ବିଧାନ ପରିଷଦ ଗ୍ୟାଲେରିରେ ସବରକରଙ୍କ ଫଟୋ ସ୍ଥାନ ପାଇବାକୁ ନେଇ ବିବାଦ

0 107

ଲକ୍ଷେ୍ନø, ୨୦ ।୧: ଉତ୍ତର ପ୍ରଦେଶ ବିଧାନ ପରିଷଦର ଫଟୋ ଗ୍ୟାଲେରିରେ ହିନ୍ଦୁତ୍ୱବାଦୀ ନେତା ସବରକରଙ୍କ ଛବି ସ୍ଥାନ ପାଇବାକୁ ନେଇ ବିବାଦ ଦେଖାଯାଇଛି । କଂଗ୍ରେସ ବିଧାନ ପରିଷଦ ସଦସ୍ୟ ଦୀପକ ସିଂହ ଏହା ବିରୋଧରେ ସ୍ୱର ଉଠାଇବା ସହ ଗୃହର ଅଧ୍ୟକ୍ଷଙ୍କୁ ଏହାକୁ ତୁରନ୍ତ ହଠାଇବାକୁ ଦାବି କରି ଚିଠି ଲେଖିଛନ୍ତି । ମଙ୍ଗଳବାର ଏହି ଛବିକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନାବରଣ କରିଥିଲେ । ଦୀପକ ସିଂହ ଗୃହର ଅଧ୍ୟକ୍ଷ ରମେଶ ଯାଦବଙ୍କୁ ଚିଠି ଲେଖି କହିଛନ୍ତି, ସ୍ୱାଧୀନତା ସଂଗ୍ରାମର ମହାନ ବ୍ୟକ୍ତିବିଶେଷଙ୍କ ପାଖରେ ସବରକରଙ୍କ ଫୋଟ ଲାଗିଛି । ସ୍ୱାଧୀନତା ସଂଗ୍ରାମର ମହାନ ବ୍ୟକ୍ତିମାନେ ବ୍ରିଟିଶ ଶାସନ ବେଳେ ଅନେକ ନିର୍ଯାତନା ସହିଥିଲେ । କିନ୍ତୁ ସେମାନଙ୍କ ଆଗରେ କେବେ ହେଲେ ମୁଣ୍ଡ ନୁଆଁଇନଥିଲେ । ତେଣୁ ସେମାନଙ୍କ ଫଟୋ ପାଖରେ ସବରକରଙ୍କ ଭଳି ବ୍ୟକ୍ତିଙ୍କର ଛବି ଲାଗିବା ନିଶ୍ଚିତ ସେମାନଙ୍କ ପ୍ରତି ଅପମାନ । ସବରକରଙ୍କ ଫଟୋକୁ ଏଠାରୁ କାଢ଼ି ବିଜେପିର ସଂସଦୀୟ ଅଫିସରେ ଲଗା ଗଲେ ଭଲ ହେବ । ଗୃହର ଅଧ୍ୟକ୍ଷ ପରିଷଦର ପ୍ରିନ୍ସିପାଲ ସଚିବଙ୍କୁ ଏହା ଉପରେ ଦୃଷ୍ଟି ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଚିଠିରେ ଦାବି କରିଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଏ ବିଷୟରେ ପ୍ରତିକ୍ରିୟା ଦେବାକୁ କୁହାଯିବାରୁ ସେ କହିଛନ୍ତି, ଦେଶର ବିଭିନ୍ନ ଲୋକମାନେ ସ୍ୱାଧୀନତା ପାଇଁ କ’ଣ ସବୁ କରିଛନ୍ତି, ସେ ବିଷୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଗୋଟିଏ ବିତର୍କ ହେବା ଉଚିତ । ଏହାପରେ ସ୍ୱାଧୀନତା ସଂଗ୍ରାମରେ ଯେଉଁମାନଙ୍କର ଯୋଗଦାନ ଥିଲା, ସେମାନଙ୍କୁ ସମ୍ମାନିତ କରାଯିବା ଦରକାର ବୋଲି ସେ କହିଛନ୍ତି ।ସବରକରଙ୍କ ଛବି ଅନାବରଣ କରିବା ବେଳେ ଯୋଗୀ କହିଥିଲେ ଯେ ସବରକର ହେଉଛନ୍ତି ମହାନ ସ୍ୱାଧୀନତା ସଂଗ୍ରାମୀ । ତାଙ୍କ ବ୍ୟକ୍ତିତ୍ୱ ସମସ୍ତ ଭାରତୀୟଙ୍କୁ ପ୍ରେରଣା ଯୋଗାଇ ଥାଏ । ବିଜେପି ସବରକରଙ୍କୁ ମହାନ ସ୍ୱାଧୀନତା ସଂଗ୍ରାମୀ କହୁଥିଲେ ହେଁ କଂଗ୍ରେସ ଓ ଅନ୍ୟମାନେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟା ପଛରେ ତାଙ୍କ ହାତ ରହିଥିବା ଅଭିଯୋଗ କରୁଛନ୍ତି ।

Leave A Reply

Your email address will not be published.