“ଚାଇନା ନୀତିର ମୋହରା ସାଜିଛି ପାକିସ୍ତାନ’

0 76

ନୂଆଦିଲ୍ଲୀ, ୩୦ ।୧୨: ବିସ୍ତାରବାଦୀ ଚାଇନାର ନୂଆ ରଣନୀତର ମୋହର ସାଜିଛି ପାକିସ୍ତାନ । ବନ୍ଧୁ ପାକିସ୍ତାନକୁ ଢାଲ କରି ଆଫଗାନିସ୍ତାନରେ ନିଜର ଯବାନଙ୍କୁ ପ୍ରବେଶ କରିବାକୁ ଯୋଜନା ଆରମ୍ଭ କରିଛି ଚାଇନା । ଆମେରିକା ସେନା ଆଫଗାନିସ୍ତାନରୁ ବାହାରିବା ପରେ ବେଜିଂ ନିଜର ଯବାନଙ୍କୁ ସେଠାକୁ ପଠାଇ ହୁକୁମାତି ଦେଖାଇବାକୁ ଲକ୍ଷ୍ୟ ରଖିଛି । ଏଥିରେ ପାକିସ୍ତାନ ସବୁ ପ୍ରକାରର ସହାୟତା କରୁଥିବା ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ କହିଛନ୍ତି । ଗୋଟିଏ ୱେବନାରରେ ଯୋଗଦେଇ ସେ କହିଛନ୍ତି, ଚାଇନା-ପାକିସ୍ତାନ ଇକୋନୋମିକ କରିଡର ଯୋଗୁ ଇସଲାମାବାଦ ଉପରେ ଋଣ ଭାର ବଢ଼ିବାରେ ଲାଗିଛି । ଏହି କାରଣରୁ ଆଗାମୀ ଦିନରେ ପାକିସ୍ତାନ ନିଜର ସବୁ କାମ ପାଇଁ ଚାଇନା ଉପରେ ନିର୍ଭର କରିବ । ଆଫଗାନିସ୍ତାନରୁ ଆମେରିକା ସେନା ହଟିବା ପରେ ପାକିସ୍ତାନ ରାସ୍ତା ଦେଇ ଚାଇନା ସେଠାରେ ପ୍ରବେଶ କରିବାକୁ ସୁଯୋଗ ପାଇବ । ଏଥିପାଇଁ ପାକିସ୍ତାନ ସବୁ ପ୍ରକାରର ସହାୟତା କରିବା ଆରମ୍ଭ କରିଦେଇଛି । ଏସିହା ମହାଦେଶରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଚାଇନା ଏପରି ନୂଆ ନୀତି ଆପଣାଇଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ଲଦାଖ ସୀମାରେ ଚାଇନାର ଆକ୍ରମଣାତ୍ମକ ରୂପ ସମ୍ପର୍କରେ ବାୟୁସେନା ମୁଖ୍ୟ ଶ୍ରୀ ଭଦୌରିଆ କହିଛନ୍ତି, ଲଦାଖ ସୀମାରେ ଚାଇନା ନିଜର ଦବଦବା ଦେଖାଇବାକୁ ଚାହୁଁଛି । ଏଥିପାଇଁ ଏଲଏସିରେ ଚାଇନା ବିପୁଳ ସଂଖ୍ୟାରେ ସେନା ମୁତୟନ କରିଛି । ଏମାନଙ୍କ ପାଖରେ ରାଡାର ଓ ମିସାଇଲ ମାଡ଼ କରିବାର ଅସ୍ତ୍ରଶସ୍ତ୍ର ରହିଛି । ସ୍ଥଳସେନାକୁ ଚାଇନାର ବାୟୁସେନା ସବୁ ପ୍ରକାରର ସହାୟତା କରୁଛି । ହେଲେ ଏହାର ଜବାବ ଦେବାକୁ ଭାରତ ମଧ୍ୟ ସବୁ ପ୍ରକାରର ଯୋଜନା ପ୍ରସ୍ତୁତ କରି ରଖିଛି । ବାୟୁସେନା ଓ ସ୍ଥଳସେନା ମିଳିତ ଭାବେ ଚାଇନାର ସବୁ ଯୋଜନା ଉପରେ ନଜର ରଖିଥିବା ସେ କହିଛନ୍ତି ।

Leave A Reply

Your email address will not be published.