ସତ୍ତା ହରାଉଛି ବିରୋଧୀ

0 45

କଥାରେ ଅଛି ଗଣତନ୍ତ୍ରରେ ଉଭୟ ଶାସକ ଓ ବିରୋଧୀ ଦୃଢ଼ ନରହିଲେ ଦେଶରେ ଶାସନ ସୁଦୃଢ଼ ହୋଇପାରିବ ନାହିଁ । କିନ୍ତୁ ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଭାରତୀୟ ରାଜନୀତିରେ ଗତ ୫-୬ ବର୍ଷ ମଧ୍ୟରେ ବିରୋଧର ପ୍ରକୃତି ବିକୃତ ମନେହେଉଛି । ଯେଉଁଥିରେ ବିରୋଧୀ ନିଜର ସଠିକ୍ ରଣନୀତିକୁ ଛାଡ଼ି ବ୍ୟକ୍ତିକେନ୍ଦ୍ରିକ ହୋଇଯାଉଛି । ୨୦୧୪ ମସିହାରୁ କ୍ରମାଗତ ଭାବରେ ପଛରେ ପଡ଼ିଥିବା ବିରୋଧୀ ବର୍ତ୍ତମାନ ନିଜର ପରିଚୟ ହରାଇବା ସ୍ଥିତିରେ ପହଞ୍ôଚଛି । ଯଦି ଦେଖାଯାଏ ଦକ୍ଷ ନେତୃତ୍ୱର ଅନୁପସ୍ଥିତି ଆଜି ବିରୋଧୀଙ୍କ ପାଇଁ ସବୁଠାରୁ ବଡ ସଙ୍କଟ । ଯଦିଓ ରାହୁଲ ଗାନ୍ଧୀଙ୍କୁ ସର୍ବଭାରତୀୟ ନେତା କରିବାକୁ କଂଗ୍ରେସ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଛି ତଥାପି ପ୍ରତ୍ୟେକ ଥର ନିରାଶ ହୋଇଛି । ତେଣୁ କଂଗ୍ରେସର ବହୁ ନେତା ଏବେ ଖୁଲମ୍ଖୁଲ୍ଲା କହିବା ଆରମ୍ଭ କରିଦେଲେଣି କି ପରିବାରବାଦ ରାଜନୀତି ନଛାଡ଼ିଲେ ଦଳ ତିଷ୍ଠିବା ଅସମ୍ଭବ । ତଥାପି ବି କଂଗ୍ରେସରେ ପରିବାରବାଦ୍କୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା କିଛି କମ୍ ନାହିଁ । ଗୁରୁତ୍ୱପୂର୍ଣ୍ଣ ସମୟରେ ରାହୁଲ ଗାନ୍ଧୀଙ୍କ ଛୁଟିରେ ଯିବାର ଅଭ୍ୟାସ ଅନ୍ୟ ଦଳମାନଙ୍କୁ ଅସହଜ କରିବା ଆରମ୍ଭ କରିଛି । ବିହାର ବିଧାନସଭା ନିର୍ବାଚନରେ ଭୋଟ୍ ଗଣତି ଚାଲିଥିବା ସମୟରେ ରାହୁଳ ଛୁଟିରେ ଯିବା ଆର୍ଜେଡି ସହଜରେ ହଜମ କରିପାରିନଥିଲା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ତାଙ୍କ ଯୋଗ୍ୟତା ଉପରେ ସନ୍ଦେହ କରିଥିଲେ । ଗୋଟିଏ ପ୍ରକାରେ କଂଗ୍ରେସରେ ନେତୃତ୍ୱ ସଙ୍କଟ ଭଳି ଅନ୍ୟ ବିରୋଧୀ ଦଳରେ ଏବେ ମଧ୍ୟ ସମାନ ସଂକଟ ଦେଖାଦେଇଛି । ବାସ୍ତବରେ ବର୍ତ୍ତମାନ ବିରୋଧୀଦଳରେ କେହି ବି ଚେହେରା ନାହାନ୍ତି । ମମତା ବାନାର୍ଜୀ, ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ, ହେମନ୍ତ ସୋରେନ ଏବଂ ଷ୍ଟାଲିନଙ୍କ ପରି ନେତାମାନେ ନିଜ ନିଜ ରାଜ୍ୟକୁ ଏକତ୍ର କରିପାରିବାର କ୍ଷମତା ରହିଛି ସତ କିନ୍ତୁ ଏହା ବ୍ୟତୀତ ସେମାନେ ଜାତୀୟ ରାଜନୀତିରେ ନିଜର ପ୍ରଭୃତ୍ୱ ଯେ ବିସ୍ତାର କରିପାରିବେ ତାହା ଭାବିବା ଭୁଲ୍ । ବର୍ତ୍ତମାନ ଏଭଳି ଅବସ୍ଥା ଯେ କେହି କାହାରିବାକୁ ନେତା ଭାବେ ବିବେଚନା କରିବାକୁ ଉଚିତ୍ ମଣୁନାହାନ୍ତି । ସମସ୍ତେ ‘ହମ୍ ବଡ଼ା’ ନୀତିରେ ଚାଲିଛନ୍ତି । ଶରଦ ପାୱାର ହେଉଛନ୍ତି ଏକମାତ୍ର ବିରୋଧୀଦଳ ନେତା ଯିଏକି ସମସ୍ତ ଦଳର ନେତାଙ୍କ ଦ୍ୱାରା ସମ୍ମାନିତ । ତାଙ୍କ ଦଳ ଏନସିପି ମହାରାଷ୍ଟ୍ରରେ ସୀମିତ ରହିଛି, କିନ୍ତୁ ବିରୋଧୀଙ୍କୁ ଏକଜୁଟ କରିବାର କ୍ଷମତା ତାଙ୍କ ନିକଟରେ ରହିଛି । ଖାସ୍ ଏହି କାରଣ ପାଇଁ ୟୁପିଏର ମଙ୍ଗ ଧରିବାକୁ ଶରଦ ପାୱାର ସକ୍ଷମ ବୋଲି ଶିବସେନା ପ୍ରସ୍ତାବ ଦେଇଥିଲା । କିନ୍ତୁ ଏହା ମଧ୍ୟ ନିଶ୍ଚିତ ଯେ କଂଗ୍ରେସ ଅନ୍ୟ କୌଣସି ଦଳକୁ ୟୁପିଏ କମାଣ୍ଡ ଦାୟିତ୍ୱ କେବେବି ଦେବନାହିଁ । ବିରୋଧୀ ଦଳର ଦକ୍ଷ ନେତୃତ୍ୱ ସଙ୍କଟର ଏକ ସମାନତା ହେଉଛି ସେମାନେ ଏବେ ପରିବାରବାଦ୍ ଭିତ୍ତିକ ହୋଇଯାଇଛନ୍ତି । କଂଗ୍ରେସ, ତୃଣମୂଳ କଂଗ୍ରେସ, ଆରଜେଡି, ଏସପି, ବିଏସପି, ଜେଏମଏମ, ଡିଏମକେ, ଏନସିପି, ଜେଡିଏସ – ସମସ୍ତଙ୍କର ଆଭ୍ୟନ୍ତରୀଣ ଗଣତନ୍ତ୍ରର ଅଭାବ ରହିଛି । ଏହି ପରିବାର ଭିତ୍ତିକ ଦଳଗୁଡିକ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ତତ୍ତ୍ୱଗତ ଭାବରେ ଫିଟ୍ ନୁହଁନ୍ତି । ଲାଲୁ ଯାଦବ, ମୁଲାୟମ ସିଂ ଯାଦବ, ମାୟାବତୀ, ଶିବୁ ସୋରେନ, ଶରଦ ପାୱାର ଏବଂ ମମତା ବାନାର୍ଜୀଙ୍କ ଭଳି ନେତାମାନେ ଯଦିଓ ନିଜ ରାଜ୍ୟରେ ଜନସାଧାରଣଙ୍କ ଆତ୍ମବିଶ୍ୱାସ ଜିତିବାରେ ସଫଳ ହୋଇଛନ୍ତି କିନ୍ତୁ ପରେ ସେମାନେ ନେତୃତ୍ୱକୁ ଜାତୀୟସ୍ତରରେ ଆଗେଇ ନେବା ପରିବର୍ତ୍ତେ ପରିବାରବାଦକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଯଦିଓ ଆମେ ସଂଖ୍ୟା ବଳକୁ ଦେଖିବା ବର୍ତ୍ତମାନ ବି ୨୦୦ ସାଂସଦଙ୍କ ସହିତ ବିରୋଧୀଙ୍କୁ ଦୁର୍ବଳ କୁହାଯାଇପାରିବ ନାହିଁ । କିନ୍ତୁ ଏହି ସଂଖ୍ୟା ବଳ ଏତେ ବିଭାଜିତ ହୋଇଛି ଏବଂ ସେମାନଙ୍କର ପାରସ୍ପରିକ ସ୍ୱାର୍ଥ ଏପରି ଭାବରେ ମୁହାଁମୁହିଁ ହୋଇଛି ଯେ ସେମାନେ କୌଣସି ପ୍ରସଙ୍ଗରେ ସହମତି ହୋଇ ସରକାରଙ୍କୁ ଚ୍ୟାଲେଞ୍ଜ ଦେବା ସ୍ଥିତିରେ ନାହାନ୍ତି । ବିରୋଧୀ ଦଳର ଏହି ଦୁର୍ବଳତାରୁ ଶାସକ ଦଳ ବେଶ୍ ଫାଇଦା ବି ନେଉଛି ।

Leave A Reply

Your email address will not be published.