ଖାରଜ ହେଲା ନିମ୍ନମାନର କାମ ରାସ୍ତା, ଭାଙ୍ଗିବାକୁ ନିର୍ଦେଶ

0 63

ପିପିଲି,୩୧/୧୨: ପିପିଲି ବାରିମୂଳ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ନିମ୍ନମାନର ହୋଇଥିବା ଅଭିଯୋଗ ହେବା ପରେ ଉକ୍ତ ରାସ୍ତା କାର୍ଯ୍ୟକୁ ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଏକଜିକ୍ୟୁଟିଭ ଇଂଜିନିୟର ଖାରଜ କରିବା ସହ ଉକ୍ତ ନିମ୍ନମାନର କାମକୁ ନିଜ ଅର୍ଥରେ ଭାଙ୍ଗିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦେଶ ଦେଇଛନ୍ତି । କାର୍ଯ୍ୟ ସମ୍ପାଦନ ଚୁକ୍ତି ଖିଲାପ କରିଥିବାରୁ ସମ୍ପୃକ୍ତ ଠିକାଦାରଙ୍କୁ ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଚିଠି ସଂଖ୍ୟା.୮୬୭୫ ଅନୁଯାୟୀ ଗତ ୨୮ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ୧୦ଦିନ ମଧ୍ୟରେ ଉତର ରଖିବାକୁ ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି । । ନିମ୍ନମାନର କାର୍ଯ୍ୟ ଚାଲିଥିବାବେଳେ ସହକାରୀ ଯନ୍ତ୍ରୀ ଓ ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଉକ୍ତ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦଶ ଦେଇଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର କାର୍ଯ୍ୟ ବନ୍ଦ କରିନଥିଲେ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ଥିବା ଜଣାଯାଇଛି । ଉଲ୍ଲେଖଯୋଗ୍ୟ ପିପିଲି ଅଂଚଳର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ଅଧିକାଂଶ ରାସ୍ତାର ଅବସ୍ଥା ଏବେ ଶୋଚନୀୟ । ରାସ୍ତାଗୁଡ଼ିକରେ କୋଟିକୋଟି ଟଙ୍କାର ଦୁର୍ନିତ ହୋଇଥିବା ଅଭିଯୋଗ ହୋଇଥିବାବେଳେ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି । କଂଟି ପଂଚାୟତ ଅନ୍ତର୍ଗତ ବାରିମୂଳ ଗାଁରେ ଏବେ ପ୍ରଧାନମନ୍ତ୍ରୀ ଗାମ୍ୟ ସଡ଼କ ରାସ୍ତା କାମରେ ବ୍ୟାପକ ଦୁର୍ନିତୀ ଓ ନକଲି ସିମେଂଟ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା । ପିପିଲି ଜଟଣୀ ରାସ୍ତାରୁ ବାରିମୂଳ ଗାଁକୁ ଏହି ରାସ୍ତା ସଂଯୋଗ କରୁଥିବାବେଳେ ଉକ୍ତ ରାସ୍ତା କାମରେ ନକଲି ସିମେଂଟ ବ୍ୟବହାର ଆଦି ବ୍ୟାପକ ଅନିୟମିତତା ହେଉଥିବା ଦର୍ଶାଇ ଗ୍ରାମର ୱାର୍ଡ଼ସଭ୍ୟ ସମେତ କେତେକ ଗ୍ରାମବାସୀ ଗ୍ରାମ୍ୟ ରାସ୍ତା ଓ ଗୃହନିର୍ମାଣ ବିଭାଗର ସର୍ବୋଚ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ବିଭାଗୀୟ ଉଚ୍ଚ ଅଧିକାରୀମାନେ ଉକ୍ତ ରାସ୍ତାର ତଦନ୍ତ କରିବା ପରେ କାର୍ଯ୍ୟ ଅନିୟମିତତାର ଗୁମର ଖୋଲିଥିଲା ।
ଚସୂଚନା ଅନୁସାରେ ଟି୯ଠାରୁ ଠାରୁ ବାରିମୂଳ ଗ୍ରାମ୍ୟ ରାସ୍ତା ୧କିମି ୮୦ମିଟର ରାସ୍ତାର ନିର୍ମାଣ ନିମନ୍ତେ ଏହି ଯୋଜନାରେ ୫୦ଲକ୍ଷ ୬୭ହଜାର ବ୍ୟୟ ଅଟକଳ କରାଯାଇଛି । ଏହି ରାସ୍ତାର ଓସାର ୬ମିଟର କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା । କାର୍ଯ୍ୟାଦେଶ ଅନୁଯାୟୀ ଏହି ରାସ୍ତା ୭୪ ମିଟର ପିଚୁ ଓ ୧କିମି ୬ମିଟର କଂକ୍ରୀଟ କରାଯିବାକୁ ନିର୍ଦେଶ ଅଛି । ଏଥିରେ ୨୦ମିମି ପିଚୁ ଓ ୧୯୦ମିମି କଂକ୍ରୀଟ ପାଇଁ ନିୟମ ରହିଛି । ଏହି ରାସ୍ତା କାର୍ଯ୍ୟରେ ସବୁ ନିତୀନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା । ପ୍ରୀୟା ଆଦି ବିଭିନ୍ନ ନକଲି ସିମେଂଟ ଉକ୍ତ ରାସ୍ତା କାମରେ ବ୍ୟବହାର କରାଯାଉଥିବାବେଳେ ମେଟାଲ ଓ ଚିପ୍ସ ଆଦି ସଠିକ ପରିମାଣରେ ଦିଆଯାଇନଥିବା ଉକ୍ତ ଅଭିଯୋଗରେ ଦର୍ଶାଯାଇଥିଲା । ଗତ ମାର୍ଚ୍ଚ ୨୦୨୦ରେ କାର୍ଯ୍ୟ ଶେଷ କରିବାର ଅନ୍ତିମ ତାରିଖ ଥିବାବେଳେ ଜୁନ ଜୁଲାଇରେ ଉକ୍ତ ରାସ୍ତା କାମ କରାଯାଇଛି । ସବୁଠାରୁ ଗୁରୁତୂପୂର୍ଣ୍ଣ ପ୍ରସଙ୍ଗ ହେଉଛି ପୂର୍ବରୁ ଥିବା କଂକ୍ରୀଟ ରାସ୍ତା ଉପରେ ହିଁ ପ୍ରାୟ ୪ଇଂଚର ବାଲି ପକାଯାଇ କଂକ୍ରୀଟ ଢଳାଇ କାମ କରାଯାଇଥିଲା । ଏଭଳି ବିଭାଗୀୟ ଦୃଢ କାର୍ଯ୍ୟାନୁଷ୍ଠାନ ପରେ ନିମ୍ନମାନର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା କାର୍ଯ୍ୟ କରିଥିବା ଠିକାଦାରଙ୍କ ଛାତିରେ ଏବେ ଛନକା ପଶିଛି । ୟା ପରେ କାହା ପାଳି ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.