ଶକ୍ତିଶାଳୀ ଭୂକମ୍ପ ନେଲାଣି ୭ ଜୀବନ

0 71

ଜାଗ୍ରେବ, ୩୦ ।୧୨: ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଥିବା କ୍ରୋଏସିଆରେ ରାତିତମାମ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଘର ଭାଙ୍ଗି ଚୂରମାର ହୋଇଯାଇଛି । ଧ୍ୱଂସାବଶେଷ ତଳେ ଶତାଧିକ ଲୋକ ଫସି ରହିଥିବା ଆଶଙ୍କା କରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ମଙ୍ଗଳବାର ସ୍ଥାନୀୟ ସମୟ ଦିନ ୧୧.୩୦ରେ କ୍ରୋଏସିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଛି । ଏଥିଯୋଗୁ ଏକାଧିକ ବିଲଡିଂ ଭୁଶୁଡ଼ି ପଡ଼ିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ ଝାଗ୍ରେବ ଠାରୁ ୫୦ କିମି ଦୂର ବୋଲି ଜଣାପଡ଼ିଛି । ୫୦ କିମି ଦୂରରେ କେନ୍ଦ୍ରସ୍ଥଳ ରହିଥିଲେ ହେଁ ରାଜଧାନୀରେ ମଧ୍ୟ ଝଟକା ଅନୁଭୂତ ହୋଇଛି । ଘଟଣା ପରେ ଲୋକମାନେ ଘରକୁ ବାହାରି ଆସି ଖୋଲା ସ୍ଥାନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ଭୂକମ୍ପ ପରେ ସବୁଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଲୋକମାନେ ସେମାନଙ୍କ ପ୍ରିୟଜନଙ୍କୁ ଖୋଜିବାରେ ଲାଗିଛନ୍ତି । ୨୦ ହଜାର ଘର ଥିବା ପେଟ୍ରିଞ୍ଜା ସହରର ଛବି ସାମ୍ନାକୁ ଆସିଛି । ଏଥିରୁ ଜଣାପଡ଼ୁଛି ଯେ ଘରର ଛାତଗୁଡ଼ିକ ଭୁଶୁଡ଼ି ପଡ଼ିଛି । ରାସ୍ତା ଉପରେ ଇଟାଖଣ୍ଡ ଓ ଅନ୍ୟାନ୍ୟା ସାମଗ୍ରୀ ଛିନଛତ୍ର ହୋଇ ପଡ଼ି ରହିଛି । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଉଦ୍ଧାରକାରୀ ଦଳ ଆକ୍ସନ ମୋଡକୁ ଚାଲି ଆସିଥିଲେ । ରାତିତମାମ ସେମାନେ ପରିଶ୍ରମ କରି ଅନେକ ଲୋକଙ୍କୁ ଧ୍ୱଂସାବଶେଷ ତଳୁ ଉଦ୍ଧାର କରିଥିଲେ । ତଥାପି ୭ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ବି ଶତାଧିକ ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ଥିବା ଖୋଦ୍ କ୍ରୋଏସିଆ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେଜ ପ୍ଲେନକୋଭିକ କହିଛନ୍ତି । କ୍ରୋଏସିଆ ପୁଲିସ୍ କହିଛି ଯେ ଭୂକମ୍ପରେ ଜଣେ ୧୨ ବର୍ଷୀୟ ଝିଅଙ୍କୁ ମିଶାଇ ୭ ଜଣଙ୍କ ମୃତ୍ୟୁ ଘଟିଛି । ଏମାନେ ସମସ୍ତେ ପେଟ୍ରିଞ୍ଜାର ଗ୍ରାମାଞ୍ଚଳରେ ରହୁଥିଲେ । ସେହିପରି ୨୦ ଜଣ ଲୋକ ବର୍ତ୍ତମାନ ସୁଦ୍ଧା ଆହତ ହୋଇଥିବା ଜଣାପଡ଼ିଛି । କୁକୁରକୁ ବ୍ୟବହାର କରି ଧ୍ୱଂସାବଶେଷ ତଳୁ ୫ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା କ୍ରୋଏସିଆର ମାଉଣ୍ଟେନ ରେସ୍ୟୁ ସର୍ଭିସ ପକ୍ଷରୁ କୁହାଯାଇଛି । ୬.୪ ତୀବ୍ରତାର ଭୂକମ୍ପରେ ଆଉ କିଛି ଛୋଟ ଛୋଟ ଝଟକା ଅନୁଭୂତ ହୋଇଥିଲା । ଏହି କାରଣରୁ ପେଟ୍ରିଞ୍ଜାର ଲୋକମାନେ ରାତି ବେଳେ ସେମାନଙ୍କ ଘରକୁ ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ସେହିପରି ଅନେକ ଲୋକଙ୍କ ଘରକୁ ମଧ୍ୟ ଭୂକମ୍ପ ଭାଙ୍ଗି ଦେଇଥିବାରୁ ସେମାନେ ଶେଲଟର ହୋମରେ ରହିବାକୁ ବାଧ୍ୟ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ପ୍ରକୃତ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ । ଭୂକମ୍ପ ବେଳେ ଘରର ଛାତ ଭୁଶୁଡ଼ି ପଡ଼ି ରାସ୍ତା କଡ଼ରେ ଥିବା କାର୍ଗୁଡ଼ିକ ଉପରେ ଖସି ପଡ଼ିଥିଲା । ଏହି କାରଣରୁ ଏକାଧିକ କାର ନଷ୍ଟ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.