‘ଚାଷୀଙ୍କୁ ନକ୍ସଲ ଓ ଖଲିସ୍ତାନୀ କହିବା ଗ୍ରହଣୀୟ ନୁହେଁ’

0 71

ନୂଆଦିଲ୍ଲୀ, ୩୦ ।୧୨: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ କିଛି ବିଜେପି ନେତା ଓ ମନ୍ତ୍ରୀ ନକ୍ସଲ ଏବଂ ଖଲିସ୍ତାନୀ ଆତଙ୍କବାଦୀ କହି ସମାଲୋଚନା କରୁଛନ୍ତି । ହେଲେ ଏହାକୁ ତୀବ୍ର ନାପସନ୍ଦ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଚାଷୀଙ୍କୁ ଏଭଳି ନକ୍ସଲ ଓ ଖଲିସ୍ତାନୀ କହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଏଥିସହ କୃଷି ଆଇନକୁ ନେଇ ଶ୍ରୀ ସିଂହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧି ଚାଷ ବିଷୟରେ କିଛି ଜାଣି ନଥିବା ମଧ୍ୟ ସେ କହିଛନ୍ତି । ଏଏନଆଇକୁ ସାକ୍ଷାତକାର ଦେଇ ରାଜନାଥ କହିଛନ୍ତି, ରାହୁଲଜୀ ମୋ ଠାରୁ ସାନ । ତାଙ୍କ ଠାରୁ ମୁଁ କୃଷି ବିଷୟରେ ଅଧିକ ଜାଣିଛି । ରାହୁଲ ଧନୀ ପରିବାରରେ ଜନ୍ମଗ୍ରହଣ କରିଛନ୍ତି । କିନ୍ତୁ ମୁଁ ଗୋଟିଏ ଚାଷୀ ପରିବାରର ମା’ର ଔରଷରୁ ଜନ୍ମ ହୋଇଛି । ମୁଁ ଗୋଟିଏ ଚାଷୀର ପୁଅ ଓ ଆମେ କେବେ ହେଲେ ଚାଷୀଙ୍କ ବିରୋଧରେ ନିଷ୍ପତ୍ତି ନେଇପାରିବୁ ନାହିଁ । ଆମ ପ୍ରଧାନମନ୍ତ୍ରୀ ମଧ୍ୟ ଗୋଟିଏ ଗରବି ମା’ର ପେଟରୁ ଜନ୍ମ ନେଇଛନ୍ତି । ମୁଁ କେବଳ ଏତିକି କହିପାରିବି ଓ ଏହା ଠାରୁ ଅଧିକ କିଛି କହିପାରିବି ନାହିଁ ବୋଲି ରାଜନାଥ କହିଛନ୍ତି । ପୁଣିଥରେ କୃଷି ଆଇନକୁ ଯର୍ଥାଥ ବୋଲି ଦର୍ଶାଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୃଷି ଆଇନରେ ସଂସ୍କାର ଅଣାଯାଇଛି । ଚାଷୀମାନେ ପରୀକ୍ଷାମୂଳକ ଭାବେ ଅତି କମରେ ଏହାକୁ ୨ ବର୍ଷ ପାଇଁ କାର୍ଯ୍ୟକାରୀ କରି ଦେଖନ୍ତୁ । ଚାଷୀମାନେ କରୁଥିବା ଆନ୍ଦୋଳନକୁ ଦେଖି ସରକାର କଷ୍ଟ ଅନୁଭବ କରୁଛନ୍ତି । ହେଲେ ମୋଦି ସରକାର କେବେ ହେଲେ ଚାଷୀଙ୍କ ବିରୋଧରେ କୌଣସି ପ୍ରକାରର ନିଷ୍ପତ୍ତି ନେଇପାରିବେ ନାହିଁ । ଚାଷୀଙ୍କୁ ଭ୍ରମିତ କରାଯାଇ ଆନ୍ଦୋଳନ କରିବାକୁ ଉସକା ଯାଉଛି । ଚାଷୀମାନେ ଆଲୋଚନାକୁ ଆସନ୍ତୁ । ସେମାନେ ଚାହିଁଲେ ଏକ୍ସପର୍ଟମାନଙ୍କୁ ମଧ୍ୟ ସାମିଲ କରିପାରିବେ । ସରକାର ଚାଷୀ ଆଇନର ପ୍ରତି କ୍ଲଜୱାରୀ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ଆନ୍ଦୋଳନ କରୁଥିବା ଚାଷୀଙ୍କୁ ନକ୍ସଲ ଓ ଖଲିସ୍ତାନୀ କୁହାଯାଉଥିବା ପ୍ରସଙ୍ଗରେ ସେ କହିଛନ୍ତି, ଚାଷୀଙ୍କ ବିରୋଧରେ ଏଭଳି ଶବ୍ଦ କେହି ବି ପ୍ରୟୋଗ କରିବା କଥା ନୁହେଁ । ଆମେ ଆମର ଚାଷୀଙ୍କୁ ଗଭୀର ସମ୍ମାନ ଜଣାଉଛୁ । ଚାଷୀଙ୍କ ଆଗରେ ଆମେ ମୁଣ୍ଡ ନୁଆଁଉଛୁ । ସେମାନେ ଆମର ଅନ୍ନଦାତା । ଅର୍ଥନୀତିକ ରିସେସନ ଭିତରେ ଚାଷୀମାନେ ହିଁ ଦାୟିତ୍ୱ ନେଇ ସମସ୍ୟାରୁ ଦେଶକୁ ମୁକୁଳାଇ ପାରିବେ । ସେମାନେ ଅର୍ଥନୀତିର ମେରୁଦଣ୍ଡ । ଅନେକ ଥର ସେମାନେ ଦେଶକୁ ସମସ୍ୟାର ଗୋଳିଆ ପାଣିରୁ ଉଦ୍ଧାର କରିଛନ୍ତି । ତେଣୁ ଚାଷୀଙ୍କୁ ଅସମ୍ମାନ କରିବାର ଅଧିକାର କାହାର ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.