହୋଇ ମୁଁ ଏହି ଚରମ ପଦକ୍ଷେପ ନେଉଛି । ଡିସେମ୍ବର ୨୮ରେ ମନସୁଖ ଲେଖିଥିବା ଚିଠିରେ କହିଛନ୍ତି ଯେ ସେ ବଜେଟ ଅଧିବେଶନ ବେଳେ ଲୋକସଭା ବାଚସ୍ପତିଙ୍କୁ ଭେଟିବେ ଓ ବାହାରୁଚ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ । ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ଭାରତ ପାଣ୍ଡ୍ୟା କହିଛନ୍ତି, ମନସୁଖ ଭାସଭାଙ୍କ ଇସ୍ତଫା ପତ୍ର ଦଳ ସୋଶାଲ ମିଡିଆ ଜରିଆରେ ପାଇଛି । ସିଆର ପାଟିଲ ତାଙ୍କ ସହ କଥା ହୋଇଛନ୍ତି ଓ ତାଙ୍କର ସମସ୍ତ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମନସୁଖ ହେଉଛନ୍ତି ଗୁଜରାଟ ଜଣେ ବରିଷ୍ଠ ସାଂସଦ । ଆମେ ସମସ୍ତେ ମିଳିତ ଭାବେ ତାଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବୁ ।

Leave A Reply

Your email address will not be published.