ରାଜନୀତିକୁ ରଜନୀକାନ୍ତଙ୍କ ନା’

0 66

ଚେନ୍ନାଇ, ୨୯ ।୧୨: ତାମିଲନାଡୁରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସୁପରଷ୍ଟାର୍ ରଜନୀକାନ୍ତ ବଡ଼ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟଜନିତ କାରଣ ଦର୍ଶାଇ ରଜନୀକାନ୍ତ ରାଜନୀତିକୁ ନ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ରଜନୀକାନ୍ତ ପ୍ରଶଂସକଙ୍କୁ କ୍ଷମା ମାଗିବା ସହ ନିଜର ରାଜନୀତିକ ପାର୍ଟି ଲଞ୍ଚ କରିବାର ନିଷ୍ପତ୍ତିରୁ ମଧ୍ୟ ଓହରିଯାଇଛନ୍ତି । ରାଜନୀତିକ ପାର୍ଟି ଗଠନ ନକରି ସେ ତାମିଲନାଡୁ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି । ରଜନୀକାନ୍ତ ଏକ ବୟାନ ଜାରି କରି କହିଛନ୍ତି, ବିଗତ ଦିନରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯେଉଁ ଅବନତି ଘଟିଛି, ଏହାକୁ ସେ ଭଗବାନଙ୍କ ଚେତାବନୀ ବୋଲି କହିଛନ୍ତି ଏବଂ ଏହି କାରଣରୁ ସେ ରାଜନୀତିକ ପାର୍ଟି ଗଠନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ସପ୍ତାହରେ ଉଚ୍ଚ ରକ୍ତଚାପ ଯୋଗୁଁ ରଜନୀକାନ୍ତଙ୍କୁ ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୋମବାର ସେ ହସ୍ପିଟାଲରୁ ଜିସଚାର୍ଜ ହୋଇଥିଲେ । ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି, ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ଭଲ ଅଛି । ଏବେ ତାଙ୍କୁ କୌଣସି ଗୁରୁତର ସମସ୍ୟା ନାହିଁ । ତେବେ ଡାକ୍ତର ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ଚିନ୍ତାମୁକ୍ତ ହେବା ପାଇଁ ମଧ୍ୟ ରଜନୀକାନ୍ତଙ୍କୁ ପରାମର୍ଶ ଦିଆଯାଇଛି । ଚଳିତମାସ ଆରମ୍ଭରୁ ରଜନୀକାନ୍ତ ରାଜନୀତିରେ ଏଣ୍ଟ୍ରି ନେଇ ଆନୁଷ୍ଠାନିକ ଘୋଷଣା କରିଥାନ୍ତେ । ସେ ଆସନ୍ତା ଡିସେମ୍ବର ୩୧ ତାରିଖରେ ନିଜର ରାଜନୀତିକ ଦଳ ଘୋଷଣା କରିବେ ବୋଲି କହିଥିଲେ । ରଜନୀକାନ୍ତଙ୍କ ଏହି ଘୋଷଣା ପରେ ତାମିଲନାଡୁ ରାଜନୀତିରେ ହଲଚଲ ଆରମ୍ଭ ହୋଇଥିଲା । ରଜନୀକାନ୍ତଙ୍କ ସହ ମେଣ୍ଟ କରିବା ପାଇଁ ବିଜେପି ମଧ୍ୟ ଆଲୋଚନା ଆରମ୍ଭ କରିଦେଇଥିଲା । ଏମିତିକି ତାମିଲନାଡୁରେ ରଜନୀକାନ୍ତ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା, ଯାହା ତାମିଲନାଡୁରେ କ୍ଷମତାସୀନ ଏବଂ ଏଆଇଏଡିଏମ୍କେର ଚିନ୍ତା ବଢ଼ାଇ ଦେଇଥିଲା ।

Leave A Reply

Your email address will not be published.