“ଲିଭ୍ ଇନ୍’ରେ ରହିପାରିବେ ସାବାଳକ ଦମ୍ପତି

0 74

ନୂଆଦିଲ୍ଲୀ, ୩୦ ।୧୨: ସାବାଳକ ଦମ୍ପତି ଆଇନର ସୀମା ମଧ୍ୟରେ ନିଜ ଇଚ୍ଛା ଅନୁସାରେ ସେମାନଙ୍କର ଜୀବନ ବଞ୍ଚିବାର ସମସ୍ତ ଅଧିକାର ଅଛି ବୋଲି ଆଜି ପଞ୍ଜାବ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଯେହେତୁ ଉଭୟେ ସାବାଳକ ସେମାନଙ୍କ ପାଇଁ କ’ଣ ଭଲ ଆଉ କ’ଣ ମନ୍ଦ ତାହାର ନିଷ୍ପତ୍ତି ଓ ବିଚାର ସେମାନେ ନିଜେ କରିବେ । ପୁରୁଷ ସାଥୀଙ୍କର ବିବାହ ଯୋଗ୍ୟ ବୟସ ହୋଇନାହିଁ ବୋଲି ଜଣେ ସାବାଳକ ଦମ୍ପତିଙ୍କ ଏକାଠି ରହିବାର ଅଧିକାରକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ।
ଏ ସଂପର୍କିତ ଆଗତ ଏକ ମାମଲାର ଶୁଣାଣି କରି ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଲ୍କା ସରିନ କହିଛନ୍ତି ଯେ, ସାବାଳକ ଦମ୍ପତି ଆଇନର ସୀମା ମଧ୍ୟରେ ନିଜ ଇଚ୍ଛା ଅନୁସାରେ ସେମାନଙ୍କର ଜୀବନ ବଞ୍ଚିବାର ସମସ୍ତ ଅଧିକାର ଅଛି । ଜଣେ ସାବାଳକ ବ୍ୟକ୍ତି କିପରି ନିଜ ଜୀବନ ବଞ୍ଚିବା ଉଚିତ ତାହା ସମାଜ ସ୍ଥିର କରିପାରିବ ନାହିଁ । ସମ୍ବିଧାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନର ଅଧିକାର ଗ୍ୟାରେଣ୍ଟି ଦେଇଥାଏ । ଜଣଙ୍କର ସାଥୀ ବାଛିବା ସ୍ୱାଧୀନତା ହେଉଛି ଜୀବନର ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ବର୍ତ୍ତମାନର ପରିସ୍ଥିତିରେ, ଜଣେ ଝିିଅର ପିତାମାତା ନିର୍ଦ୍ଦେର୍ଶ ଦେଇ ପାରିବେ ନାହିଁ ଯେ ସେ ବୟସ୍କ ହେବା ପରଠାରୁ କିପରି ଏବଂ କାହା ସହିତ ନିଜ ଜୀବନ ବିତାଇବା ଉଚିତ । ଅଭିଭାବକମାନେ ଏକ ଶିଶୁକୁ ସେମାନଙ୍କ ସର୍ତ୍ତ ଅନୁଯାୟୀ ଜୀବନଯାପନ କରିବାକୁ ବାଧ୍ୟ କରିପାରିବେ ନାହିଁ ବୋଲି ଜଷ୍ଟିସ୍ ସରିନ୍ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଏକ “ଲିଭ୍ ଇନ୍ ରିଲେସନସିପ୍’ରେ ଏକତ୍ର ରହୁଥିବା ମହିଳା ସାଥୀଙ୍କ ବୟସ ୨୦ ବର୍ଷ ହୋଇଥିବା ବେଳେ ପୁରୁଷ ସାଥୀଙ୍କ ବୟସ ୧୯ ବର୍ଷ ଥିଲା । ଏଘଟଣା ଜାଣିବା ପରେ ପୁରୁଷ ସାଥୀର ପିତାମାତା ହାଇକୋର୍ଟରେ ଏକ ମାମଲା ଆଗତ କରି ପୁରୁଷ ସାଥୀର ବିବାହ ଯୋଗ୍ୟ ବୟସ ହୋଇନଥିବାରୁ ସେମାନଙ୍କୁ ଅଲଗା କରିବାକୁ କୋର୍ଟଙ୍କୁ ନିବେଦନ କରିଥିଲେ ।

Leave A Reply

Your email address will not be published.